ପ୍ରଥମ ଇସ୍ପାତ ନାଟକ ମହୋତ୍ସବର ପ୍ରଥମ ସନ୍ଧ୍ୟାରେ ପ୍ରଦର୍ଶିତ ହେଲା ନାଟକ ପେଇଙ୍ଗ୍ ଗେଷ୍ଟ

1 min read
Spread the love

୨୫ଟି ନାଟ୍ୟ ସଂସ୍ଥାର ମିଳିତ ସଙ୍ଗଠନ ଏକତ୍ର ରାଉରକେଲା ଦ୍ଵାରା ଆୟୋଜିତ ପ୍ରଥମ ଇସ୍ପାତ ନାଟ୍ୟ ମହୋତ୍ସବ ୨୦୨୩ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଉଦ୍‌ଘାଟିତ ହୋଇଛି। ପ୍ରଥମ ସନ୍ଧ୍ୟାରେ ନାଟ୍ୟାନୁଷ୍ଠାନ ପ୍ରତିଧ୍ଵନି ତରଫରୁ ନାରୀ ନିର୍ଯାତନା ଉପରେ ଆଧାରିତ ନାଟକ ପେଇଂ ଗେଷ୍ଟ ମଞ୍ଚସ୍ଥ ହୋଇଥିଲା। ପ୍ରଦୀପ ଭୌମିକଙ୍କ ରଚନା ଓ ଶରତ ଦାସଙ୍କ ନିର୍ଦ୍ଦେଶନାରେ ପ୍ରଦର୍ଶିତ ଏହି ନାଟକ ମାଧ୍ୟମରେ ନାରୀ ସଶକ୍ତିକରଣ, ନାରୀ ସ୍ବାଧିନତା,ନାରୀ ପ୍ରଗତି ସମ୍ପର୍କରେ ଲୋକ ଦେଖାଣିଆ କାର୍ଯ୍ୟ ସମ୍ପର୍କରେ ବାର୍ତ୍ତା ଦିଆଯାଇଛି। ଏକବିଂଶ ଶତାବ୍ଦୀରେ ନାରୀ ପୂର୍ବ ଭଳି ଅସହାୟ, ନିର୍ଯାତିତା ଏବଂ ଦୁଷ୍ଟ ଚକ୍ରର ଲଗାମହୀନ ଶୋଷଣ ର ଏକ ମନଲାଖି ବସ୍ତୁ ଭିନ୍ନ ଅନ୍ୟ କିଛି ନୁହେଁ। ଏହି ଭଳି କିଛି ଅସହାୟ ଓ ନିର୍ଯ୍ୟାତିତ ନାରୀଙ୍କର ଜୀବନପଞ୍ଜିକାକୁ ନେଇ ନାଟକ ପେଇଂ ଗେଷ୍ଟ ନାଟକ ପ୍ରଦର୍ଶିତ ହୋଇ ଥିଲା। ନୀତା ଗୋସ୍ୱାମୀ, ପ୍ରିୟଦର୍ଶିନୀ ସ୍ବାଇଁ, ସବିତା ଜେନା, ମମତା ନନ୍ଦ, ସଞ୍ଜନା ପତି ପ୍ରମୁଖ ଅଭିନୟ କରିଥିବା ବେଳେ ଗୁଲାବ ଶର୍ମା ଓ ପ୍ରମୋଦ ସାହୁଙ୍କ ସଂଗୀତ ସହିତ ମଞ୍ଚ ସଜ୍ଜା ରେ ପ୍ରଳୟ ଶତପଥୀ, ପରିଚାଳନା ରେ ରମେଶ ମହାନ୍ତି ଓ ମନୋରଞ୍ଜନ ବକ୍ସି ପ୍ରମୁଖ ସହଯୋଗ କରିଥିଲେ।

ଏହି ନାଟକରେ ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆରଏସପି ର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଓ ସମ୍ମାନିତ ଅତିଥି ଭାବେ ପ୍ରାକ୍ତନ ପ୍ରଶାସକ ମହେନ୍ଦ୍ର କୁମାର ପଟ୍ଟନାୟକ, ଉପଦେଷ୍ଟା ମିହିର ରାୟ ପ୍ରମୁଖ ଯୋଗଦେଇଥିଲେ। ଏକତ୍ର ଅନୁଷ୍ଠାନର ସଭାପତି ରାଜୀବ ପାଣି ସ୍ବାଗତ ଭାଷଣ ଦେଇଥିଲେ। ଏକତ୍ର ସମ୍ପାଦକ ସୁଦେଶ ନାୟକ ସମ୍ପାଦକୀୟ ବିବରଣୀ ସହ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ଭୌମିକ ଅନୁଷ୍ଠାନର ଉଦ୍ୟମ କୁ ସାଧୁବାଦ ଦେବା ସହ ଆରଏସପି ର ସାହିତ୍ୟ ଓ ସଂସ୍କୃତି ପ୍ରତିବଦ୍ଧତା କୁ ଦୋହରାଇ ଥିଲେ। ସମ୍ମାନିତ ଅତିଥି ଶ୍ରୀ ପଟ୍ଟନାୟକ ନାଟକ କୁ ପଞ୍ଚମ ବେଦ ରୂପେ ଅବହିତ କରି ନାଟକ ର ପ୍ରଭାବ କିପରି ମହାତ୍ମାଗାନ୍ଧୀ ଉପରେ ପଡିଥିଲା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରମେଶ ମହାନ୍ତି,ସୁମନ ଦତ୍ତ, ପ୍ରଶାନ୍ତ ପତି,ଆଲୋକ ବୋଷ, ଚନ୍ଦ୍ର ଶେଖର ଶତପଥୀ, ସରୋଜ ଶଙ୍ଖୁଆ, ପ୍ରଜ୍ଞାନନ୍ଦ ମହାନ୍ତି, ପ୍ରବୀର କୁମାର ଜେନା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଅନୀଲ ମଲ୍ଲିକ ମଞ୍ଚ ସଂଯୋଜନା କରିଥିଲାବେଳେ ଏକତ୍ରର ସହସମ୍ପାଦିକା କନକଲତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!