ନୂଆ-ଓ-ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଦ୍ୱିତୀୟ ପର୍ଯ୍ୟାୟରେ ଖେଳକୁଦ ପ୍ରତିଯୋଗିତା ଉଦ୍ଘାଟିତ
1 min read
ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ସମନ୍ୱିତ ଯୁବ ବିକାଶ ଯୋଜନାରେ ନୂଆ-ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଦ୍ୱିତୀୟ ପର୍ଯ୍ୟାୟରେ ଖେଳ-କୁଦ ପ୍ରତିଯୋଗିତା ଉଦ୍ଘାଟିତ ହୋଇଯାଇଛି। ଯୁକ୍ତ ଦୁଇ ପାଇଁ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ଅଜୟ କୁମାର ବେହେରା ଓ ଯୁକ୍ତ ତିନି ଓ ସ୍ନାତକୋତ୍ତର ସ୍ତର ପାଇଁ ନୋଡାଲ ଅଧିକାରୀ ମାୟାଧର ବାରିକଙ୍କ ତତ୍ତ୍ୱାବଧାନରେ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବର୍ଗ ପାଇଁ ସଂଯୋଜକ ପ୍ରଦୀପ ଖେସ୍ ଓ ସ୍ନାତକ ଓ ସ୍ନାତକୋତ୍ତର ପାଇଁ ସଂଯୋଜକ ସମୀର ସୌରଭ ପୃଷ୍ଟିଙ୍କ ଦ୍ୱାରା ପରିଚାଳିତ ହେଉଛି।

ପ୍ରଥମ ଦିନ ମହାବିଦ୍ୟାଳୟର ମିନି ଷ୍ଟାଡିୟମ୍ ପରିସରରେ କ୍ରିକେଟ ଖେଳରୁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମକୁ ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ବେହେରା ଉଦ୍ଘାଟନ କରିଛନ୍ତି। ପ୍ରଥମ ଦିନରେ ଯୁକ୍ତ ଦୁଇ ସହିତ ସ୍ନାତକ ଓ ସ୍ନାତକୋତ୍ତର ବର୍ଗରେ କ୍ରିକେଟ ସହିତ ଭଲିବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି।

କ୍ରିକେଟ ପ୍ରତିଯୋଗିତାକୁ ପାନପୋଷ ସ୍ଥିତ ପ୍ରଗତୀ ସ୍ପୋର୍ଟିଙ୍ଗ କ୍ଲବ୍ର ସରୋଜ କୁମାର ସାମଲ ଓ ଜିତେନ ନାୟକ ଅମ୍ପାୟାରଭାବେ ପରିଚାଳନା କରିଥିଲେ। ଏହି ଅବସରରେ ମହିଳା ବର୍ଗରେ କ୍ରିକେଟ ଖେଳ ଅନ୍ୟତମ ଆକର୍ଷଣ ଥିଲା। ଅନ୍ୟପକ୍ଷରେ ପ୍ରଥମ ଥର ପାଇଁ ମହାବିଦ୍ୟାଳୟର ଅଧ୍ୟାପିକାମାନଙ୍କର ଏକ ଦଳ ଛାତ୍ରୀମାନଙ୍କ ସହିତ ଖେଳିଥିଲେ। ସେହିଭଳି ଯୁକ୍ତ ଦୁଇ ବାଳିକା ଭଲିବଲ୍ ବର୍ଗରେ ପ୍ରଥମ ବର୍ଷ ଦଳ ବିଜୟୀ ଓ ଦ୍ୱିତୀୟ ବର୍ଷ ଦଳ ଉପବିଜେତା ହୋଇଥିଲେ।

ଅନ୍ୟପକ୍ଷରେ ଭଲିବଲ୍ ଯୁକ୍ତ ଦୁଇ ବାଳକ ବର୍ଗରେ ସୁପର ସ୍ପାଇକର୍ସ ଦଳ ଓ ଟିମ୍ ହକ୍ ଦଳ ଯଥାକ୍ରମେ ବିଜେତା ଏବଂ ଉପବିଜେତା ହୋଇଥିଲେ। ସେହିଭଳି ସ୍ନାତକ ଓ ସ୍ନାତକୋତ୍ତର ବର୍ଗର ମହିଳା ଯୁକ୍ତ ୩ ତୃତୀୟ ବର୍ଷ ଦଳ ବିଜେତା ଏବଂ ଯୁକ୍ତ ୩ ପ୍ରଥମ ବର୍ଷ ଦଳ ଉପବିଜେତା ହୋଇଥିଲେ। ପ୍ରଥମ ଦିନର ଖେଳ ପରିଚାଳନାରେ କ୍ରୀଡ଼ା ଶିକ୍ଷକ କ୍ୟାପ୍ଟେନ ମୀନା ଦାସଙ୍କ ସମେତ ଅନ୍ୟ ଅଧ୍ୟାପିକା ଓ ଅଧ୍ୟାପକମାନେ ସକ୍ରୀୟ ସହଯୋଗ କରିଥିଲେ। ମଙ୍ଗଳବାର ଦ୍ୱିତୀୟ ଦିନରେ ଫୁଟ୍ବଲ୍ ଓ କବାଡ଼ି ଖେଳ ଅନୁଷ୍ଠିତ ହେବ।