ମନ ମୋହିଲା ଶାସ୍ତ୍ରୀୟ କତ୍ଥକ ନୃତ୍ୟ, ଗୋଟିପୁଅ ଏବଂ ସମ୍ବଲପୁରୀ ଲୋକନୃତ୍ୟ

1 min read
Spread the love

ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବର ଚିତ୍ତାକର୍ଷକ ଦ୍ଵିତୀୟ ସନ୍ଧ୍ୟା

       ଭଞ୍ଜଭବନ ପ୍ରଦର୍ଶନୀ ପଡିଆ ମୁକ୍ତାକାଶ ମଞ୍ଚଠାରେ ଭଞ୍ଜ କଳା କେନ୍ଦ୍ର ଆନୁକୁଲ୍ୟରେ ଆୟୋଜିତ ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବର ଦ୍ଵିତୀୟ ସନ୍ଧ୍ୟାରେ ପରିବେଷିତ ଚିତ୍ତାକର୍ଷକ ଶାସ୍ତ୍ରୀୟ ଓ ଲୋକ ନୃତ୍ୟ ଦର୍ଶକଙ୍କୁ ବିମୋହିତ କରିଛି। ମାନ୍ୟବର ରଘୁନାଥପାଲ୍ଲୀ ବିଧାୟକ ଶ୍ରୀ ସୁବ୍ରତ ତରାଇ ସନ୍ଧ୍ୟାର ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉତ୍ସବର ଶୁଭ ଉଦଘାଟନ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ୫ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ତଥା ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ,ନୃତ୍ୟ ଓ ଲୋକନୃତ୍ୟ ଉତ୍ସବର ମାନ୍ୟତା ହାସଲ କରିଥିବା ଏହି ଉତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଲୋକପ୍ରିୟ କଳାକାରମାନେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ଉପସ୍ଥାପନା କରୁଛନ୍ତି।

       ପ୍ରାରମ୍ଭରେ ଭଞ୍ଜ କଳା କେନ୍ଦ୍ରର କଳାକାର ମାନଙ୍କ ଦ୍ଵାରା ଗୁରୁ ଡକ୍ଟର ଅନିଲ କୁମାର ଦତ୍ତଙ୍କ ନିର୍ଦ୍ଦେଶନାରେ ଗିଟାର ବାଦନ ପରିବେଶକୁ ଆହ୍ଲାଦିତ କରିଥିଲା । ଏହାପରେ ବିଶ୍ଵର ବିଭିନ୍ନ ଦେଶରେ ତଥା ଭାରତର ବିଭିନ୍ନ ସମ୍ମାନଜନକ ନୃତ୍ୟ ଉତ୍ସବରେ ନୃତ୍ୟ ପ୍ରଦର୍ଶନ ପୂର୍ବକ ବିପୁଳ ଯଶ ସମ୍ମାନ ଅର୍ଜ୍ଜନ କରିଥିବା ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କଥ୍ଥକ ଶାସ୍ତ୍ରୀୟ ନୃତ୍ୟର ବିଶିଷ୍ଟ ନୃତ୍ୟଗୁରୁ ଶ୍ରୀ ଅସିମ ଚନ୍ଦ୍ର ଭଟ୍ଟାଚାର୍ଜ୍ୟ ଏବଂ ତାଙ୍କ ଅନୁଷ୍ଠାନ ଉପାସନା ନୃତ୍ୟ କେନ୍ଦ୍ରର ନୃତ୍ୟଶିଳ୍ପୀମାନଙ୍କ ଦ୍ଵାରା ମନୋରମ ନୃତ୍ୟ ଉପସ୍ଥାପନା ଦର୍ଶକଙ୍କୁ ବିମୋହିତ କରିଥିଲା। ଉପାସନା ନୃତ୍ୟ ଅନୁଷ୍ଠାନର ଶିଳ୍ପୀ ମାନେ ‘କଥ୍ଥକ ରଙ୍ଗ’ ପ୍ରସ୍ତୁତ କରିଥିଲେ ଯାହା ମାଧ୍ୟମରେ ସେମାନେ କଥ୍ଥକ ନୃତ୍ୟର ବିଭିନ୍ନ ଶୂକ୍ଷ୍ମ କଳା ବିଭବକୁ ଦର୍ଶକଙ୍କ ସମ୍ମୁଖରେ ପରସି ଦେଇଥିଲେ।  ଗୁରୁ ଅସିମ ବନ୍ଧୁ ଭଟ୍ଟାଚାର୍ଜ୍ୟଙ୍କ ନିର୍ଦ୍ଦେଶନା ଓ ପ୍ରତ୍ଯକ୍ଷ ତତ୍ତ୍ବାବଧାନରେ ଉପାସନା ନୃତ୍ୟଶିଳ୍ପୀ ମଧୁକା ଦତ୍ତା, ତୃଷା ଚାଟାର୍ଜୀ, ଦୁର୍ଜୟ ବର୍ଦ୍ଧନ ଏବଂ ଅଭିକ ଚାକି ଏହି ଅଭିନୟରେ ଭାଗନେଇଥିଲେ। ପରେପରେ ଓଡିଶାର ରଘୁରାଜପୁରର ଅଭିନ୍ନ ସୁନ୍ଦର ଗୋଟିପୁଅ ନୃତ୍ୟ ପରିଷଦର କଳାକାରମାନେ ଲୋକପ୍ରିୟ ଗୋଟିପୁଅ ନୃତ୍ୟ ପରିବେଷଣ ପୂର୍ବକ ଦର୍ଶକକୁ ରୋମାଞ୍ଚିତ କରିଥିଲେ । ଶାରୀରିକ ଦକ୍ଷତା ସହିତ ନୃତ୍ୟର ଅପୂର୍ବ ତାଳଲୟ ମଞ୍ଚରେ ଏକ ଚିତ୍ତାକର୍ଷକ ଅନୁଭବ ପ୍ରଦାନ କରିଥିଲା । ପରେପରେ ପଦ୍ମପୁରର ଆନ୍ତର୍ଜାତୀୟ ଖ୍ୟାତି ଅର୍ଜ୍ଜନ କରିଥିବା ବିଶିଷ୍ଟ ଲୋକନୃତ୍ୟ ଗୁରୁ ରାଜେଶ କୁମାର ଗୁର୍ଲା ଏବଂ ତାଙ୍କ ଦଳ ଦ୍ଵାରା ପଶ୍ଚିମ ଓଡିଶାର ଲୋକନୃତ୍ୟ ପରିବେଷଣ  ସନ୍ଧ୍ୟାର ଅନ୍ୟତମ ବରିଷ୍ଠ ଆକର୍ଷଣ ଥିଲା। 

       ଉତ୍ସବରେ ନୃତ୍ୟଗୁରୁମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଭଞ୍ଜ କଳା କେନ୍ଦ୍ରର ସଭାପତି, ଶ୍ରୀ ଶୁଭ ଶଙ୍କର ରାୟଚୌଧୁରୀ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଭଞ୍ଜ ସାଂସ୍କୃତିକ ନ୍ୟାସର ଅଧ୍ୟକ୍ଷ ତଥା ଆରଏସପି କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ତରୁଣ ମିଶ୍ରଙ୍କ ମାର୍ଗଦର୍ଶନରେ ଭଞ୍ଜ କଳା କେନ୍ଦ୍ରର ସାଧାରଣ ସମ୍ପାଦକ, ଶ୍ରୀ ରାଧାକୃଷ୍ଣ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିବାବେଳେ  ଉପସଭାପତି, ଶ୍ରୀ ଆଲୋକ ବେହେରା ଧନ୍ୟବାଦ ଜ୍ଞାପନ କରିଥିଲେ ।  ଆରଏସପି ଲୋକସମ୍ପର୍କ ବିଭାଗର ଅଧିକାରୀ ଶ୍ରୀ ଶଶାଙ୍କ ପଟ୍ଟନାୟକ ଏବଂ ସୁଶ୍ରୀ କୋଏନା ଦସ୍ତିଦାର ସାଂସ୍କୃତିକ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

ଉତ୍ସବରେ ଭଞ୍ଜ ସାଂସ୍କୃତିକ ନ୍ୟାସର ଉପଦେଷ୍ଟାମାନେ ଉପସ୍ଥିତ ଥିଲେ। ଭଞ୍ଜ ସାଂସ୍କୃତିକ ନ୍ୟାସର ସାଧାରଣ ସମ୍ପାଦକ ଶ୍ରୀ ଜୀବନ ବଲ୍ଲଭ ପଟ୍ଟନାୟକ, ଭଞ୍ଜ କଳା କେନ୍ଦ୍ରର ଉପଦେଷ୍ଟା ଶ୍ରୀ ଅମର ବେହେରା, କର୍ମକର୍ତ୍ତା ଶ୍ରୀ ବିବେକାନନ୍ଦ ପରିଡା,ଶ୍ରୀ ଜ୍ୟୋତିର୍ମୟ ଆଚାର୍ଯ୍ୟ, ଶ୍ରୀ ପଞ୍ଚାନନ ମଲ୍ଲିକ, ଶ୍ରୀ ସୁବ୍ରତ ଶତପଥୀ, ଶ୍ରୀ ଗଜେନ୍ଦ୍ର ମୁର୍ମୁ, ଶ୍ରୀ ବସନ୍ତ ସାହୁ, ଶ୍ରୀ ରସାନନ୍ଦ ମହାନ୍ତ, ଶ୍ରୀମତୀ କନକଲତା ମିଶ୍ର ଏବଂ ଶ୍ରୀ ପ୍ରବୀଣ ପାତ୍ର ଓ ଭଞ୍ଜ ସାଂସ୍କୃତିକ ନ୍ୟାସର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!