ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବର ତୃତୀୟ ସନ୍ଧ୍ୟାରେ ମନମୋହିଲା ସୁଲଳିତ ଶାସ୍ତ୍ରୀୟ ସଙ୍ଗୀତ
1 min read
ଭଞ୍ଜଭବନ ପ୍ରଦର୍ଶନ ପଡିଆ ମୁକ୍ତାକାଶ ମଞ୍ଚଠାରେ ୨୬ତମ ବେଦବ୍ୟାସ ସଙ୍ଗୀତ ନୃତ୍ୟୋତ୍ସବ-୨୦୨୩ର ନଭେମ୍ବର ୩ ତାରିଖ ଦିନ ଅନୁଷ୍ଠିତ ତୃତୀୟ ସନ୍ଧ୍ୟାରେ ସୁଲଳିତ ଶାସ୍ତ୍ରୀୟ ସଙ୍ଗୀତର ପରିବେଷଣ ଦର୍ଶକଙ୍କୁ ବିମୋହିତ କରିଥିଲା। ୫ ଦିନ ବ୍ୟାପୀ ଅନୁଷ୍ଠିତ ହେଉଥିବା ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ,ନୃତ୍ୟ ଓ ଲୋକନୃତ୍ୟ ଉତ୍ସବର ମାନ୍ୟତା ହାସଲ କରିଥିବା ଏହି ଉତ୍ସବରେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଖ୍ୟାତିସମ୍ପନ୍ନ କଳାକାର ମାନେ ସେମାନଙ୍କ ଶ୍ରେଷ୍ଠ ପ୍ରଦର୍ଶନ ପରିବେଷଣ କରୁଛନ୍ତି। ତୃତୀୟ ସନ୍ଧ୍ୟାରେ ଓଡିଶା ସରକାରଙ୍କ ଓଡିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ।

ଏହି ଅବସରରେ ନିଜର ଅଭିଭାଷଣରେ ମାନ୍ୟବର ମନ୍ତ୍ରୀ ଶ୍ରୀ ପାତ୍ର ଏଭଳି ଏକ ବିଶାଳ ଉତ୍ସବର ଆୟୋଜନ ପାଇଁ ଆୟୋଜକ ମାନଙ୍କର ଉଚ୍ଚ ପ୍ରଶଂସା କରିଥିଲେ । “ଏହି ଅଞ୍ଚଳରେ କଳା ଓ ସଂସ୍କୃତିକୁ ଋଦ୍ଧିମନ୍ତ କରିବା ପାଇଁ ତଥା ପର୍ଯ୍ୟଟନର ବିକାଶ ପାଇଁ ରାଜ୍ୟ ସରକାର ସମସ୍ତ ସହଯୋଗ ପ୍ରଦାନ ଜାରିରଖିବ,” ବୋଲି ସେ ଉଲ୍ଲେଖ କରିଥିଲେ। ଭଞ୍ଜ କଳା କେନ୍ଦ୍ରର କଳାକାରଙ୍କ ଦ୍ଵାରା ଗୁରୁ ବୀଣାପାଣି ରଥଙ୍କ ନିର୍ଦ୍ଦେଶନାରେ ସୁମଧୁର ବୃନ୍ଦ ଓଡିଶୀ ଗାନ ସହିତ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା। ଏହି ସନ୍ଧ୍ୟାରେ ଦେଶ ବିଦେଶରେ ଓଡିଶୀ ସଙ୍ଗୀତର ପ୍ରଚାର ପ୍ରସାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଏବଂ ଅଗଣିତ ସମ୍ମାନ ଓ ଯଶ ହାସଲ କରିଥିବା ସୁନାମଧାନ୍ୟ ଓଡିଶୀ ସଙ୍ଗୀତ ସୁରକାର ଶ୍ରୀ ମାତୃ ପ୍ରସାଦ ଦାସ ଚିତ୍ତାକର୍ଷକ ଓଡିଶୀ ସଙ୍ଗୀତ ପରିବେଷଣ କରି ଦର୍ଶକଙ୍କୁ ଆତ୍ମବିଭୋର କରିଥିଲେ । ପରେପରେ କୋଲକାତାରୁ ଆସିଥିବା ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ କଣ୍ଠଶିଳ୍ପୀ ଉସ୍ତାଦ ୱାସିମ ଅହମ୍ମଦ ଖାନଙ୍କ ସୁଲଳିଳ କଣ୍ଠରେ ହିନ୍ଦୁସ୍ତାନୀ ରାଗ ପରିବେଷଣରେ ଦର୍ଶକ ଅଭିଭୂତ ହୋଇଥିଲେ ।

ଏଥିପୂର୍ବରୁ ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଷ୍ଠିତ ଚିତ୍ର କଳା ପ୍ରତିଯୋଗିତାର ବିଜେତା ମାନଙ୍କୁ ମଧ୍ୟ ଏହି ସନ୍ଧ୍ୟାରେ ପୁରସ୍କୃତ କରାଯାଇଥିଲା। ଭଞ୍ଜ କଳା କେନ୍ଦ୍ରର ସଭାପତି ଶୁଭ ଶଙ୍କର ରାୟଚୌଧୁରୀ ସ୍ଵାଗତ ଅଭିଭାଷଣରେ ଭଞ୍ଜ କଳା କେନ୍ଦ୍ରର ଦୀର୍ଘ ବର୍ଷର ଗୌରବମୟ ଯାତ୍ରା ଏବଂ ଓଡିଶୀ ସଙ୍ଗୀତ, ଓଡିଶୀ ନୃତ୍ୟ ଓ ପାରମ୍ପରିକ ଲୋକନୃତ୍ୟର ପ୍ରଚାର ପ୍ରସାର ପାଇଁ ଏହାର ଯୋଗଦାନ ସମ୍ବନ୍ଧରେ ଉଲ୍ଲେଖ କରିଥିଲେ।