ରାଉରକେଲା-ଜରେଇକେଲା ରେଳରାସ୍ତାର ବିଶ୍ରାଠାରେ ୧୦ଘଣ୍ଟା ଧରି ରେଳରୋକ: ଲିଖିତ ସ୍ମାରକପତ୍ର ପରେ ହଟିଲା

1 min read
Spread the love

ମୁମ୍ବାଇ-ହାଓଡ଼ା ମୁଖ୍ୟ ରାସ୍ତା ଅନ୍ତର୍ଗତ ରାଉରକେଲା-ଜରେଇକେଲା ରେଳରାସ୍ତାର ବିଶ୍ରାଠାରେ ସୋମବାର ସକାଳୁ ଆରମ୍ଭ ହୋଇଥିଲା ରେଳ ରୋକୋ। ବିଶ୍ରା ରେଳ ଷ୍ଟେସନରେ କୋଭିଡ ପୂର୍ବବର୍ତ୍ତୀ ସମୟ ଭଳି ବିଭିନ୍ନ ଟ୍ରେନ ରହଣି ଦାବି କୁ ନେଇ ହୋଇଥିଲା ଏହି ଆନ୍ଦୋଳନ। ବିଶ୍ରା ପବ୍ଲିକ ଆକ୍ସନ କମିଟି ସଙ୍ଗଠନ ମାଧ୍ୟମରେ ବିଭିନ୍ନ ସାମାଜିକ କର୍ମୀ ଓ ରାଜନୈତିକ ଦଲର ନେତାମାନେ ରେଳ ରୋକ ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶ୍ରା  ଅଞ୍ଚଳର ବିଭିନ୍ନ ବର୍ଗର ସାଧାରଣ ଜନତା ଯୋଗ ଦେଇଥିଲେ।

ଏଥିପାଇଁ ସ୍ଥାନୀୟ ଅଞ୍ଚଳର ବଜାର ଓ ହାଟ ଆଦି ବନ୍ଦ ରହିବା ସହ ଦୋକାନ ମଧ୍ୟ ବନ୍ଦ ରହିଥିଲା। କୋଭିଡ କଟକଣା ଦୂର ହେଲାପରେ ମଧ୍ୟ ଏଠାରେ କୌଣସି ପାସେଞ୍ଜର ଟ୍ରେନ ରହଣୀ କରୁ ନଥିବାକୁ ନେଇ ବିଶ୍ରା ରେଳ ଷ୍ଟେସନରେ ସକାଳ ୬ ଟାରୁ ବିଶ୍ରା ପବ୍ଲିକ ଆକ୍ସନ କମିଟି ପକ୍ଷରୁ ରେଳ ରୋକୋ ଆନ୍ଦୋଳନ ହୋଇଥିଲା। ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି ବନ୍ଦ ଡାକରା ଦିଆଯାଇଥିଲେ ସୁଦ୍ଧା ରେଳବାଇ କର୍ତ୍ତୃପକ୍ଷ ଆନ୍ଦୋଳନକାରୀ ନେତାଙ୍କ ଉପସ୍ଥିତିରେ ମିଳିତଭାବେ ଦସ୍ତଖତ ହୋଇଥିବା ଲେଖା ପରେ ପ୍ରାୟ ୪ଟା ସମୟରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।।ଏହା ଯୋଗୁଁ ଷ୍ଟେସନର ଉଭ୍ୟ ପଟେ ଅନେକ ମାଲବାହୀ ଟ୍ରେନ ସହ ଅନ୍ୟାନ୍ୟ ଯାତ୍ରୀବାହୀ ଟ୍ରେନ ଅଟକି ରହିଥିଲା। କରୋନା ମହାମାରୀ ପୂର୍ବରୁ ବିଶ୍ରା ରେଳ ଷ୍ଟେସନ୍ ରେ ଉତ୍କଳ ଏକ୍ସପ୍ରେସ, ସମଲେଶ୍ଵରୀ ଏକ୍ସପ୍ରେସ, ଇସ୍ପାତ ଏକ୍ସପ୍ରେସ, ତପସ୍ୱିନୀ ଏକ୍ସପ୍ରେସ , ବୋକାରୋ- ଆଲିପି ଏକ୍ସପ୍ରେସ ଆଦି ଯାତ୍ରୀବାହି ଟ୍ରେନ ଗୁଡିକର ରହଣି ରହଣି ହେଉଥିବା। ପରେ କରୋନା ଆଳରେ ଏହି ଟ୍ରେନର ରହଣୀକୁ ଉଠାଇ ଦିଆ ଯାଇଥିଲା।

ଦୁଇ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏହି ସ୍ଥିତି ଜାରି ରହିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଶନିବାର ଦିନ ରେଳ ବିଭାଗ ଅଧିକାରୀଙ୍କ ସହ ଆଲୋଚନା ବିଫଳ ହେବା ପରେ ବନ୍ଦ ନିଷ୍ପତ୍ତି ନିଆଯାଇଥିଲା। ଅନ୍ୟପକ୍ଷରେ ବିଶ୍ରା ଷ୍ଟେସନ ଦେଇ ଯିବାକୁ ଥିବା ଅନେକ ଟ୍ରେନ ଚଳାଚଳକୁ ବାତିଲ କରାଯିବା ନେଇ ପୂର୍ବରୁ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଥିଲା।

କିନ୍ତୁ ଆନ୍ଦୋଳନ ପ୍ରତ୍ୟାହୃତ ପରେ କିଛି ଟ୍ରେନ୍‌ ଚଳାଚଳ ନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ବିଶେଷ କରି ପୁରୀ ଯିବାକୁ ଥିବା ଉତ୍କଳ ଏକ୍ସପ୍ରେସ, ହାଓଡ଼ା ଯିବାକୁ ଥିବା ୧୨୮୬୯ନଂ ଏକ୍ସପ୍ରେସ ଏବଂ କଣ୍ଟାବାଞ୍ଝି ହାଓଡ଼ା ଏକ୍ସପ୍ରେସ ସହିତ ରିଶିକେଶ ଯିବାକୁ ଥିବା ଉତ୍କଳ ଏକ୍ସପ୍ରେସ ସହିତ ହାଓଡ଼ା ଟିଟିଲାଗଡ଼ ଏକ୍ସପ୍ରେସ ସ୍ୱାଭାବିକଭାବେ ଯାତ୍ରା କରିଥିବା ସୂଚନା ମିଳିଛି। ଏହି ଆନ୍ଦୋଳନ ଯୋଗୁଁ ଶହ ଶହ ରେଳଯାତ୍ରୀ ସମସ୍ୟାରେ ପଡ଼ିଥିବା ସୂଚନା ମିଳିଛି। ଏହି ଆନ୍ଦୋଳନରେ ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ସମେତ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ବର୍ଗର ନେତୃସ୍ଥାନୀୟ ବ୍ୟକ୍ତିମାନେ ଯୋଗଦେଇଥିଲେ।   

Leave a Reply

Your email address will not be published. Required fields are marked *

error: Content is protected !!