ଆରଏସପି ଆନୁକୁଲ୍ୟରେ ବିଶ୍ରା ବ୍ଲକରେ ଜୋନ ସ୍ତରୀୟ ଲୋକସାଂସ୍କୃତିକ ମହୋତ୍ସବ ଆୟୋଜିତ
1 min read
ରାଉରକେଲା ଇସ୍ପାତ କାରଖାନାର ସିଏସଆର ବିଭାଗ ଦ୍ଵାରା ବିଶ୍ରା ବ୍ଲକ ଅନ୍ତର୍ଗତ କଦମଟୋଲା ଗ୍ରାମରେ ଅକ୍ଟୋବର ୨୭ ତାରିଖରେ ଆୟୋଜିତ ଜୋନ ସ୍ତରୀୟ “ସିନର୍ଜି ଲୋକସାଂସ୍କୃତିକ ମହୋତ୍ସବ”ରେ ବିଭିନ୍ନ ଗାଁଆର ୩୦ଟି ନୃତ୍ୟ ଦଳ ଉତ୍ସାହ ସହକାରେ ଅଂଶଗ୍ରହଣ କରିଥିଲେ । ଏହାର ଉଦଯାପନୀ ଉତ୍ସବରେ ଆରଏସପି ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପି କେ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ସହର ଇଞ୍ଜିନିୟରିଂ ବିଭାଗର ଭାରପ୍ରାପ୍ତ ମହାପ୍ରବନ୍ଧକ ବି କେ ଯୋଜୋ ସମ୍ମାନିତ ଅତିଥି ରୂପେ ଉପସ୍ଥିତ ଥିଲେ।

ଏହି ଅବସରରେ ସିଏସଆର ବିଭାଗର ମହାପ୍ରବନ୍ଧକ, ସୁଶ୍ରୀ ମୁନମୁନ ମିତ୍ର, ସହକାରୀ ମହାପ୍ରବନ୍ଧକ, ଟି ବି ଟପ୍ପୋ, ଏ ଏନ ପତି, ସ୍ଥାନୀୟ ପଞ୍ଚାୟତ ସରପଞ୍ଚ ଏବଂ ସିଏସଆର ବିଭାଗର ଅନ୍ୟ ଅଧିକାରୀ ଓ ଷ୍ଟାଫ, ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ ତଥା ଗ୍ରାମର ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ। ନିଜର ବକ୍ତବ୍ୟରେ ଶ୍ରୀ ସାହୁ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ ଋଦ୍ଧିମନ୍ତ ଆଦିବାସୀ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ତଥା ସାଂସ୍କୃତିକ ଐତିହ୍ୟର ପ୍ରୋତ୍ସାହନ ପାଇଁ ସିଏସଆର ବିଭାଗର ପ୍ରୟାସର ଉଚ୍ଚ ପ୍ରଶଂସା କରିଥିଲେ।

ମୁଖ୍ୟ ଅତିଥି ପ୍ରତିଯୋଗିତାର ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ନୃତ୍ୟ ଦଳଗୁଡିକୁ ପୁରସ୍କାର ପ୍ରଦାନ କରିଥିଲେ। କେନ୍ଦୁଟୋଲା ଗ୍ରାମର ସଞ୍ଜିତା ନୃତ୍ୟ ଦଳ ପ୍ରଥମ ପୁରସ୍କାର ଆକାରରେ ୧୦୦୦୦ ଟଙ୍କା ପୁରସ୍କାର ରାଶି ଏବଂ ଚମ୍ପିୟାନ ଟ୍ରଫି ଲାଭ କରିଥିବାବେଳେ ସାରୁବାହାଲ ଲକ୍ଷ୍ମୀ ଏସଏଚଜି ନୃତ୍ୟ ଦଳ ଦ୍ଵିତୀୟ ପୁରସ୍କାର ରୂପେ ୮୦୦୦ ଟଙ୍କା ପୁରସ୍କାର ରାଶି ଓ ଟ୍ରଫି ଲାଭ କରିଥିଲା। ନାନ୍ସି ନୃତ୍ୟ ଦଳ ତୃତୀୟ ପୁରସ୍କାର ଆକାରରେ ୬୦୦୦ ଟଙ୍କା ପୁରସ୍କାର ରାଶି ଓ ଟ୍ରଫି ଲାଭ କରିଥିଲା। ଏହି ଅବସରରେ ବିଚାରକ ମଣ୍ଡଳୀ ସଦସ୍ୟମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

ଅଂଶଗ୍ରହଣକାରୀ ଅବଶିଷ୍ଟ ୨୭ଟି ଦଳଙ୍କୁ ସାନ୍ତ୍ଵନାମୂଳକ ପୁରସ୍କାର ରୂପେ ପ୍ରତ୍ୟେକ ଦଳକୁ ୨୫୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା। ଏହି ନୃତ୍ୟ ଉତ୍ସବ କଦମ ଟୋଲା ଗ୍ରାମର ମମତା ସ୍ଵୟଂ ସହାୟକ ଗୋଷ୍ଠୀ ସହଯୋଗରେ ଆରଏସପି ସିଏସଆର ବିଭାଗ ଦ୍ଵାରା ଅନୁଷ୍ଠିତ ହୋଇଥିଲା। ସୁଶ୍ରୀ ମୁନମୁନ ମିତ୍ରା ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିବା ବେଳେ ଟି ବି ଟପ୍ପୋ ଧନ୍ୟବାଦ ଜ୍ଞାପନ କରିଥିଲେ। ବି ଏକ୍କା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ସିଏସଆର ବିଭାଗ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବହୁ ସଂଖ୍ୟାରେ ସ୍ଥାନୀୟ ତଥା ଆଖପାଖ ଗାଁଆ ଲୋକ ଏହି ନୃତ୍ୟୋତ୍ସବର ଆନନ୍ଦ ନେଇଥିଲେ।