ରାଉରକେଲା ସହରରେ ଆରମ୍ଭ ହେଲା ଦେବୀ ଦୁର୍ଗାଙ୍କ ପୂଜାର୍ଚ୍ଚନା: ସପ୍ତମୀ ପାଳନ ଉପଲକ୍ଷେ ବିଭିନ୍ନ ପୂଜା ମଣ୍ଡପରେ ଗହଳୀ
1 min read
ଇସ୍ପାତ ନଗରୀ ରାଉରକେଲାରେ ଶାରଦୀୟ ଦୁର୍ଗାପୂଜାର ପାର୍ବଣ ବେଲବରଣ ଷଷ୍ଠୀରୁ ଆରମ୍ଭ ହୋଥିଲା। ବିଧିବଦ୍ଧଭାବେ ଦେବୀଙ୍କ ପୂଜାର୍ଚ୍ଚନା ସପ୍ତମୀ ଅବସରରେ ଆରମ୍ଭ ହୋଇଛି। ଏହି କ୍ରମରେ ମହାସପ୍ତମୀ ଅବସରରେ ଦେବୀ ଦୁର୍ଗାଙ୍କ ପୂଜା ସହିତ ପାର୍ବଣର ଆସର ଆରମ୍ଭ ହେବା ସହ ବିଭିନ୍ନ ପୂଜା ମଣ୍ଡପରେ ଗହଳୀ ଦେଖିବାକୁ ମିଳିଛି।

ସହର ପ୍ରଶାସନ ସହିତ ପୋଲିସ ପ୍ରଶାସନ ପକ୍ଷରୁ ଷଷ୍ଠୀ ଦିନ ସନ୍ଧ୍ୟାଠାରୁ ସହରର ବିଭିନ୍ନ ସାମ୍ଭାବ୍ୟ ଜନଗହଳୀ ହେବାକୁ ଥିବା ଛକ ଓ ପୂଜା ମଣ୍ଡପଗୁଡ଼ିକରେ ବିଭିନ୍ନ ବର୍ଗର ସୁରକ୍ଷା କର୍ମୀଙ୍କ ସମେତ ପୋଲିସ କର୍ମୀମାନେ ମୁତୟନ ହୋଇଛନ୍ତି। କେତେକ ସ୍ଥାନରେ ସୁରକ୍ଷା କର୍ମୀଙ୍କ ସମେତ ଟ୍ରାଫିକ ପୋଲିସ୍ର କର୍ମୀମାନେ ମଧ୍ୟ ମୂତୟନ ହୋଇଛନ୍ତି। କିଛିଦିନ ପୂର୍ବେ ପ୍ରଶାସନ ପକ୍ଷରୁ ମିଳିତ ବୈଠକର ନିଷ୍ପତ୍ତି ଅନୁଯାୟୀ ଏହି ବ୍ୟବସ୍ଥା ହୋଇଛି।

ରାଉରକେଲା ପୋଲିସର ମୁଖ୍ୟ ତଥା ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ରଙ୍କ ସୂଚନା ମୁତାବକ ଶାନ୍ତି ଶୃଙ୍ଖଳାର ସହିତ ଦୁର୍ଗାପୂଜା ଉତ୍ସବ ପାଳନ ନିମନ୍ତେ ସହରରେ ମୋଟ ୨୪ ପ୍ଲାଟୁନ ପୋଲିସ କର୍ମୀ ମୁତୟନ ହୋଇଛନ୍ତି। ଏହା ସହିତ ୩୦୦ ଗୃହରକ୍ଷୀ ଏବଂ ୧୧ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ଉପ ଆରକ୍ଷୀ ଅଧୀକ୍ଷକଙ୍କ ସହିତ ଅନ୍ୟ ପୋଲିସ ଅଧିକାରୀମାନେ ସାମିଲ ଅଛନ୍ତି। ବିଶେଷ କରି ସେକ୍ଟର-୧୬, ସେକ୍ଟର-୮, ସେକ୍ଟର-୧ ପୂରୁଣା ଓ ସେକ୍ଟର-୨ ପୂଜା ମଣ୍ଡପ, ଇସ୍ପାତ ମାର୍କେଟ, ଟେଲିଫୋନ ଭବନ ଆଦି ସ୍ଥାନରେ ନିର୍ମିତ ଦେବୀଙ୍କ ମୂର୍ତ୍ତି ସହିତ ତୋରଣ ଅଧିକରୁ ଅଧିକ ଶ୍ରଦ୍ଧାଳୁଙ୍କୁ ଆକର୍ଷିତ କରୁଥିବା ଦେଖିବାକୁ ମିଳିଛି। ଏହା ସହିତ ସେକ୍ଟର-୯, ସେକ୍ଟର-୨୦, ଏବିସି ବ୍ଲକ୍ ପୂଜା, ସେକ୍ଟର-୭, ସେକ୍ଟର-୧୭ ଆଦି ସ୍ଥାନର ପୂଜା ଦେଖିବାକୁ ଅଧିକରୁ ଅଧିକ ଗହଳୀ ଦେଖିବାକୁ ମିଳିଛି। ଚଳିତ ବର୍ଷ ପୁଜାକୁ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ କରିବା ନିମନ୍ତେ ପୋଲିସ ଓ ପ୍ରଶାସନ ପକ୍ଷରୁ କେତେକ ସ୍ଥାନରେ ବିଶେଷ ପଦକ୍ଷେପ ସହିତ ଗହଳିକୁ ନିୟନ୍ତ୍ରଣ ବ୍ୟବସ୍ଥା କରାଯାଇଛି।

ଗହଳି ହେଉଥିବା ପୂଜା ମଣ୍ଡପରେ ସିସି କ୍ୟାମେରା ଲଗାଯିବା ସହିତ ଆୟୋଜକମାନଙ୍କୁ ଗହଳୀ ନିୟନ୍ତ୍ରଣ ନିମନ୍ତେ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି। ୨୦୨୨ ମସିହାରେ ହୋଇଥିବା ଦୁର୍ଗାପୂଜା କରୋନା ଜନିତ ସମସ୍ୟାର ଦୁଇବର୍ଷ ପରେ ହୋଇଥିବାରୁ ଏଥିରେ ଗହଳୀ ଅଧିକ ହୋଇ ନଥିଲା। ଚଳିତ ବର୍ଷ କୌଣସି ଅସୁବିଧା ନଥିବାରୁ ଆସନ୍ତା ୩ଦିନ ସହରର ବିଭିନ୍ନ ପୁଜା ମଣ୍ଡପଗୁଡ଼ିକରେ ସନ୍ଧ୍ୟା ସମୟରୁ ରାତ୍ର ପର୍ଯ୍ୟନ୍ତ ଅଧିକରୁ ଗହଳି ହେବ ବୋଲି ସୂଚନା ରହିଛି।