ବରିଷ୍ଠ ରେଳବାଇ ଅଧିକାରିଙ୍କ ଦ୍ୱାରା ରାଉରକେଲା ସମେତ ଆଖପାଖ ରେଳ ଷ୍ଟେସନ ଓ ରେଳବାଇ ଅଞ୍ଚଳ ଗସ୍ତ ଓ ଅନୁଧ୍ୟାନ
1 min read
ଚଳିତମାସ ଶେଷ ସୁଦ୍ଧା ରାଉରକେଲା ରେଳ ଷ୍ଟେସନର ପ୍ଲାଟଫର୍ମ ନମ୍ବର ଛଅ ଏବଂ ସାତ କାର୍ଯ୍ୟ ଶେଷ କରିବାକୁ ଏବଂ ଏହାକୁ ରେଳବାଇକୁ ହସ୍ତାନ୍ତର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦକ୍ଷିଣପୂର୍ବ ରେଳବାଇର ମହାପ୍ରବନ୍ଧକ ଅନିଲ ମିଶ୍ର। ଶନିବାର ରାଉରକେଲା ରେଳ ଷ୍ଟେସନ ସମେତ ଆଖପାଖର ରେଳବାଇ ଅଞ୍ଚଳ ଗସ୍ତ କରି ରେଳବାଇ ପକ୍ଷରୁ ଚାଲୁଥିବା ବିଭିନ୍ନ ଉନ୍ନୟନମୂଳକ୍ କାର୍ଯ୍ୟର ଅନୁଧ୍ୟାନ ଓ ସମୀକ୍ଷା କରିଥିଲେ ଶ୍ରୀ ମିଶ୍ର। ଏହି ସମୟରେ ତାଙ୍କ ସହିତ ଚକ୍ରଧରପୁର ରେଳ ମଣ୍ଡଳର ଡିଆର୍ଏମ୍ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନ ଉପସ୍ଥିତ ଥିଲେ। ଏକ ସ୍ୱତନ୍ତ୍ର ରେଳରେ ସେ ରାଉରକେଲାରେ ଚାଲିଥିବା ପ୍ରାୟ 430 କୋଟି ଟଙ୍କା ମୂଲ୍ୟର ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ସୂଚନା ନେଇଥିଲେ। ଏହା ସହିତ ରାଉରକେଲା ରେଳ ଷ୍ଟେସନର ବିଭିନ୍ନ ଅଞ୍ଚଳ ବୁଲି ଦେଖିଥିଲେ। ଏହାପରେ ସେ ନିକଟବର୍ତ୍ତୀ ବନ୍ଧମୁଣ୍ଡା ରେଳ ଷ୍ଟେସନ ଓ ଆଖପାଖ ଅଞ୍ଚଳ ଅନୁଧ୍ୟାନ କରିଥିଲେ। ଏହାପରେ ରାଉରକେଲାଠାରେ ଚକ୍ରଧରପୁର ଡିଆର୍ଏମ୍ ଅରୁଣ ଜେ ରାଠୋଡଙ୍କ ସମେତ ଅନ୍ୟ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକରେ ଯୋଗଦେଇ ନିର୍ଦ୍ଧାରିତ ସମୟ ମଧ୍ୟରେ ସମସ୍ତ କାର୍ଯ୍ୟ ସାରିବା ପାଇଁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଅବସରରେ ରେଳ ଯାତ୍ରୀଙ୍କ ପାଇଁ କରାଯାଉଥିବା ବିଭିନ୍ନ ସୁବିଧା ସୁଯୋଗ ସମ୍ପର୍କରେ ଶ୍ରୀ ମିଶ୍ର ଗୁରୁତ୍ୱାରୋପ କରିଥିଲେ। ଶ୍ରୀ ମିଶ୍ରଙ୍କ ଗସ୍ତ ସମୟରେ କେତେକ ସ୍ଥାନରେ ହୋଇଥିବା ନିମ୍ନମାନର ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଶ୍ରୀ ମିଶ୍ର ଅସନ୍ତୋଷ ବ୍ୟକ୍ତ କରି କାର୍ଯ୍ୟକୁ ଠିକ୍ଭାବେ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ଗସ୍ତ ସମୟରେ ବରିଷ୍ଠ ରେଳବାଇ ଅଧିକାରୀମାନେ ଚିନ୍ତାରେ ଥିବା ଦେଖିବାକୁ ମିଳିଥିଲା।