ବିବେକାନନ୍ଦ କେନ୍ଦ୍ର ସହଯୋଗରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ନେତୃତ୍ୱ ବିକାଶ କର୍ମଶାଳା
1 min read
ତାମିଲନାଡ଼ୁର କନ୍ୟାକୁମାରୀ ସ୍ଥିତ ବିବେକାନନ୍ଦ କେନ୍ଦ୍ର, ଓଡ଼ିଶା ଶାଖା ସହଯୋଗରେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ନେତୃତ୍ୱ ବିକାଶ ସମ୍ପର୍କୀତ ଏକ କର୍ମଶାଳା ମହାବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀର ପ୍ରତିନିଧି କଞ୍ଚନ ଅଗ୍ରୱାଲ ଯୋଗଦେଇଥିଲେ।

ମହାବିଦ୍ୟାଳୟର ଉପାଧ୍ୟୁତ୍ତର ବାଣିଜ୍ୟ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନେତୃତ୍ୱ ବିକାଶ ସମ୍ପର୍କୀତ ୩ସି ବା ଯୋଗାଯୋଗ ଅର୍ଥାତ୍ କମ୍ୟୁନିକେସନ, ଧ୍ୟାନକେନ୍ଦ୍ରିତ ବା କନସଣ୍ଟ୍ରେସନ ଏବଂ ସମନ୍ୱୟ ଅର୍ଥାତ୍ କୋଅର୍ଡିନେସନ ସମ୍ପର୍କରେ ବିଶେଷ ଆଲୋଚନା ହୋଇଥିଲା। ଏହା ସହିତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ନେତୃତ୍ୱ ବିକାଶର ଗୁରୁତ୍ୱ ଉପଲବ୍ଧି ପାଇଁ ଡମ୍ବରୁ ଦୌଡ, ଛୁଞ୍ଚି ସୂତା ଓ ମାନବ ସହଯୋଗ ଆଦି ଖେଳ କରାଯାଇଥିଲା। ଏହା ସହିତ ଗୋଷ୍ଠୀଗତ ଆଲୋଚନା, ଦୈନନ୍ଦିନ ବ୍ୟବହାରରେ ଦେଶଭକ୍ତିର ଝଲକ, ସ୍ୱତନ୍ତ୍ର ଯୋଗାସନ, ଧ୍ୟାନ ଆଦି ସମ୍ପର୍କୀତ ବିଭିନ୍ନ କୌଶଳର ପ୍ରଦର୍ଶନ ହୋଇଥିଲା। ଏହିସବୁ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କର ନେତୃତ୍ୱ ବିକାଶ ପାଇଁ ଉପସ୍ଥିତ ବକ୍ତାମାନେ ଆଲୋଚନା କରିଥିଲେ।

କାର୍ଯ୍ୟକ୍ରମର ଅନ୍ୟତନ ଆକର୍ଷଣ ଥିଲା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟରେ ଭାଗନେବା ସହ ବରିଷ୍ଠମାନଙ୍କଠାରୁ ସେମାନଙ୍କ ଅନୁଭବ ଓ ଅଭିଜ୍ଞତା ସମ୍ପର୍କରେ ଜ୍ଞାନାର୍ଜନ। ବାଣିଜ୍ୟ ବିଭାଗର ମୁଖ୍ୟ ପ୍ରଫେସର ମାୟାଧର ବାରିକ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ ଦ୍ୱାରା ଛାତ୍ରଛାତ୍ରୀମାନେ ଉପକୃତ ହେବେ ବୋଲି ଆଶାବ୍ୟକ୍ତ କରିଥିଲେ। ଅଧ୍ୟକ୍ଷ ପ୍ରଫେସର ବେହେରା ଏହିଭଳି କାର୍ଯ୍ୟକ୍ରମ ଆୟୋଜନ ପାଇଁ ବିବେକାନଦ କେନ୍ଦ୍ରର ପ୍ରତିନିଧିଙ୍କୁ ଧନ୍ୟବାଦ ଦେବା ସହ ଏହାଦ୍ୱାରା ଛାତ୍ରଛାତ୍ରୀମାନେ ବେଶ୍ ଉପକୃତ ହେବା ସହ ଏହା ତାଙ୍କର ବ୍ୟକ୍ତିତ୍ୱ ଓ ପାଠ୍ୟକ୍ରମ ସମ୍ପର୍କୀତ ବିକାଶରେ ସହାୟକ ହେବ ବୋଲି କହିଥିଲେ। ବାଣିଜ୍ୟ ବିଭାଗର ରାମକୃଷ୍ଣ ଗୌଡ଼ଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଭାଗର ଅଧ୍ୟାପକ ଧିରେନ କୁମାର ମହାନ୍ତ, ଅମୀୟ କୁମାର ଦାସ, ଓ ଉଷାରାଣୀ ସେଠୀ ପ୍ରମୁଖ ଆଲୋଚନାରେ ଭାଗନେଇଥିଲେ। ମହାବିଦ୍ୟାଳୟର ବିଭିନ୍ନ ବିଭାଗର ପ୍ରାଧ୍ୟାପକ ଓ ଅଧ୍ୟାପକଙ୍କ ସମେତ ବିଭିନ୍ନ ବିଭାଗର ସ୍ନାତକ ଓ ସ୍ନାତକୋତ୍ତର ବର୍ଗର ଛାତ୍ରଛାତ୍ରୀମାନେ ଏଥିରେ ଭାଗନେଇଥିଲେ।