ପିଡିଏସ୍ ଚାଉଳ ହଡପକାରୀ ପରିବହନ ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବାକୁ ନେଇ ଜିଲ୍ଲା କଂଗ୍ରେସର ସାମ୍ବାଦିକ ସମ୍ମିଳନୀ
1 min read
ଯୋଗାଣ ବିଭାଗର ଏସ୍ଟିଆଇ ଗୋଦାମରୁ ଗତ ଜୁଲାଇମାସ ୭ ତାରିଖରେ ନୂଆଗାଁ ବ୍ଲକ୍ର କର୍କଟନାସା ପଞ୍ଚାୟତକୁ ଏକ ଟ୍ରକ୍ରେ ୫୦୦ ବସ୍ତା ଚାଉଳ ପଠାଯାଇଥିଲା। ଏହି ଚାଉଳ ସେଠାରେ ପହଞ୍ଚିବା ପରିବର୍ତ୍ତେ ରାସ୍ତାରୁ ଗାୟବ ହୋଇଯାଇଥିଲା। ପରଦିନ ଅର୍ଥାତ ଜୁଲାଇ ୮ ତାରିଖ ସକାଳେ ଲାଠିକଟା ବ୍ଲକ୍ର ବୀରକେରାଠାରେ ଏକ ନିରୋଳା ସ୍ଥାନରେ ଏହି ଟ୍ରକ୍ରୁ ଅନ୍ୟ ଗାଡିରେ ଚାଉଳ ବୋଝୋଇ କରାଯାଉଥିବା ଖବର ପାଇ ରଘୁନାଥପାଲ୍ଲୀ ପୋଲିସ ପହଞ୍ଚିବା ସହିତ ଗାଡିକୁ ଜବତ କରିଥିଲେ। ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର କୁଆଡେ ଖସି ପଳାଇଯାଇଥିବା ବେଳେ ଟ୍ରକ୍ରୁ ୪୧ କୁଇଣ୍ଟାଲ ଚାଉଳ ଗାୟବ ଥିବା ସେତେବେଳେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା । ଏହି ଚାଉଳ ହଡପ ବା ଚୋରି ଘଟଣାର ତଦନ୍ତ ପାଇଁ ଜିଲ୍ଲାପାଳ ଏକ ଟିମ୍ ଗଠନ କରିଥିଲେ । ଟିମ୍ ତଦନ୍ତ ସାରି ରିପୋର୍ଟ ଦେଇଥିଲେ ହେଁ ଗତ ୩ମାସ ହେଲା ଏହି ତଦନ୍ତ ରିପୋର୍ଟକୁ କାହିଁକି ସାଧାରଣରେ ପ୍ରକାଶ କରାଯାଉନାହିଁ ବୋଲି ପିସିସି ସାଧାରଣ ସମ୍ପାଦକ ବିରେନ ସେନାପତି ପ୍ରଶ୍ନ କରିଛନ୍ତି। ପୁନଶ୍ଚ ଅତ୍ୟାବଶ୍ୟକୀୟ ଖାଉଟି ସାମଗ୍ରୀ ହଡପ ଆଇନ୍ (୭ ଇସି ଆକ୍ଟ)ର କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ଏହି ଚାଉଳ ହଡପ ଘଟଣାକୁ ଚୋରି ରୂପ ଦିଆଯାଇ ଥାଇ ପାରେ ବୋଲି ଶ୍ରୀ ସେନାପତି ପ୍ରକାଶ କରି ଯଦି ବାସ୍ତବରେ ଏହା ଏକ ଚୋରି ତାହାଲେ ଗତ ୩ମାସ ଧରି ଫେରାର ଟ୍ରକ୍ ଡ୍ରାଇଭରକୁ କାହିଁକି ଧରାଯାଇପାରୁ ନାହିଁ ବୋଲି ପ୍ରଶ୍ନ କରିଛନ୍ତି । ଅପରପକ୍ଷରେ ଗତ ଜୁଲାଇ ୭ ତାରିଖ ଅପରାହ୍ନ ୩.୩୦ମିନିଟ୍ରେ ଉକ୍ତ ଚାଉଳ ବୋଝେଇ ଟ୍ରକ୍କୁ ଏସ୍ଟିଆଇ ଗୋଦାମରୁ ଗେଟ୍ପାସ ଇସୁ କରାଯାଇଥିଲା ବେଳେ ଉକ୍ତ ଗେଟ୍ପାସରେ ଟ୍ରକ୍ ଡ୍ରାଇଭରର ପୂରା ନାମ ଲେଖା ନଯାଇ କେବଳ ସୋନୁ ଲେଖାଯାଇଛି। ଗେଟ୍ପାସରେ ଟ୍ରକ୍ ଡ୍ରାଇଭରର ମୋବାଇଲ ନମ୍ବର ଓ ଆଧାର ନମ୍ବର ଉଲ୍ଲେଖ ରହିବା ନିୟମ ଥିବାବେଳେ ସେସବୁ ଉଲ୍ଲେଖ କରାଯାଇନାହିଁ । ଟ୍ରକ୍ରେ ବୋଝେଇ ହୋଇଥିବା ପିଡିଏସ୍ ଚାଉଳକୁ ରାସ୍ତାରୁ ହଡପ କରିବା ପାଇଁ ଏପରି ଜାଲ ଗୋଟ୍ପାସ୍ ପ୍ରସ୍ତୁତ କରାଯାଇଥାଇପାରେ ବୋଲି ଶ୍ରୀ ସେନାପତି ପ୍ରକାଶ କରି ଟ୍ରକ୍ର ପ୍ରକୃତ ଡ୍ରାଇଭର କିଏ ବୋଲି ପ୍ରଶ୍ନ କରିଛନ୍ତି। ଆହୁରି ମଧ୍ୟ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଖାଉଟି ସାମଗ୍ରୀ ପରିବହନ ହେଉଥିବା ଟ୍ରକ୍ ଗୁଡିକରେ ଜିପିଏସ୍ ବ୍ୟବସ୍ଥା ରଖିବାର ନିୟମ ଥିବାବେଳେ ଉକ୍ତ ଟ୍ରକ୍ରେ ସେ ବ୍ୟବସ୍ଥା ଥିଲା କି ନାହିଁ ? ଯଦି ନଥିଲା ଯୋଗାଣ ବିଭାଗ ଗୋଦାମ ଦାୟିତ୍ୱରେ ଥିବା ଇନି୍ସପେକ୍ଟର ସେ ଟ୍ରକ୍ରେ ମାଲପରିବହନ ପାଇଁ କିପରି ଅନୁମତି ଦେଲେ ? ପୁନଶ୍ଚ ଟ୍ରକ୍ ଡ୍ରାଇଭର ଟ୍ରକ୍ ଚୋରିହେବା ନେଇ ପରଦିନ ଅର୍ଥାତ ୮ ତାରିଖ ସକାଳେ ଥାନାରେ ରିପୋର୍ଟ କରିଥିବା ଗଣମାଧ୍ୟମରେ ପ୍ରକାଶ ପାଇଛି ଯାହାକି ଆହୁରି ରହସ୍ୟ ଜନକ। କାରଣ ଜୁଲାଇ ୭ ତାରିଖ ଅପରାହ୍ଣ ୩.୩୦ମିନିଟ୍ରେ ଚାଉଳ ବେଝୋଇ ଟ୍ରକ୍ ଏସ୍ଟିଆଇ ଗୋଦାମରୁ ବାହାରି ନୂଆଗାଁ ବ୍ଲକ୍ର କର୍କଟନାସ ପଂଚାୟତକୁ ଯାଇଥିଲା ଯାହାକି ମାତ୍ର ଦୁଇଘଣ୍ଟା ମଧ୍ୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା କଥା। ଟ୍ରକ୍ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପରିବେର୍ତ୍ତ ରାସ୍ତାରୁ କିପରି ଚୋରି ହୋଇଗଲା ଓ ପରଦିନ ସକାଳେ ଉକ୍ତ ଟ୍ରକ୍ର ଡ୍ରାଇଭର ଚୋରିହୋଇଥିବା ଜାଣିଲା ପରେ ଥାନାରେ ରିପୋର୍ଟ କଲେ ତାହା ମଧ୍ୟ ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ଆହୁରି ବିସ୍ମୟକର କଥା ହେଉଛି ଜୁଲାଇ ୭ ତାରିଖ ସନ୍ଧ୍ୟାସୁଦ୍ଧା ଚାଉଳ ଟ୍ରକ୍ କର୍କଟନାସା ପଞ୍ଚାୟରରେ ପହଞ୍ଚି ନଥିଲେ ମଧ୍ୟ ନୂଆଗାଁ ବ୍ଲକ୍ର ମାର୍କେଟିଂ ଇନି୍ସପେକ୍ଟର ପରଦିନ ଅର୍ଥାତ ୮ ତାରିଖ ଅପରାହ୍ଣରେ ରଘୁନାଥପାଲି ଥାନାରେ ରିପୋର୍ଟ କରିବା। ମାର୍କେଟିଙ୍କ ଇନି୍ସପେକ୍ଟର ଥାନାରେ ରିପୋର୍ଟ କରିବା ପାଇଁ କାହିଁକି ୨୪ଘଣ୍ଟା ସମୟ ନେଲେ ଏବଂ ଏଥିପାଇଁ ତାଙ୍କୁ କିଏ ବାରଣ କରିଥିଲା ବୋଲି ଶ୍ରୀ ସେନାପତି ପ୍ରଶ୍ନକରି ସଂପୃକ୍ତ ପରିବହନ ଠିକାସଂସ୍ଥା ଯୋଗାଣ ବିଭାଗର ଅଧିକାରୀଙ୍କ ସହିତ ମିଶି ସାଧାରଣ ବଣ୍ଟନ ବ୍ୟବସ୍ଥାର ଚାଉଳ ହଡପ କରୁଛନ୍ତି ବୋଲି କହିଛନ୍ତି। ଏହି ଗାୟବ ହୋଇଥିବା ୪୧ କୁଇଣ୍ଟାଲ ଚାଉଲ ଅଦ୍ୟାବଧି ସଂପୃକ୍ତ ପରିବହନକାରୀ ଠିକାସଂସ୍ଥାଠାରୁ ଆଦାୟ କରାଯାଇ ନଥିଲା ବେଳେ ଠିକାସଂସ୍ଥାର ଟ୍ରକ୍କୁ କେବଳ ଜବତ କରାଯାଇ ଥାନାରେ ରଖାଯାଇଛି। ଠିକାସଂସ୍ଥାକୁ ଜିଲ୍ଲାରେ କଳା ତାଲିକାଭୁକ୍ତ କରିବା ପରିବର୍ତ୍ତେ କେବଳ ସଂସ୍ଥାର ପରିବହନ ଲାଇସେନ୍ସକୁ ନିଲମ୍ବନ କରାଯାଇଛି। ଏହି ଘଟଣାରୁ ଜିଲା ପ୍ରଶାସନ ତଥା ବିଭାଗୀୟ କର୍ତ୍ତୃପକ୍ଷଙ୍କ ସଂପୃକ୍ତ ଠିକାସଂସ୍ଥା ପ୍ରତି ଅହେତୁକ ଅନୁକମ୍ପା ବାରି ହୋଇପଡୁଛି। ତେଣୁ ଏହି ଚାଉଳ ହଡପ ବା ଚୋରି ଘଟଣାର ତଦନ୍ତ ରିପୋର୍ଟକୁ ତୁରନ୍ତ ସାଧାରଣରେ ପ୍ରକାଶ କରିବା ସହିତ ଫେରାର ଥିବା ଟ୍ରକ୍ ଡ୍ରାଇଭରକୁ ଅବିଳମ୍ବେ ଗିରଫ କରିବା ପାଇଁ ଶ୍ରୀ ସେନାପତି ଦାବି କରିଛନ୍ତି । ତେଣୁ ଏହି ଘଟଣାରେ ଭିଜିଲାନ୍ସ ଡିଜି ହସ୍ତକ୍ଷେପ କରି ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ସେନାପତି ଦାବୀ କରିଛନ୍ତି। ଏହି ସମ୍ପର୍କରେ ଆୟୋଜିତ ସମ୍ବାଦିକ ସମ୍ମିଳନୀରେ କଂଗ୍ରେସର ରାଉରକେଲା ଜିଲ୍ଲା ସଭାପତି ଦେବବିହାରୀ, ବରିଷ୍ଠ କଂଗ୍ରେସ ନେତା ରବି ରାୟ, ଯୁବ ନେତା ରଶ୍ମୀ ପାଢୀଙ୍କ ସମେତ ବରିଷ୍ଠ ନେତା ସବିର ହୁସେନ୍, କୈଳାସ ସାହୁ ଓ ପ୍ରଭାତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।