ଆର୍‌ଏସ୍‌ପି ଦ୍ୱାରା ଆୟୋଜିତ ‘ଏକ ତାରିଖ, ଏକ ଘଣ୍ଟା, ଏକ ସାଥ’ ଅଭିଯାନରେ ସହସ୍ରାଧିକ ଲୋକଙ୍କ ଅଂଶଗ୍ରହଣ

1 min read
Spread the love

ଇସ୍ପାତ ସହର ରାଉରକେଲାର ସହସ୍ରାଧିକ ବାସିନ୍ଦା ଅବଶିଷ୍ଟ ଦେଶବାସୀଙ୍କ ସହିତ ଅକ୍ଟୋବର ୧ ତାରିଖରେ ‘ଏକ ତାରିଖ, ଏକ ଘଣ୍ଟା, ଏକ ସାଥ’ ଅଭିଯାନରେ ଅଂଶଗ୍ରହଣ କରି ଶ୍ରମଦାନ କରିଥିଲେ। ଇସ୍ପାତ ସେଣ୍ଟ୍ରାଲ ମାର୍କେଟ, ଅଭିରାମପାଲୀ ବସ୍ତି ଏବଂ ଆଇଜି ପାର୍କ ପ୍ରାଣୀ ଉଦ୍ୟାନ ନିକଟରେ ଚାରୋଟି ପୂର୍ବ ନିର୍ଦ୍ଧାରିତ ସ୍ଥାନରେ ଏହି ସଫେଇ ଅଭିଯାନ ଅନୁଷ୍ଠିତ ହୋଇଥିଲା।

ଆରଏସପି ଓ ବୋକାରୋ ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ଏହି ସ୍ବଚ୍ଛତା ଅଭିଯାନର ନେତୃତ୍ୱ ନେଇଥିଲେ। ତାଙ୍କ ସହ କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଏସ ଆର ସୂର୍ଯ୍ୟବଂଶୀ, ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ସୋମନାଥ ତ୍ରିପାଠୀ, କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ତରୁଣ ମିଶ୍ର, ଖଣି ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଆଲୋକ ବର୍ମା, ତଥା ଆରଏସପି ର ବହୁ ଅନ୍ୟ ବରିଷ୍ଠ ଅଧିକାରୀ, ଇସ୍ପାତ ସେଣ୍ଟ୍ରାଲ ମାର୍କେଟର କର୍ମକର୍ତ୍ତା, ୧୬ଟି ସ୍ଵେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟଗଣ ଏବଂ ସର୍ବସାଧାରଣ ଏହି ଅଭିଯାନରେ ସାମିଲ ହୋଇଥିଲେ। ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛତା ଆହ୍ୱାନରେ ଏହି ଅଭିଯାନ ଆରମ୍ଭ ହୋଇଛି ଯାହା ମାଧ୍ୟମରେ ନାଗରିକମାନଙ୍କୁ ଅକ୍ଟୋବର ୧ ତାରିଖ ସକାଳ ୧୦ ଘଟିକାରୁ ୧୧ ଘଟିକା ପର୍ଯ୍ୟନ୍ତ ମହାତ୍ମା ଗାନ୍ଧୀଙ୍କୁ ‘ସ୍ଵଚ୍ଛାଞ୍ଜଳି’ ଭାବରେ ଏକ ଘଣ୍ଟା ଶ୍ରମଦାନ ଦେବାକୁ ନିବେଦନ କରାଯାଇଛି।

ଏହି ଅବସରରେ ଡିଆଇସି କହିଥିଲେ ଯେ, “ଜନ ଭାଗିଦାରୀ କିମ୍ବା ଲୋକମାନଙ୍କର ସକ୍ରିୟ ଅଂଶଗ୍ରହଣ ହେଉଛି ସ୍ୱଚ୍ଛ ଭାରତ ଅଭିଯାନର ସଫଳତାର ମୂଳ ମନ୍ତ୍ର। ତେଣୁ ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଯେ ସ୍ବଚ୍ଛତା ହିଁ ପବିତ୍ରତାର ବାର୍ତ୍ତା ଦେଇଥିବା ଗାନ୍ଧୀଜୀଙ୍କ ସ୍ଵଚ୍ଛ ଭାରତର ସ୍ୱପ୍ନକୁ ସାକାର କରିବା ପାଇଁ ଏହି ଅଭିଯାନରେ ସକ୍ରିୟ ଭାବରେ ଯୋଗ ଦିଅନ୍ତୁ। ଆସନ୍ତୁ ଆମେ ସମସ୍ତେ ମିଳିମିଶି ଆମର ଇସ୍ପାତ ସହରକୁ ଅଧିକ ସ୍ବଚ୍ଛ ସୁନ୍ଦର ଗଢିବା ସହିତ ଦେଶର ଅନ୍ଯତମ ଆଦର୍ଶ ସହର ରୂପେ ପ୍ରତିପାଦିତ କରିବା।”

ଏହାପୂର୍ବରୁ ସହର ପ୍ରଶାସନ ଓ ସିଏସଆର ବିଭାଗର ସିଜିଏମ ଶ୍ରୀ ପି କେ ସ୍ଵାଇଁ ଉତ୍ସବରେ ଉପସ୍ଥିତ ସମସ୍ତଙ୍କୁ ସ୍ବଚ୍ଛତା ହିଁ ସେବା ଶପଥ ପାଠ କରାଇଥିଲେ। ଚାରିଟି ଭାଗରେ ବିଭକ୍ତ ହୋଇ ଅଂଶଗ୍ରହଣକାରୀମାନେ ନିର୍ଦ୍ଧାରିତ ସ୍ଥାନରେ ବ୍ୟାପକ ସ୍ୱଚ୍ଛତା ଅଭିଯାନରେ ସାମିଲ ହୋଇଥିଲେ ଏବଂ ବର୍ଜ୍ୟ ଅଳିଆ ଆବର୍ଜନାଗୁଡିକୁ ପୂର୍ବ ବ୍ୟବସ୍ଥିତ ବିନରେ ସଂଗ୍ରହ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!