ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲାରେ ସ୍ବଚ୍ଛତା ପାଇଁ ଶ୍ରମଦାନ କାର୍ଯ୍ୟକ୍ରମ ଆୟୋଜିତ
1 min read
ରାଉରକେଲା ସହରର ସରକାରୀ ସ୍ବୟଂ ଶାସିତ ମହାବିଦ୍ୟାଳୟ, ରାଉରକେଲାରେ ସ୍ବଚ୍ଛତା ପାଇଁ ଶ୍ରମଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ନଅ ବର୍ଷ ପୂର୍ବେ ଆରମ୍ଭ କରାଯାଇଥିବା ସ୍ବଚ୍ଛଭାରତ କାର୍ଯ୍ୟକ୍ରମର ପୂର୍ତ୍ତି ଉପଲକ୍ଷେ ରବିବାର ମହାବିଦ୍ୟାଳୟର ରାଷ୍ଟ୍ରୀୟ ସେବା ଯୋଜନାର ସଂଯୁକ୍ତ ଶାଖା ପକ୍ଷରୁ ବାଳକ ବିଭାଗର ସଂଯୋଜକ ଅଧ୍ୟାପକ ସମିର ସୌରଭ ପୃଷ୍ଟି ଏବଂ ବାଳିକା ବିଭାଗର ସଂଯୋଜିକା ଅଧ୍ୟାପିକା ରାମେଶ୍ବରୀ ଭୋଇଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ହୋଇଥିଲା।

ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ବିଜୟ କୁମାର ବେହେରାଙ୍କ ମାର୍ଗଦର୍ଶନରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ରାଷ୍ଟ୍ରୀୟ ସେବା ଯୋଜନାର ସ୍ବେଚ୍ଛାସେବୀ ଯୋଗ ଦେଇ ମହାବିଦ୍ୟାଳୟ ପରିସର ସହିତ ଛାତ୍ରାବାସ ଓ ଛାତ୍ରୀନିବାସ ଆଦି ସ୍ଥାନରେ ସ୍ବଚ୍ଛତା ପାଇଁ ଏକ ଘଣ୍ଟାର ଶ୍ରମଦାନ କରିଥିଲେ । ଏହି ଅବସରରେ ‘ସ୍ବଚ୍ଛତା ହିଁ ସେବା’ ସମ୍ପର୍କୀତ ଶପଥ ପାଠ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଛାତ୍ରାବାସର ଭାରପ୍ରାପ୍ତ ଅଧିକାରୀ ତଥା ଅଧ୍ୟାପକ ଅଜୟ କୁମାର ବେହେରା ଏବଂ ସନିରାମ କେର୍କେଟ୍ଟା ଏବଂ ଛାତ୍ରୀନିବାସର ଭାରପ୍ରାପ୍ତ ଅଧିକାରୀ ଅଧ୍ୟାପିକା ମମତା ବାକ୍ସଲା , ପ୍ରଦୀପ ଖେସ ଓ ଆଭାସ କୁମାର ହୋତା ପ୍ରମୁଖ ନେତୃତ୍ବ ନେଇଥିଲେ । ଏଥିରେ ମହାବିଦ୍ୟାଳୟର ଯୁକ୍ତ ଦୁଇ ସହିତ ସ୍ନାତକ ଏବଂ ସ୍ନାତକୋତ୍ତର ବିଭାଗର ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ ଯୋଗଦେଇ ସ୍ବଚ୍ଛତା କାର୍ଯ୍ୟକ୍ରମରେ ଭାଗ ନେବା ସହ ମହାବିଦ୍ୟାଳୟ ଓ ଛାତ୍ରାବାସ ଆଦି ସ୍ଥାନକୁ ସଫା କରିଥିଲେ ।