ଶାନ୍ତିଶୃଙ୍ଖଳାର ସହ ପାଳିତ ହେଲା ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ କାର୍ଯ୍ୟକ୍ରମ
1 min read
ରାଉରକେଲା ସହରର ମୁଖ୍ୟ ରାସ୍ତାରେ ଇସ୍ଲାମ ଧର୍ମର ପ୍ରବର୍ତ୍ତକ ଓ ପ୍ରଚାରକ ମହାପୁରୁଷ ମହମ୍ମଦଙ୍କ ଜୟନ୍ତୀ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ମୁଖ୍ୟତଃ ମୁସଲମାନଙ୍କ ଦ୍ୱାରା ପାଳିତ ଏହି ପର୍ବରେ ସହରର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଯୋଗଦେଇଥିଲେ।

ଏହି ଅବସରରେ ପ୍ରମୁଖ ଆକର୍ଷଣ ଥିଲା ମିଳିତ ଶୋଭାଯାତ୍ରା। ମହାପୁରୁଷ ମହମ୍ମଦଙ୍କ ବାଣି ସହିତ ତାଙ୍କର ବାର୍ତ୍ତା ଏବଂ ଇଶ୍ୱରଙ୍କୁ ଭଲପାଇବା ଆଦି ସମ୍ପର୍କରେ ଏହି ଅବସରରେ ବାର୍ତ୍ତା ଦିଆଯାଇଥିଲା। ରାଉରକେଲା ସଂହତି ଫୋରମର ବରିଷ୍ଠ ସଦସ୍ୟ ବିଲାଲ ଅହମ୍ମଦ, ସହରର ବିଭିନ୍ନ ବର୍ଗର ବିଶିଷ୍ଟ ବ୍ୟକ୍ତିତ୍ୱମାନଙ୍କ ସମେତ ସଂହତି ଫୋରମ୍ର ସଦସ୍ୟମାନେ ଏଥିରେ ଯୋଗଦେଇଥିଲେ।

ସ୍ଥାନୀୟ ଆରକ୍ଷୀ ଅଧୀକ୍ଷକ ମିତ୍ରଭାନୁ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ୧୪ପ୍ଲାଟୁନ ପୋଲିସ ଓ ସୁରକ୍ଷା କର୍ମୀ ଏବଂ ପୋଲିସ ଅଧିକାରୀମାନେ ଏହି ଅବସରରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ନିୟୋଜିତ ହୋଇଥିଲେ। ସକାଳ ପ୍ରାୟ ୯ଟାରୁ ଆରମ୍ଭ ହୋଇଥିବା ଶୋଭାଯାତ୍ରା ଅପରାହ୍ଣ ପ୍ରାୟ ୨ଟା ପର୍ଯ୍ୟ ସହରର ମୁଖ୍ୟ ରାସ୍ତା ସମେତ ବିଶ୍ରା ଛକ ଓ ଅନ୍ୟାନ୍ୟ ସ୍ଥାନ ପରିକ୍ରମା କରିଥିଲା।

ଏଥିରେ ହଜାର ହଜାର ସଂଖ୍ୟାରେ ବିଭିନ୍ନ ବର୍ଗର ଶ୍ରଦ୍ଧାଳୁ ଓ ସହରବାସୀ ଯୋଗଦେଇ କ୍ଷୁଦ୍ରଭାରତର ସହରଭାବେ ପରିଚିତ ରାଉରକେଲାର ଭାଇଚାରାର ପ୍ରଦର୍ଶନ କରିଥିଲେ। ଶୋଭାଯାତ୍ରାରେ ଯୋଗଦେଇଥିବା ସହରବାସୀଙ୍କୁ ବିଭିନ୍ନ ସ୍ଥାନରେ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା।