ରାଉରକେଲା ଶିଳ୍ପ ଓ ବଣିକ ସଂଘ ପକ୍ଷରୁ ବିଭିନ୍ନ ପ୍ରସଙ୍ଗକୁ ନେଇ ଆର୍ଏସ୍ପି ଡିଆଇସିଙ୍କ ସହିତ ଆଲୋଚନା
1 min read
ରାଉରକେଲା ଶିଳ୍ପ ଓ ବଣିକ ସଂଘର ସଭାପତି ସୁନୀଲ କାୟଲଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଉରକେଲା ଇସ୍ପାତ କାରଖାନାର ମୁଖ୍ୟ ତଥା ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି । ଏହି ଆଲୋଚନାରେ କ୍ଷୁଦ୍ର ଓ ମଧ୍ୟମ ଧରଣ ଶିଳ୍ପ ସଂସ୍ଥା ସହିତ ଆର୍ଏସପିର ସହଭାଗିତା ଓ ଏହି ଶିଳ୍ପ ସଂସ୍ଥାଗୁଡ଼ିକୁ ଆର୍ଏସପିର ସହଯୋଗ ପାଇଁ ଆଲୋଚନା ହୋଇଥିଲା । ସମସ୍ତ ପ୍ରସଙ୍ଗରେ ଅବଗତ ହେବା ପରେ ଶ୍ରୀ ଭୌମିକ ଆବଶ୍ୟକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ଏହା ସହିତ ଆସନ୍ତା ମାସରେ ଶ୍ରୀ ଭୌମିକ ଆର୍ଏସପିର ବରିଷ୍ଠ ଅଧିକାରୀଙ୍କୁ ନେଇ ସଂଘର କାର୍ଯ୍ୟାଳୟରେ ସଂଘର କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ଭେଟି ଆଲୋଚନା କରିବେ ବୋଲି ସୂଚନା ଦିଆଯାଇଛି । ଶ୍ରୀ ଭୌମିକଙ୍କ ସହିତ ହୋଇଥିବା ଆଲୋଚନା ସମୟରେ ସଂଘର ଉପସଭାପତି ଗୁର୍ମିତ ସିଂହ ଓ ରିଶି ଆର୍ୟା , ସାଧାରଣ ସମ୍ପାଦକ ପ୍ରଭାତ ଟିବ୍ରେୱାଲ ଓ ସେଲ୍ ସଂଯୋଜକ ସମିତିର ସମ୍ପାଦକ ରାଜୁ ମିତ୍ତଲ ପ୍ରମୁଖ ଉପସ୍ଥିତ ଥିଲେ ।