ରିମ୍ସ ଶିକ୍ଷାନୁଷ୍ଠାନର ନୂତନଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ସ୍ୱାଗତ
1 min read
ରାଉରକେଲା ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ- ରିମ୍ସର ସୌର୍ଯ୍ୟ ପଟ୍ଟନାୟକ କକ୍ଷରେ ସ୍ନାତକୋତ୍ତର ମ୍ୟାନେଜମେଣ୍ଟ ଓ କମ୍ପ୍ୟୁଟର ଆପ୍ଲିକେସନ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ହୋଇଯାଇଛି। ଏଥିରେ ପ୍ରଫେସର ଝେଲମ୍ ନାୟକଙ୍କ ଦ୍ୱାରା ଶ୍ରୀମା ଶ୍ରୀଅରବିନ୍ଦଙ୍କ ମହାକାବ୍ୟ ସାବିତ୍ରୀ ପଠନ କରାଯାଇଥିଲା। ନାମଲେଖା ବିଭାଗର ବିଭାଗୀୟ ମୁଖ୍ୟ ପ୍ରେଫେସର ତ୍ରିଲୋଚନ ଜେନାଙ୍କ ଦ୍ୱାରା ପାଠ୍ୟକ୍ରମ ବିଭାଗର ମୁଖ୍ୟ ଡ. ସନ୍ତୋଷ କୁମାର ବିଶ୍ୱାଳ ଏବଂ ପ୍ରଫେସର ବିଭୁଦେନ୍ଦୁ ପଣ୍ଡାଙ୍କୁ ନିର୍ଦ୍ଦେଶକ ପ୍ରଫେସର ଡକ୍ଟର କରୁଣାକର ପାତ୍ରଙ୍କ ଉପସ୍ଥିତିରେ ନବାଗତ ଛାତ୍ରଛାତ୍ରୀଙ୍କ ବିବରଣୀ ହସ୍ତାନ୍ତର କରାଯାଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷା ଶ୍ରୀମତୀ ନଳିନୀପ୍ରଭା ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ସେ ନିଜ ବକ୍ତବ୍ୟରେ ମ୍ୟାନେଜମେଣ୍ଟ ଓ କମ୍ପ୍ୟୁଟର ଆପ୍ଲିକେଶନ୍ କ୍ଷେତ୍ରରେ ଦେଶବିଦେଶରେ ରିମସର 40ବର୍ଷର ଅବଦାନ ବିଷୟରେ ଅବଗତ କରାଇଥିଲେ। ଆଜିର ନୂତନ ଶିକ୍ଷାପଦ୍ଧତି ପ୍ରଚଳନ ପାଇଁ ସରକାରୀ ସ୍ତରରେ ଯେଉଁ ପଦକ୍ଷେପ ନିଆଯାଉଛି ସେ ଦିଗରେ ରିମସ ବିଗତ 3-4 ଦଶନ୍ଧିରୁ କାର୍ଯ୍ୟ କରିଆସୁଛି ବୋଲି ଶ୍ରୀମତୀ ପଟ୍ଟନାୟକ କହିଥିଲେ। ଓଡ଼ିଶା ମ୍ୟାନେଜମେଣ୍ଟ କଲେଜ ସଂଘର ସଭାପତି ତଥା ରିମସର ସମ୍ପାଦକ ଡ.ଆର୍ଯ୍ୟ ପଟ୍ଟନାୟକ ନିଜର ବକ୍ତବ୍ୟରେ ଛାତ୍ରଛାତ୍ରୀଙ୍କୁ ମ୍ୟାନେଜମେଣ୍ଟ ଓ କମ୍ପ୍ୟୁଟର ଆପ୍ଲିକେଶନ୍ କ୍ଷେତ୍ରରେ ଶୈକ୍ଷଣୀୟ ଉତ୍କୃଷ୍ଟତା, ସାମଗ୍ରୀକ ବିକାଶ, ଅନୁସନ୍ଧାନ ଏବଂ ଅଭିନବ, ବୈଶ୍ୱିକ ଦୃଷ୍ଟିକୋଣ, ନୈତିକ ମୂଲ୍ୟବୋଧର ଆବଶ୍ୟକତା ଏବଂ ଦେଶବିଦେଶରେ ଏହାର ଚାହିଦା ସମ୍ବନ୍ଧୀୟ ଅବଗତ କରାଇଥିଲେ। ଏଥିରେ ରିମସ ନିର୍ଦ୍ଦେଶକ, ଡିନ୍ ଏକାଡେମୀ, ଅନୁସନ୍ଧାନ ଓ ବିକାଶ ବିଭାଗର ନିର୍ଦ୍ଦେଶକଙ୍କ ସମେତ ପିଜି ବିଭାଗୀୟ ମୁଖ୍ୟ ନିଜନିଜ ବକ୍ତବ୍ୟ ରଖିଥିବାବେଳେ ଷ୍ଟୁଡେଣ୍ଟ ଆଫେୟାର୍ସ ବିଭାଗୀୟ ମୁଖ୍ୟ ପ୍ରଫେସର ସିଦ୍ଧାର୍ଥ ଶଙ୍କର ପ୍ରଧାନ ଶିକ୍ଷାକ୍ଷେତ୍ରରେ ଶୃଙ୍ଖଳା ସମ୍ବନ୍ଧୀୟ ପରାମର୍ଶ ପ୍ରଦାନ କରିଥିବାବେଳେ ପ୍ରଫେସର ତ୍ରିଲୋଚନ ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ଅର୍କ କୁମାର ଦାସ ମହାପାତ୍ର ଯୋଗଦେଇଥିଲେ। ସେ ତାଙ୍କ ବକ୍ତବ୍ୟରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ ବିଭିନ୍ନ ଉପାଦେୟ ପରାମର୍ଶ ଦେଇଥିଲେ। ଏଥିରେ ଅନ୍ୟତମ ବକ୍ତା ଭାବେ କଗ୍ନିଜାଣ୍ଟ ବିଜନେସ ସଲ୍ୟୁସନ ହେଲଥ କେୟାର, ଡିଜିଟାଲ ବିଜନେସ ଅପରେସନର କୋଲ୍କାତା ସହଯୋଗୀ ନିର୍ଦ୍ଦେଶକ ଚୟନ ପନ୍ତ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ବିଜିନେସ ମ୍ୟାନେଜମେଣ୍ଟ ବିଭାଗର ଛାତ୍ରଛାତ୍ରୀମାନଙ୍କୁ ଶିଳ୍ପ ଉଦ୍ୟୋଗରେ କାର୍ଯ୍ୟ କରିବା ସମ୍ପର୍କରେ ସର୍ବଦା ସମସ୍ୟାର ସମାଧାନ ନିମନ୍ତେ ଆଗ୍ରହର ସହିତ କାର୍ଯ୍ୟ କରିବା ପାଇଁ ଆହ୍ୱାନ ଦେଇଥିଲେ।