ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ ପାଳିତ
1 min read
ରାଉରକେଲା ସହରର ପାନପୋଷ ସ୍ଥିତ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ସ୍ନାତକୋତ୍ତର ରାଜନୀତି ବିଜ୍ଞାନ ପକ୍ଷରୁ ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଜୟ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ସଭା ହୋଇଥିଲା। ହଜାର ହଜାର ବର୍ଷ ଧରି ଭାରତର ଗଣତନ୍ତ୍ର ଓ ଗଣତାନ୍ତ୍ରିକ ବ୍ୟବସ୍ଥା ବିଶ୍ୱବାସୀଙ୍କ ପାଇଁ ଉଦାହରଣ ବୋଲି ପ୍ରଫେସର ବେହେରା କହିଥିଲେ। ୨୦୦୮ ମସିହା ସେପ୍ଟେମ୍ବର ମାସରୁ ପାଳିତ ହେଉଥିବା ଏହି ଦିବସ ମାଧ୍ୟମରେ ଗଣତାନ୍ତ୍ରିକ ମୂଲ୍ୟବୋଧ ସହିତ ଗଣତନ୍ତ୍ର ବ୍ୟବସ୍ଥାର ପ୍ରଚାର ଓ ପ୍ରସାର ସମ୍ପର୍କରେ ପ୍ରଫେସର ବେହେରା ଆଲୋଚନା କରିଥିଲେ। ଏଥିରେ ମୁଖ୍ୟବକ୍ତାଭାବେ ବେଦବ୍ୟାସ ମହାବିଦ୍ୟାଳୟର ରାଜନୀତି ବିଭାଗର ଅଧ୍ୟାପିକା କରମଜିତ କୌର ଯୋଗଦେଇ ଗଣତାନ୍ତ୍ରିକ ବ୍ୟବସ୍ଥାର ସୁଦୃଢ଼ୀକରଣ ତଥା ପ୍ରଚାର ଓ ପ୍ରସାର ଦିଗରେ ଯୁବକମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ।

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗ ମୁଖ୍ୟ ଚୌଧୁରୀ ପ୍ରଦୋଷ ରଞ୍ଜନ ଗଣତାନ୍ତ୍ରିକ ଶାସନ ଓ ବ୍ୟବସ୍ଥାରେ ଯୁବକମାନଙ୍କ ସଚେତନତାର ଗୁରୁତ୍ୱ ସମ୍ପର୍କରେ ମତ ରଖିଥିଲେ। ବିଭାଗର ବରିଷ୍ଠ ପ୍ରାଧ୍ୟାପିକା ରାମେଶ୍ୱରୀ ଭୋଇ ଦିବସ ପାଳନର ଆବଶ୍ୟକତା, ଗୁରୁତ୍ୱ ଓ ଉପଯୋଗୀତା ସମ୍ପର୍କରେ ଆଲୋଚନା କରିବା ସହ ସଭାକାର୍ଯ୍ୟର ସଞ୍ଚାଳନ କରିଥିଲେ।

ଏହା ସହିତ ଚଳିତ ବର୍ଷ ଏହି ଦିବସ ପାଳନର ପ୍ରସଙ୍ଗ ବା ଥିମ୍- ‘ପରବର୍ତ୍ତୀ ପିଢ଼ୀର ମର୍ଯ୍ୟାଦା’ ସମ୍ପର୍କରେ ଉପସ୍ଥିତ ଅତିଥି ଓ ବକ୍ତାମାନେ ଉଦ୍ବୋଧନ ଦେଇଥିଲେ। ଏଥିରେ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀଙ୍କ ସମେତ ଅନ୍ୟ ଛାତ୍ରଛାତ୍ରୀ ଏବଂ ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକାମାନେ ଯୋଗଦେଇଥିଲେ। ଶେଷରେ ରାଜନୀତି ବିଜ୍ଞାନର ଅଧ୍ୟାପିକା ରଞ୍ଜିତା ବଡ଼ାଇକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ମହାବିଦ୍ୟାଳୟର ବିଭିନ୍ନ ସ୍ଥାନରେ ଗଣତନ୍ତ୍ର, ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଗଣତନ୍ତ୍ର ବ୍ୟବସ୍ଥାକୁ ସଂପ୍ରସାରଣ ସମ୍ପର୍କୀତ ବିଭିନ୍ନ ସଚେତନତା ମୂଳକ ପ୍ରଚାରପତ୍ର ପ୍ରଦର୍ଶନ କରାଯାଇ ବାର୍ତ୍ତା ଦିଆଯାଇଥିଲା।