ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଗୁରୁଦିବସ ପାଳିତ
1 min read
”ଆମର ଭବିଷ୍ୟତ ଗଠନ ଦିଗରେ ଶିକ୍ଷକମାନଙ୍କର ଅବିଶ୍ଵସନୀୟ ଅବଦାନ” ରହିଛି ବୋଲି ଗୁରୁଦିବସ ପାଳନ ଅବସରରେ ଆରଏସପି ଓ ବୋକାରୋ ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ-ଶ୍ରୀ ଭୌମିକ
ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ, ଆର.ଏସ୍.ପିର ସହର ସେବା-ଶିକ୍ଷା ବିଭାଗ ପକ୍ଷରୁ ସେପଟେମ୍ବର ୫ ତାରିଖ ଦିନ ସିଭିକ ସେଣ୍ଟରରେ ଆୟୋଜିତ ଏକ ଗୁରୁଦିବସ ଉତ୍ସବରେ ”ଆମର ଭବିଷ୍ୟତ ଗଠନ ଦିଗରେ ଶିକ୍ଷକମାନଙ୍କର ଅବିଶ୍ଵସନୀୟ ଅବଦାନ” ରହିଛି ବୋଲି ମନ୍ତବ୍ୟ ଦେଇଥିଲେ । ଭାରତର ଦ୍ଵିତୀୟ ରାଷ୍ଟ୍ରପତି ତଥା କିମ୍ବଦନ୍ତୀ ପୁରୁଷ ଓ ଦୂରଦୃଷ୍ଟିସଂପନ୍ନ ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କୁ ତାଙ୍କର ଜନ୍ମବାର୍ଷିକୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଜଳି ଅର୍ପଣ କରିବା ନିମନ୍ତେ ଏହି ଉତ୍ସବ ଆୟୋଜନ ହୋଇଥିଲା ।
ଏହି ଅବସରରେ ଶ୍ରୀ ଭୌମିକ, ମୁଖ୍ୟଅତିଥି ରୂପେ ଯୋଗ ଦେଇଥିବା ବେଳେ ସେକ୍ଟର ୨୦ସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ମହାନ୍ତି, ଅତିଥି ବକ୍ତା ରୂପେ ଉପସ୍ଥିତ ଥିଲେ। ଏଥିରେ କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଏସ.ଆର.ସୂର୍ଯ୍ୟବଂଶୀ, କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପି.କେ.ଶତପଥୀ, ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପି.କେ.ସାହୁ, ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ସୋମନାଥ ତ୍ରିପାଠୀ, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ବି.କେ.ହୋତା, ଖଣି ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଆଲୋକ ବର୍ମା, ସହର ପ୍ରଶାସନ ଓ ସିଏସ୍ଆର ବିଭାଗର ସିଜିଏମ୍ ପି.କେ.ସ୍ବାଇଁ, ଇସ୍ପାତ ବିଦ୍ୟାମନ୍ଦିରର ପ୍ରଧାନ ଶିକ୍ଷକ କେ.ନାୟକ, ସେକ୍ଟର ୨୦ସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଡ ସୁଶ୍ରିତା ଦାସ, ଆର.ଏସ.ପିର ବହୁ ବରିଷ୍ଠ ଅଧିକାରୀ ତଥା ରାଉରକେଲାର ବହୁସଂଖ୍ୟକ ଶିକ୍ଷକ-ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ମୁଖ୍ୟ ଅତିଥି ଓ ଅନ୍ୟ ଅତିଥିମାନେ ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ଜଳନ ସହ ଉତ୍ସବର ଉଦ୍ଘାଟନ କରି ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ୍ଙ୍କ ପ୍ରତିଛବିରେ ତାଙ୍କ ଜନ୍ମ ବାର୍ଷିକୀ ଅବସର ରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ତାଙ୍କ ଅଭିଭାଷଣରେ ଶ୍ରୀ ଭୌମିକ ଶିକ୍ଷକମାନଙ୍କର ନୂତନ ଜ୍ଞାନ କୌଶଳ ରେ ଦକ୍ଷତା ହାସଲ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ ଯାହା ଦ୍ୱାରା ଶିକ୍ଷା ପ୍ରକ୍ରିୟାରେ ଉନ୍ନତି ହୋଇପାରିବ ଏବଂ ବିଭିନ୍ନ ଆଧୁନିକ ଗ୍ୟାଜେଟ୍ ଏବଂ ଉନ୍ନତ ପ୍ରଣାଳୀରେ ଦକ୍ଷ ଥିବା ଆଜିର ଯୁବ ପିଢୀ ସହ ତାଳ ଦେଇ ପାରିବେ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଶିକ୍ଷକମାନଙ୍କୁ ଯୁବ ମନରେ ନୂତନ ଚିନ୍ତାଧାରା ସୃଷ୍ଟି କରିବା ସହ ସେମାନଙ୍କୁ ସର୍ବୋତ୍ତମ ପ୍ରଦର୍ଶନ ପାଇଁ ବିକଶିତ କରିବାକୁ ପଡିବ।

ଶ୍ରୀମତୀ ମହାନ୍ତି, ବର୍ଷବର୍ଷ ଧରି ପରିବର୍ତ୍ତିତ ଶିକ୍ଷକ ଓ ଛାତ୍ରଛାତ୍ରୀମାନଂକ ସମ୍ପର୍କ ବିଷୟରେ ବର୍ଣ୍ଣନା କରିବା ସହ ”ଶିକ୍ଷକମାନେ ପୁନରୁଦ୍ଧାରର ମୂଳରେ’’ ଜନିତ ପ୍ରସଂଗ ଉପରେ ଆଲୋକପାତ କରିଥିଲେ। ନୂତନ ଶିକ୍ଷାନୀତି ଉପରେ ସେ ସାଂପ୍ରତିକ ଆହ୍ବାନଗୁଡିକୁ ମୁକାବିଲା କରିବା ପାଇଁ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକ ମାନଂକୁ ପ୍ରବର୍ତ୍ତାଇ ଥିଲେ। ଶ୍ରୀମତୀ ମହାନ୍ତିଙ୍କ ସମେତ ତଥା ଦେଶର ଭବିଷ୍ୟତ ନାଗରିକମାନଙ୍କୁ ବଳିଷ୍ଠ କରି ଗଢିବାରେ ବିଶେଷ ଅବଦାନ ଦେଇଥିବା ରାଉରକେଲାର ବିଭିନ୍ନ ବିଦ୍ୟାଳୟର ୧୧ ଜଣ ପୂର୍ବତନ ଶିକ୍ଷକଙ୍କୁ ଡିଆଇସି ଶ୍ରୀ ଭୌମିକ, ସମ୍ମାନିତ କରିବା ସମେତ ରାଉରକେଲାର ଶୀର୍ଷ ମାନ୍ୟତା ପ୍ରାପ୍ତ ୨୭ ଜଣ ବିଦ୍ୟାର୍ଥୀକୁ ଶ୍ରେଷ୍ଠ ଏକାଡେମିକ ପ୍ରଦର୍ଶନ ପୁରସ୍କାର ପ୍ରଦାନ କରିଥିଲେ। ଶିକ୍ଷାଗତ କୁଇଜ- ୨୦୨୩ର ବିଜୟୀମାନଙ୍କୁ ମଧ୍ୟ ଶ୍ରୀ ଭୌମିକ, ଆର.ଏସ.ପି ବିଦ୍ୟାଳୟର ୧୦ ଜଣ ଶିକ୍ଷକଙ୍କୁ ସମ୍ମାନିତ କରିଥିଲେ ।

ସେକ୍ଟର ୨୦ ସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀମାନଂକ ଦ୍ଵାରା ସ୍ଵାଗତ ସଂଗୀତ ‘ଗୁରୁ ବନ୍ଦନା’ ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଉକ୍ତ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ର ମାଷ୍ଟର ମୋହିତ ପଣ୍ଡା, ଉପସ୍ଥିତ ସମାବେଶକୁ ସ୍ଵାଗତ ଜଣାଇଥିବା ବେଳେ ଇସ୍ପାତ ବିଦ୍ୟା ମନ୍ଦିରର ଛାତ୍ର ମାଷ୍ଟର ଚିନ୍ମୟ ସାମଲ, ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ତଥା ଇସ୍ପାତ ବିଦ୍ୟା ମନ୍ଦିରର ଛାତ୍ରୀ ଅନନ୍ୟା ଜେନା, ଧନ୍ୟବାଦ ଅର୍ପଣ କରିଥିଲେ। ସେକ୍ଟର-୨୦ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରୀ ଐସି ଚୌଧୁରୀ, କାର୍ଯ୍ୟକ୍ରମର ସଂଚାଳନ କରିଥିଲେ। ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ ଇସ୍ପାତ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ ମାନଂକ ପକ୍ଷରୁ ଅନୁଷ୍ଠିତ ଏକ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମର ତାଳେ ତାଳେ ଏହି ଉତ୍ସବର ପରିସମାପ୍ତି ହୋଇଥିଲା।