ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳନ
1 min read
ରାଉରକେଲା ସହରର ପ୍ରଗତିଶୀଳ ସାହିତ୍ୟନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ବିଦ୍ୟୁତ କଲୋନୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ବିଦ୍ୟାଳୟ ପରିସରରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର କୁମାର ଦୁବେଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି, ବିଶ୍ରା ବ୍ଲକ ଏବିଇଓ କୃପାସିନ୍ଧୁ ପତି ସ୍ବତନ୍ତ୍ର ଅତିଥି ,ପ୍ରାକ୍ତନ ପ୍ରଧାନ ଶିକ୍ଷୟିତ୍ରୀ ବିଜୟିନୀ ଜେନା ଓ ବିଦ୍ୟୁତ କଲୋନୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶାନ୍ତ କୁମାର ସିଂ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ। ମଞ୍ଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ସ୍ବଭାବକବିଙ୍କ ଜୀବନୀ ଓ ତାଙ୍କ ସୃଷ୍ଟି ସଂପର୍କରେ ଆଲୋଚନା କରିଥିଲେ। ଓଡିଆ ଭାଷାର ଦୁର୍ଦ୍ଦିନ ସମୟରେ ଭାଷା ସୁରକ୍ଷାର ସେନାପତି ଭାବେ ପ୍ରକୃତିକବି ଗଙ୍ଗାଧର ମେହେରଙ୍କ ଅବଦାନ ଚିରସ୍ମରଣୀୟ ବୋଲି ଶ୍ରୀ ବକ୍ତାମାନେ କହିଥିଲେ।

ସ୍ୱଭାବକବି ଏକାଧାରରେ ଜଣେ ଭାଷାପ୍ରେମୀ, ଲେଖକ, ସମାଜ ସଂସ୍କାରକ,ଭାଷା ସାହିତ୍ୟର ଦିଗଦର୍ଶକ ଓ ମାନବବାଦୀ ବ୍ୟକ୍ତିତ୍ବ ଥିଲେ। ତାଙ୍କର କାଳଜୟୀ ସୃଷ୍ଟି ତପସ୍ବିନୀ, ଇନ୍ଦୁମତୀ, କୀଚକବଧ,କୃଷକସଂଗୀତ,ପ୍ରଣୟବଲ୍ଲଭୀ,ଅର୍ଘ୍ଯଥାଳୀ, ପଦ୍ମିନୀ, ରସ ରତ୍ନାକର ଆଦି ଆମ ଭାଷା ସାହିତ୍ୟକୁ ରୁଦ୍ଧିମନ୍ତ କରିବା ସଂଗେ ସଂଗେ ଅନ୍ୟମାନଙ୍କୁ ଅନୁପ୍ରାଣିତ କରିଛି ବୋଲି ବକ୍ତାମାନେ କହିଥିଲେ। ଏହି ଅବସରରେ ବିଦ୍ୟାଳୟର ଛାତ୍ରୀ ଶୁଭଶ୍ରୀ ନାୟକ, ତୃପ୍ତି ପରିଡା, ଖୁସି ପ୍ରଧାନ ପ୍ରମୁଖ ପ୍ରକୃତି କବିଙ୍କ ଜୀବନୀ ସଂପର୍କରେ ବକ୍ତବ୍ୟ ରଖିଥିଲେ। ଏହା ସହିତ ଏହି ଅବସରରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କରାଯାଇ ସଠିକ୍ ଉତ୍ତର ଦେଇଥିବା ଛାତ୍ର ଛାତ୍ରୀ ଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଜ୍ୟକ୍ରମ ସଭାପତିତ୍ବ କରୁଥିବା ପ୍ରଧାନ ଶିକ୍ଷକ ଶ୍ରୀ ଦୁବେ ଅତିଥିମାନଙ୍କ ପରିଚୟ ପ୍ରଦାନସହ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ତରଫରୁ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ଶିକ୍ଷୟିତ୍ରୀ ନିବେଦିତା ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିବାବେଳେ ବୀଣାପାଣି ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।