ଡେଙ୍ଗୁ ମୁକାବିଲା ନେଇ ସମନ୍ବୟ ବୈଠକ : ଗୁରୁବାରକୁ ଡ୍ରାଏ ଡେ’ ଭାବେ ପାଳିବାକୁ ଆହ୍ବାନ
1 min read
ସମ୍ପ୍ରତି ରାଉରକେଲାରେ ଡେଙ୍ଗୁର ସ୍ଥିତି ଚିନ୍ତାଜନକ ଅବସ୍ଥାରେ ପହଞ୍ଚିଛି। ତେଣୁ ଏହାର ମୁକାବିଲା ନେଇ ଏକ ସମନ୍ବୟ ବୈଠକ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ ଆୟୁକ୍ତ ଡ.ଶୁଭଙ୍କର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ମହାନଗର ନିଗମ ସଭାଗୃହ ପରିସରରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଡ୍ରେନ୍ ସଫେଇ, ଘାସ କାଟିବା, ଲାର୍ଭା ନଷ୍ଟ ନେଇ ତେଲ ସିଞ୍ଚନ, ମଶା ଧୂଆଁ ସ୍ପ୍ରେ, ସମ୍ଭାବ୍ୟ ମଶା ପ୍ରଜନନ ସ୍ଥାନ ଚିହ୍ନଟ ଏବଂ ନଷ୍ଟ କାର୍ଯ୍ୟ ଉପରେ ଗୁରୁତ୍ବାରୋପ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ଡା ଶୁଭଙ୍କର ମହାପାତ୍ର। ଆଶା କର୍ମୀମାନେ ଘରକୁ ଘର ବୁଲି ଲୋକଙ୍କୁ ସଚେତନ କରିବା ସହ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିବେ। ଏହା ସହିତ ପ୍ରତି ଗୁରୁବାରକୁ ଡ୍ରାଏ ଡେ’ ଭାବେ ପାଳନ କରିବାକୁ ଜନସାଧାରଣଙ୍କୁ ମଧ୍ୟ ସେ ଅପିଲ କରିଛନ୍ତି। ଏହି ଦିନରେ ଲୋକମାନେ ନିଜ ଘର ଛାତ, ଅଦରକାରୀ ପାଣି କୁଣ୍ଡ, ଫୁଲ କୁଣ୍ଡ, ଟାୟାର ଆଦିରେ ଜମି ଥିବା ପାଣିକୁ ସଫା କରିବା ସହ ସମ୍ଭାବ୍ୟ ପ୍ରଜନନ ସ୍ଥାନଗୁଡିକୁ ମଧ୍ୟ ସଫା କରିବେ।

ସାଧାରଣ ଜନତା ଏବଂ ସ୍କୁଲ ଗୁଡ଼ିକରେ ଡେଙ୍ଗୁ ସଚେତନତାକୁ ଜୋରଦାର କରିବା ପାଇଁ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଛି। ସମ୍ପ୍ରତି ଅଳିଆ ସଂଗ୍ରହ ଗାଡ଼ି ଜରିଆରେ ଡେଙ୍ଗୁ ସଚେତନତା କରାଯାଉଥିବା ବେଳେ ଆଗାମୀ ଦିନରେ ‘ଡେଙ୍ଗୁ ରଥ’ ମଧ୍ୟ ବାହାର କରାଯିବ। ରାଉରକେଲା ଷ୍ଟିଲ୍ ପ୍ଳାଣ୍ଟ, ରେଳବାଇ, ପୂର୍ତ୍ତ ବିଭାଗର ବିଭିନ୍ନ ଅଧିକାରୀଙ୍କ ସମେତ ବ୍ଳକ୍ ଶିକ୍ଷା ଅଧିକାରୀ ବୈଠକରେ ଉପସ୍ଥିତ ରହି ‘ଡେଙ୍ଗୁ’ ମୁକାବିଲା ଏବଂ ସଚେତନତା ନେଇ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ। ଏହି ବୈଠକରେ ନଗର ସ୍ବାସ୍ଥ୍ୟ ଅଧିକାରୀ ଡା ସୁଶୀଳ କୁମାର ପରିଡ଼ା, ରାଉରକେଲା ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡା ପୁଷ୍ପମିତ୍ର ମିଶ୍ର, ସୁନ୍ଦରଗଡ଼ ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଭକ୍ତ ମୋହନ ସ୍ବାଇଁଙ୍କ ସମେତ ଜାତୀୟ ସହରାଞ୍ଚଳ ସ୍ବାସ୍ଥ୍ୟ ମିଶନର ଡାକ୍ତର ଓ କର୍ମଚାରୀ ଉପସ୍ଥିତ ଥିଲେ।