ରିମସରେ ନୂତନ ଛାତ୍ରଛାତ୍ରୀଙ୍କୁ ସ୍ବାଗତ କାର୍ଯ୍ୟକ୍ରମ
1 min read
ରାଉରକେଲା ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍-ରିମ୍ସ ସଭାଗୃହରେ ବିବିଏ, ବିସିଏ ଓ ବିଜେଏମସି ପାଠ୍ୟକ୍ରମରେ ନାମଲେଖାଇଥିବା ନୂତନ ଛାତ୍ରଛାତ୍ରୀମାନଙ୍କୁ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ସ୍ୱାଗତ କରାଯାଇଛି। ଏଥିରେ ଶିକ୍ଷାନୁଷ୍ଠାନର ଭାରପ୍ରାପ୍ତ ଅଧ୍ୟକ୍ଷ ଡ. ସୁବ୍ରତ ପ୍ରସାଦ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଅଧ୍ୟକ୍ଷା ନଳିନୀ ପ୍ରଭା ପଟ୍ଟନାୟକ ନୂତନ ଛାତ୍ରଛାତ୍ରୀମାନଙ୍କୁ ନିଜ ଅଭିଭାଷଣ ମାଧ୍ୟମରେ ରିମସର ଇତିହାସ ଏବଂ ପ୍ରତିଷ୍ଠା ସମ୍ବନ୍ଧରେ ଅବଗତ କରାଇଥିଲେ। ଓଡ଼ିଶା ମ୍ୟାନେଜମେଣ୍ଟ କଲେଜ ଆସୋସିଏସନର ଅଧ୍ୟକ୍ଷ ତଥା ରିମସର ସମ୍ପାଦକ ଡ. ଆର୍ଯ୍ୟ ପଟ୍ଟନାୟକ ନିଜ ଅଭିଭାଷଣରେ ରିମସର ଆଭିମୁଖ୍ୟ ସମ୍ବନ୍ଧରେ ନୂତନ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇଥିଲେ।
ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍ୱିଜରଲାଣ୍ଡରୁ ୱିଲହେମ୍ ଜେଜଲର୍ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ପୁନମ୍ ଜେଜଲର୍ ଉପସ୍ଥିତ ଥିଲେ। ସେ ନିଜ ବକ୍ତବ୍ୟରେ କହିଥିଲେ ଯେ, ଆତ୍ମ ସମ୍ମାନକୁ ଗୁରୁତ୍ୱ ଦେବା ସହ ମାତୃଭୂମି ଓ ମାତୃଭାଷା ପ୍ରତି ସମ୍ମାନ ହିଁ ବ୍ୟକ୍ତିବିଶେଷଙ୍କୁ ଉଚ୍ଚକୁ ନେବା ସହ ନିଜ ରାଷ୍ଟ୍ର ଓ ଜାତିକୁ ପ୍ରଗତିଶୀଳ କରିବାରେ ସହାୟକ ହୋଇଥାଏ। ତେଣୁ ବିଦେଶରେ ଚାକିରୀ ପ୍ରତି କୌଣସି ଲାଳସା ନ ରଖି ନିଜ ଦେଶର ଉନ୍ନତିରେ ସହାୟକ ହେବା ଜରୁରୀ, କାରଣ ଅନ୍ୟ ଦେଶ ତୁଳନାରେ ଭାରତ ହିଁ ବର୍ତ୍ତମାନ ପ୍ରଗତିଶୀଳ ରାଷ୍ଟ୍ର ଭାବେ ପରିଚିତ।
ବିବିଏ ତୃତୀୟ ସେମିଷ୍ଟାର ଛାତ୍ରୀ ପ୍ରିୟଙ୍କା ତ୍ରୀପାଠୀଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିବା ବେଳେ ଏମବିଏ ଦ୍ୱିତୀୟ ସେମିଷ୍ଟାର ଛାତ୍ରୀ ପ୍ରିୟଙ୍କା ମାରାଣ୍ଡି ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ, ଅଧ୍ୟାପିକାଙ୍କ ପରିଚୟ ପ୍ରଦାନ କରାଯାଇଥିଲା। ଅନୁଷ୍ଠାଣର ଗବେଷଣା ଓ ଉନ୍ନୟନ ବିଭାଗର ନିର୍ଦ୍ଦେଶକ ଡ. ଶ୍ରୀକୁମାର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅନୁଷ୍ଠାନର ଉପଦେଷ୍ଟା ରୀତା ପଟ୍ଟନାୟକଙ୍କ ସମେତ ସମସ୍ତ ଅଧ୍ୟାପିକା, ଅଧ୍ୟାପକ, ଏବଂ ନୂତନ ଛାତ୍ରଛାତୀଙ୍କ ସମେତ ସେମାନଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପିକା ଦେବସ୍ମିତା ନାୟକ ପରିଚାଳନା କରିଥିଲେ।