ରିମ୍‌ସରେ ସାଇବରନେଟିକ ଇନ୍‌କୁବେସନ କେନ୍ଦ୍ରର ଶୁଭାରମ୍ଭ

1 min read
Spread the love

ରାଉରକେଲା ସହରର ଅନ୍ୟତମ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ରିମ୍‌ସ ପକ୍ଷରୁ ଅନୁଷ୍ଠାନ ପରିସରରେ ସାଇବରନେଟିକ ଇନ୍‌କ୍ୟୁବେସନ ସେଣ୍ଟର ଉଦ୍ଘାଟିତ ହୋଇଯାଇଛି। ଭୁବନେଶ୍ୱର ସ୍ଥିତ କ୍ରିଷ୍ଟଲାର ଏରୋସ୍ପେସ୍ ପ୍ରାଇଭେଟ୍ ଲିମିଟେଡ୍‌ ସହଭାଗିତାରେ ଆରମ୍ଭ ହୋଇଥିବା ଏହି କେନ୍ଦ୍ର ଶୁଭାରମ୍ଭ ଅବସରରେ ବିପିୟୁଟି କୁଳପତି ପ୍ରଫେସର ଅମିୟ କୁମାର ରଥ, ରାଉରକେଲା ସ୍ଥିତ ଏନ୍‌ଆଇଟିର ନିର୍ଦ୍ଦେଶଲ ପ୍ରଫେସର କେ ଉମା ମହେଶ୍ବର ରାଓଙ୍କ ସମେତ ରିମ୍‌ସର ପୂରାତନ ଛାତ୍ର ତଥା କ୍ରିଷ୍ଟେଲାର ଏରୋସ୍ପେସ୍ ପ୍ରାଇଭେଟ୍ ଲିମିଟେଡ୍‌ର ମୁଖ୍ୟ କାର୍ଯ୍ୟାନିର୍ବାହୀ ଉଦୟଭାନୁ ଦାସ ଏବଂ ସ୍ୱିଜର୍‌ଲ୍ୟାଣ୍ଡର ବୈଷୟିକ ବିଶେଷଜ୍ଞ ୱିଲି ଜେଜଲର ପ୍ରମୁଖ ଉପସ୍ଥିତ ଥିଲେ। ପୂର୍ବରୁ ରିମ୍‌ସ ସହିତ ଇନକ୍ୟୁବେସନ୍ ସେଣ୍ଟର ସ୍ଥାପନା ସମ୍ପର୍କିତ ଏକ ବୁଝାମଣା ପତ୍ର କ୍ରିଷ୍ଟେଲାର ଏରୋସ୍ପେସ୍ ପ୍ରାଇଭେଟ୍ ଲିମିଟେଡ୍‌ର ସହିତ ସ୍ୱାକ୍ଷର ହୋଇସାରିଛି। ଏହା ଦ୍ୱାରା ସାଇବର ସିକୁରିଟି ସମ୍ପର୍କରେ ବ୍ୟପକ ସୂଚନା ଓ ଜ୍ଞାନର ଆଦାନ ପ୍ରଦାନର ସୁବିଧା ରିମ୍‌ସର ଛାତ୍ରଛାତ୍ରୀମାନେ ପାଇବେ ବୋଲି ଶ୍ରୀ ଦାସ କହିଛନ୍ତି। ସାମ୍ପ୍ରତିକ ସମୟରେ ସାଇବର ସିକୁରିଟିର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ପ୍ରଫେସର ମହେଶ୍ବର ରାଓ ସୂଚନା ଦେଇଥିଲେ।

ଏଥିରେ ରାଉରକେଲା ଇସ୍ପାତ କାରଖାନାର କମ୍ପ୍ୟୁଟର ଆଇଟି ବିଭାଗର ମୁଖ୍ୟ ମହାପ୍ରବନ୍ଧକ କୌଶିକ କୁମାର ସେନଗୁପ୍ତା ଅତିଥିଭାବେ ଯୋଗଦେଇଥିଲେ। ଏହି ଅବସରରେ ରିମ୍‌ସର ଅଧ୍ୟକ୍ଷା ନଳିନୀ ପ୍ରଭା ପଟ୍ଟନାୟକ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅତିଥିମାନଙ୍କୁ ଇନକ୍ୟୁବେସନ ସେଣ୍ଟର ଆବଶ୍ୟକତା ଓ ଉପଯୋଗିତା ସମ୍ବନ୍ଧରେ ସୂଚନା ଦେଇଥିଲେ। ଓଡ଼ିଶା ମ୍ୟାନେଜମେଣ୍ଟ କଲେଜ ଆସୋସିଏସନର ସଭାପତି ତଥା ରିମ୍‌ସ, ରାଉରକେଲାର ସମ୍ପାଦକ ଡ ଆର୍ଯ୍ୟ ପଟ୍ଟନାୟକ ନିଜ ବକ୍ତବ୍ୟରେ ସାଇବର ଆକ୍ରମଣ, ତଥ୍ୟ ସଂରକ୍ଷଣ ଆଦି ସମ୍ବନ୍ଧରେ ସାଇବରନେଟିକ୍ ଇନକ୍ୟୁବେନ୍ସି ସେଣ୍ଟରର ମହତ୍ୱ ସମ୍ପର୍କରେ କହିଥିଲେ।  ଏହି ଅବସରରେ ଇନକ୍ୟୁବେନ୍ସି ସେଣ୍ଟରର ଭାରପ୍ରାପ୍ତ ଅଧିକାରୀ ପ୍ରଫେସର ବିଭୁଦେନ୍ଦୁ ପଣ୍ଡାଙ୍କ ସହିତ ଅନ୍ୟମାନେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!