ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଆନନ୍ଦ ଉଲ୍ଲାସ ମଧ୍ୟରେ ସ୍ଵାଧୀନତା ଦିବସ ମହାସମାରୋହରେ ପାଳିତ
1 min read
ଦେଶାତ୍ମବୋଧ ଭାବନା ସହିତ ଆନନ୍ଦ ଉଲ୍ଲାସର ପରିବେଶ ମଧ୍ୟରେ ରାଉରକେଲା ଇସ୍ପାତ କାରଖାନା ପକ୍ଷରୁ ଅଗଷ୍ଟ ୧୫ ତାରିଖରେ ୭୭ତମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି। ରାଉରକେଲା ଇସ୍ପାତ କାରଖାନା ଓ ବୋକାରୋ ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ, ଅତନୁ ଭୌମିକ ସେକ୍ଟର ୬ ଇସ୍ପାତ ଷ୍ଟାଡିୟମ ଠାରେ ଆୟୋଜିତ ଉତ୍ସବରେ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ ପରିଦର୍ଶନ କରିବା ସହ ୭୭ ଟି କଣ୍ଟିଜେଣ୍ଟଙ୍କ ଚିତ୍ତାକର୍ଷକ ମାର୍ଚ୍ଚ ପାଷ୍ଟରେ ଅଭିବାଦନ ଗ୍ରହଣ କରିଥିଲେ। ସିଆଇଏସଏଫର କମାଣ୍ଡାଣ୍ଟ ଶ୍ରୀ ଅଶୋକ ଜଲ୍ୱାନିଆ ଏହି ଅବସରରେ ତାଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ।

୭୭ତମ ସ୍ଵାଧୀନତା ଦିବସର ଅବସରରେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ଶ୍ରୀ ଭୌମିକ କହିଥିଲେ ଯେ, “ଆମ ଦେଶର ସ୍ଵାଧୀନତା ସେନାନୀମାନେ ଦୃଢ ସଂଗ୍ରାମ କରି ଏକ ସମୃଦ୍ଧ ଭବିଷ୍ୟତ ପାଇଁ ପଥ ପ୍ରଶସ୍ତ କରିଥିଲେ ଯାହାକୁ ଆଜି ଆମେ ଉପଭୋଗ କରୁଛେ। ସେହି ମହାନ ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଅତ୍ୟନ୍ତ ଗର୍ବ ଓ ଗୌରବ ସହକାରେ ଆମେ ୨୦୨୧ ମାର୍ଚ୍ଚ ମାସରୁ ଆରମ୍ଭ କରି ୭୫ ସପ୍ତାହ ବ୍ୟାପୀ ଆଜାଦୀ କା ଅମୃତ ମହୋତ୍ସବ ପାଳନ କରିଛୁ। ସ୍ଵାଧୀନତାର ଶତବାର୍ଷିକୀ ପାଳନ ପଥରେ ଆଗାମୀ ୨୫ ବର୍ଷ ‘ଅମୃତ କାଳ’ ରୂପେ ଆମେ ପାଳନ କରିବାକୁ ଯାଉଛୁ । ପ୍ରଯୁକ୍ତି ଓ ଜ୍ଞାନ ଆଧାରିତ ତଥା ଏକ ଶକ୍ତିଶାଳୀ ଇଣ୍ଡଷ୍ଟ୍ରି ୪.୦ ସହିତ ଆମର ଦେଶକୁ ଅଧିକ ଆତ୍ମନିର୍ଭରଶୀଳ ଗଢିବା ପାଇଁ ଏବଂ ସୁଦୃଢ ଅର୍ଥନୀତି ନିମନ୍ତେ ଆମେ ଆଗେଇଚାଲିଛୁ ।”

ରାଷ୍ଟ୍ର ନିର୍ମାଣରେ ମହାରତ୍ନ କମ୍ପାନୀ ସେଲର ବୃହତ ଯୋଗଦାନ ବିଷୟରେ ଉଲ୍ଲେଖ କରି ଭାରପ୍ରାପ୍ତ ନିର୍ଦ୍ଦେଶକ ଆରଏସପିର ଉତ୍ପାଦନ, ପରିବେଶ ପ୍ରବନ୍ଧନ, ସୁରକ୍ଷା, ମାନବ ସମ୍ବଳ, ଯୋଗାଯୋଗ, ସ୍ୱାସ୍ଥ୍ୟସେବା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଉପଲବ୍ଧି ବିଷୟରେ ଆଲୋକପାତ କରିଥିଲେ। “ଆମେ ୧୦୦ ନିୟୁତ ଟନ୍ ଇସ୍ପାତ ଉତ୍ପାଦନର ଐତିହାସିକ ରେଖାକୁ ଅତିକ୍ରମ କରିଛୁ ଯେଉଁ ଇସ୍ପାତ ଦୀର୍ଘ ଛଅ ରୂପାନ୍ତରଣ ଦଶନ୍ଧି ଧରି ଦେଶର ପ୍ରଗତିରେ ବ୍ୟବହୃତ ହୋଇଛି। ଆମେ ଉତ୍ପାଦନ କରିଥିବା ଇସ୍ପାତ ବିଭିନ୍ନ ସମ୍ମାନଜନକ ଜାତୀୟ ପ୍ରକଳ୍ପରେ ବ୍ୟବହୃତ ହୋଇଛି। ପ୍ରତିରକ୍ଷା ପ୍ରୟୋଗ ଯେପରିକି ଟ୍ୟାଙ୍କ ଏବଂ ବୁଡ଼ାଜାହାଜ ଠାରୁ ଆରମ୍ଭ କରି ପରମାଣୁ ଅନୁସନ୍ଧାନ ପର୍ଯ୍ୟନ୍ତ, ଏବଂ ସଡକ, ଟନେଲ, ଏବଂ ସେତୁ ଠାରୁ ଆରମ୍ଭ କରି ବିବିଧ ଚମତ୍କାର ସ୍ଥାପତ୍ୟ ଚମତ୍କାର ଏବଂ ଅତ୍ୟାଧୁନିକ ଚାନ୍ଦ୍ରାୟନ ପର୍ଯ୍ୟନ୍ତ ରାଷ୍ଟ୍ର ନିର୍ମାଣ କାର୍ଯ୍ୟରେ ଆମର ଇସ୍ପାତ ଉପଯୋଗ ହୋଇଛି।,” ବୋଲି ସେ ଉଲ୍ଲେଖ କରିଥିଲେ।

ଏହା ସହିତ ଡ଼ିଆଇସି ମଧ୍ୟ ସୁରକ୍ଷା ଓ ପରିବେଶ ଜନିତ ପ୍ରୟାସ ଗୁଡିକ ବିଷୟରେ ତଥା ପ୍ରତ୍ଯେକ ପଣଧାରୀଙ୍କ ସହ ଆରଏସପିର ଦୃଢ ସମ୍ପର୍କ ରକ୍ଷାର ବିଶ୍ବାସ ଉପରେ ମତବ୍ୟକ୍ତ କରିଥିଲେ। କର୍ମଚାରୀ ଏବଂ ଇସ୍ପାତ ସହର ବାସିନ୍ଦା ତଥା ପ୍ରତିବେଶୀ ପାର୍ଶ୍ଵାଞ୍ଚଳ ଜନସାଧାରଣଙ୍କ ଜୀବନଧାରଣ ମାନରେ ଅଧିକ ଉନ୍ନତି ଆଣିବା ନିମନ୍ତେ ସହରାଞ୍ଚଳର ପ୍ରତ୍ଯେକ ବିଭାଗର ଯୋଗଦାନ ବିଷୟରେ ମଧ୍ୟ ଡ଼ିଆଇସି ଆଲୋକପାତ କରିଥିଲେ।

ନିଜର ବକ୍ତବ୍ୟ ଶେଷରେ ଡ଼ିଆଇସି କହିଥିଲେ ଯେ, “ଆସନ୍ତୁ ଅମୃତକାଳରେ ପ୍ରତ୍ୟେକ ଦିନ, ପ୍ରତ୍ୟେକ ଘଣ୍ଟା ଏବଂ ପ୍ରତ୍ୟେକ ମିନିଟରେ ଆମର ପ୍ରଦର୍ଶନର ସୀମାକୁ ପୁନଃ ନିରୂପିତ କରିବାକୁ ପ୍ରସ୍ତୁତ ରହିବା ନିମନ୍ତେ ନିଜକୁ ପ୍ରତିବଦ୍ଧ ଗଢିବା ଯାହା ଅସୀମ ଗର୍ବ ଏବଂ ଅନନ୍ୟ ସଫଳତା ସହିତ ଆମକୁ ଭାରତୀୟ ସ୍ଵାଧୀନତାର ଶତବାର୍ଷିକୀକୁ ପାଳିବା ନିମନ୍ତେ ପଥ ପ୍ରଶସ୍ତ କରିବ। ”

ଏହି ଅବସରରେ ଆୟୋଜିତ ପୁରସ୍କାର ବିତରଣ ଉତ୍ସବରେ, ଡ଼ିଆଇସି ଷାଠିଏ ଦଶକ ପୂର୍ବରୁ ଇସ୍ପାତ କାରଖାନାରେ ଯୋଗ ପ୍ରାରମ୍ଭିକ ସମୟରେ ଏହାକୁ ରୂପ ଦେଇଥିବା ୧୮ ଜଣ ପୂର୍ବତନ କର୍ମଚାରୀଙ୍କୁ ଇସ୍ପାତ ବିନ୍ଧାଣି ସମ୍ମାନରେ ସମ୍ମାନିତ କରିଥିଲେ।

ଏହି ଅବସରରେ ଡ଼ିଆଇସି ଉଦାହରଣୀୟ ସେବା ପାଇଁ ସିଆଇଏସଏଫ କର୍ମୀଙ୍କୁ ସେବା ମେଡାଲ ପ୍ରଦାନ କରିଥିଲେ। ପରେପରେ ସେ ସମ୍ମାନଜନକ ଆରଏସପି ଗୌରବ ସମ୍ମାନ, ନେହେରୁ ବିଶିଷ୍ଟ କର୍ମଚାରୀ ପୁରସ୍କାର ତଥା ଶ୍ରେଷ୍ଠ କଣ୍ଟିଜେଣ୍ଟ ପୁରସ୍କାର ମଧ୍ୟ ପ୍ରଦାନ କରିଥିଲେ।

ଏହି ଅବସରରେ ଦୀପିକା ମହିଳା ସଂଘତିର ଅଧ୍ୟକ୍ଷା, ଶ୍ରୀମତୀ ସୀମା ଦେବ ଭୌମିକ, କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ଏସ ଆର ସୂର୍ଯ୍ୟବଂଶୀ, କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ପି କେ ଶତପଥୀ, ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ପି କେ ସାହୁ, ସାମଗ୍ରୀ ପରିଚାଳନା ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଶ୍ରୀ ସୋମନାଥ ତ୍ରିପାଠୀ, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଡାକ୍ତର ବି କେ ହୋତା, ବିତ୍ତ ଓ ଲେଖା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଏ କେ ବେହୁରିଆ, ଦୀପିକା ମହିଳା ସଂଘତିର ଉପାଧ୍ୟକ୍ଷା, ଶ୍ରୀମତୀ ହର୍ଷଲା ସୂର୍ଯ୍ୟବଂଶୀ, ଶ୍ରୀମତୀ ହିରଣ୍ମୟୀ ଶତପଥୀ, ଶ୍ରୀମତୀ ସମାପିକା ସାହୁ, ପ୍ରଫେସର ଡକ୍ଟର ସୁସ୍ମିତା ଦାସ, ଶ୍ରୀମତୀ ଜୟଶ୍ରୀ ହୋତା, ଆରଏସପିର ବହୁ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
କୋଲ୍ଡ ରୋଲିଙ୍ଗ ମିଲ ବିଭାଗର ସିନିୟର ଟେକନିସିଆନ, ଅନିଲ କୁମାର ମଲ୍ଲିକ ଏବଂ ପ୍ରୋଟୋକଲ ହସ୍ପିଟାଲିଟି ବିଭାଗର ସୁଶ୍ରୀ ମଧୁସ୍ମିତା ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଅନୁରୂପ ଭାବେ ସେକ୍ଟର ୨୨ ଫୁଟବଲ ପଡିଆରେ ଆୟୋଜିତ ସ୍ଵାଧୀନତା ଦିବସ ଉତ୍ସବରେ ଶ୍ରୀ ଭୌମିକ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ ପରିଦର୍ଶନ କରିବା ସହ ଚିତ୍ତାକର୍ଷକ ମାର୍ଚ୍ଚପାଷ୍ଟରେ ଅଭିବାଦନ ଗ୍ରହଣ କରିଥିଲେ। ପରେ ସେ, ଶ୍ରେଷ୍ଠ ପ୍ୟାରେଡ ପ୍ରଦର୍ଶନକାରୀଙ୍କୁ ମଧ୍ୟ ପୁରସ୍କୃତ କରିଥିଲେ।
ଦୀପିକା ମହିଳା ଜାଗୃତି ସଂସ୍ଥାନ ସେକ୍ଟର ୨ ଠାରେ ଅନୁଷ୍ଠିତ ଅନ୍ୟ ଏକ ଉତ୍ସବରେ ଦୀପିକା ମହିଳା ସଂଘତିର ଅଧ୍ୟକ୍ଷା, ଶ୍ରୀମତୀ ସୀମା ଦେବ ଭୌମିକ ସମସ୍ତ ଉପାଧ୍ୟକ୍ଷା, ସମ୍ପାଦିକା, ପରିଚାଳନା ପରିଷଦ ସଦସ୍ୟା ଏବଂ ସ୍ଵେଚ୍ଛାସେବୀଙ୍କ ଗହଣରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।