ଶ୍ରମ ବିଭାଗ କାର୍ଯ୍ୟଳୟ ପକ୍ଷରୁ ଭ୍ରାମ୍ୟମାଣ ଶ୍ରମିକ ପଞ୍ଜୀକରଣ ଶିବିର
1 min read
ଇସ୍ପାତ ସହରର ତଥା ସ୍ମାର୍ଟ ସିଟିଭାବେ ପରିଚିତ ରାଉରକେଲା ସହର ଏକ ଶ୍ରମଜୀବୀମାନଙ୍କ ସହରଭାବେ ପରିଚିତ। ଏହି ସହରରେ ବିଭିନ୍ନ ବର୍ଗର ଓ ବିଭିନ୍ନ ପ୍ରକାରର ଶ୍ରମିକ କାର୍ଯ୍ୟରତ ଅଛନ୍ତି। ତେଣୁ ଏହିସବୁ ବର୍ଗ ମଧ୍ୟରୁ ଅଣସଙ୍ଗଠିତ ଓ ନିର୍ମାଣ ଶ୍ରମିକମାନଙ୍କର ପଞ୍ଜୀକରଣ ବ୍ୟବସ୍ଥା ନିମନ୍ତେ ଶ୍ରମ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ଭ୍ରାମ୍ୟମାଣ ଶିବିରର ଆୟୋଜନ ରାଉରକେଲା ସହରର ନାଲା ରୋଡ୍ ଅଞ୍ଚଳରେ ସୋମବାର କରାଯାଇଥିଲା। ବିଭାଗର ଯୁଗ୍ମ ଶ୍ରମ ଆୟୁକ୍ତଙ୍କ ନେତୃତ୍ୱରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ନାଲାରୋଡ୍ ଅଞ୍ଚଳରେ ପ୍ରତିଦିନ ଏକତ୍ରିତ ହେଉଥିବା ଶ୍ରମିକମାନଙ୍କୁ ଚିହ୍ନଟ କରିଥିଲେ। ଏମାନଙ୍କ ମଧ୍ୟରୁ ବିଶେଷ ଭାବେ ଅଣସଙ୍ଗଠିତ ଓ ନିର୍ମାଣ ଶ୍ରମିକମାନଙ୍କର ପଞ୍ଜିକରଣ ବ୍ୟବସ୍ଥା କରାଯିବା ସହ ଶିବିରରେ ମୋଟ ୧୫ଜଣଙ୍କୁ ତୁରନ୍ତ ପଞ୍ଜୀକରଣ କାର୍ଡ ପ୍ରଦାନ କରାଯାଇଥିଲା।

ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଣବ ରଞ୍ଜନ ଜେନାଙ୍କ ସୂଚନା ମୁତାବକ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଶ୍ରମମନ୍ତ୍ରୀଙ୍କ ପରାମର୍ଶ ଅନୁଯାୟୀ ଏହି ସ୍ୱତନ୍ତ୍ର ଶିବିରର ଆୟୋଜନ କରାଯାଇଥିଲା। ଏହି ଶିବିର ମାଧ୍ୟମରେ ବିଭିନ୍ନ ବର୍ଗର ଶ୍ରମିକମାନଙ୍କୁ ଚିହ୍ନଟ କରାଯିବା ସହ ସରକାରୀ ବ୍ୟବସ୍ଥା ଓ ଯୋଜନା ମୁତାବକ ଅଗସଙ୍ଗଠିତ ଓ ନିର୍ମାଣ ଶ୍ରମିକ ସମ୍ପର୍କୀତ ସଚେତନତା ବାର୍ତ୍ତା ଦିଆଯାଇଥିଲା।