ସୁନ୍ଦର ଲେଖା ପାଇଁ ଚାକିରୀ ପାଇଥିବା ଲାଲମୋହନ ଅବସର ପରେ ମଧ୍ୟ ଚର୍ଚ୍ଚାରେ

1 min read
Spread the love

ସୁନ୍ଦରଗଡ଼ ଜିଲ୍ଲାର ଲାଲମୋହନ କିସାନ। ବୟସ ଷାଠିଏ ଡେଇଁଛି। ତାଙ୍କ ହାତଲେଖା ପାଇଁ ବୟଷ ହୋଇଥିଲେ ମଧ୍ୟ ଚର୍ଚ୍ଚାରେ ଲାଲମୋହନ। ତାଙ୍କର ଚମତ୍କାର ଓ ଆକର୍ଷଣ ଅକ୍ଷର ପାଇଁ ସେ ଚାକିରୀ ମଧ୍ୟ ପାଇଥିଲେ। ଓଡ଼ିଆ ହେଉ କି ଇଂରାଜୀ ତାଙ୍କ ହାତ ଲେଖା ଯିଏ ନଦେଖିଛି ସେ ହୁଏତ ବିଶ୍ବାସ କରିନପାରେ ଯେ, ହାତରେ ବି ଏମିତି ଲେଖାଯାଇପାରେ। ଏପରି ଚମତ୍କାର କଳାର ଅଧିକାରୀ ଲାଲମୋହନ ଏଥିପାଇଁ କୌଣସି ତାଲିମ ନେଇ ନାହାନ୍ତି।

ଛୋଟ ବେଳୁ ଏହିଭଳି ଚମତ୍କାର ଅକ୍ଷର ଲେଖି ଚାଲିଛନ୍ତି ଲାଲମୋହନ। ସେ ସମୟରେ ମାତ୍ର ଯୁକ୍ତ ଦୁଇ ଯାଏ ପଢ଼ିଥିବା ଲାଲମୋହନ କେବଳ ଏହି ସୁନ୍ଦର ଅକ୍ଷର ପାଇଁ ଚାକିରି ପାଇଥିଲେ। ସୁନ୍ଦର ଲେଖା ଓ ସୁନ୍ଦର ବ୍ୟକ୍ତିତ୍ବ ପାଇଁ ସମସ୍ତଙ୍କ ପ୍ରିୟପାତ୍ର ହୋଇଥିବା ଲାଲମୋହନ ସୁନ୍ଦରଗଡ଼ ପୌରପାଳିକରୁ ନିକଟରେ ଅବସର ନେଇ ରାଉରକେଲାରେ ରହୁଛନ୍ତି। କମ୍ପ୍ୟୁଟର ଓ ଡିଜିଟାଲ ଯୁଗରେ ହାତରେ ଲେଖିବାର ଆଗ୍ରହ ଏବଂ ଅଭ୍ୟାସ ଲୋକେ ଛାଡ଼ି ଆସୁଥିବାବେଳେ ଲାଲମୋହନ ଏବେ ମଧ୍ୟ ତାଙ୍କ ଲେଖିବା ଜାରି ରଖିଛନ୍ତି।

ତାଙ୍କର ବିଶେଷତ୍ୱ ହେଉଛି କମ୍ପ୍ୟୁଟର ମାଧ୍ୟମରେ ଲେଖାହେଉଥିବା ଭଳିକି ଭଳି ଆକୃତିର ଲେଖା ଲେଖିବାରେ ସିଦ୍ଧହସ୍ତ ଲାଲମୋହନ। ଏହି ଚମତ୍କାର ଅକ୍ଷର ପାଇଁ ତତ୍କାଳୀନ ସୁନ୍ଦରଗଡ଼ ଜିଲ୍ଲାପାଳ ରବିନାରାୟଣ ସେନାପତି ତାଙ୍କୁ ବିନା ପରୀକ୍ଷାରେ ରାଉରକେଲା ପୌରପାଳିକାରେ ନିଯୁକ୍ତି ଦେଇଥିଲେ। ସେଠାରୁ ବୀରମିତ୍ରପୁର, ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ହୋଇ ସୁନ୍ଦରଗଡ଼ ପୌରପାଳିକାକୁ ଆସିଥିଲେ।

ଏଠାରୁ ମୁଖ୍ୟ କିରାଣି ଭାବେ ଅବସର ନେଇଥିଲେ ସେ। ଚାକିରି ସମୟରେ ନିଜ ବିଭାଗର କୌଣସି ଚିଠି କି ମାନପତ୍ର ଲେଖିବା ପାଇଁ ସବୁବେଳେ ଖୋଜା ପଡ଼ୁଥିଲେ ଲାଲମୋହନ। ବିନା କୌଣସି ତାଲିମରେ ଏତେ ସୁନ୍ଦର ଲେଖାପାଇଁ ସେ ଅନେକ ପ୍ରଶଂସା ମଧ୍ୟ ସାଉଁଟିଛନ୍ତି ଲାଲମୋହନ। ଏଥିପାଇଁ ଆମେ ତାଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛୁ।

Leave a Reply

Your email address will not be published. Required fields are marked *

error: Content is protected !!