ସ୍ୱସ୍ତି ସାହିତ୍ୟ ସଂସଦ ପକ୍ଷରୁ ମାସିକ ସାରସ୍ୱତ କାର୍ଯ୍ୟକ୍ରମ
1 min read
ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ଦର୍ଶନ ସମ୍ପର୍କରେ ସ୍ମୃତିଚାରଣ
ରାଉରକେଲା ସହରର ଅନ୍ୟତମ ସାହିତ୍ୟ ଅନୁଷ୍ଠାନ ସ୍ୱସ୍ତି ସାହିତ୍ୟ ସଂସଦ ପକ୍ଷରୁ ମାସିକ ସାରସ୍ୱତ କାର୍ଯ୍ୟକ୍ରମ ଛେଣ୍ଡ୍ କଲୋନୀର ଗୋପବନ୍ଧୁ ପାଠାଗାରରେ ଅନୁଷ୍ଠିତ ହୋଇଯାଇଛି। ସଂସଦର ସଭାପତି ମହେନ୍ଦ୍ର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଓଡ଼ିଆ ଦାର୍ଶନିକ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ‘ସବା ମୂଳରେ ମଣିଷ’ ଶୀର୍ଷକ ଆଲୋଚନା ହୋଇଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ସମାଜସେବୀ ତଥା ବରିଷ୍ଠ ସଙ୍ଗଠକ ଭାରତ ଭୁଷଣ ମହାନ୍ତି ଯୋଗଦେଇ ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ବହୁମୁଖୀ ପ୍ରତିଭା ଏବଂ ତାଙ୍କର ବିଭିନ୍ନ ରଚନା ସମ୍ପର୍କରେ ଆଲୋଚନା କରିଥିଲେ। ଏଥିରେ ଆଲୋଚିକା ଭାବେ ଶିକ୍ଷାବିତ୍ ତଥା ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷା ଶର୍ମିଷ୍ଠା କବି ଶତପଥି ଯୋଗଦେଇ ଶୀର୍ଷକ ବିଷୟରେ କହିଥିଲେ।

ସଂସଦର ସାଧାରଣ ସମ୍ପାଦକ ରାଜୀବ ପାଣି ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କ ଦର୍ଶନ ଓ ସାହିତ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ପ୍ରଫେସର ପାରେଶ୍ୱର ବିଶ୍ୱାଳଙ୍କ ଦ୍ୱାରା ବରିଷ୍ଠ କବି ଡାକ୍ତର କୃପାସିନ୍ଧୁ ନାୟକଙ୍କ ‘ଅତିକ୍ରମଣ’ କାବ୍ୟ ଗ୍ରନ୍ଥକୁ ଇଂରାଜୀ ଅନୁବାଦ ଗୋଇଙ୍ଗ ବିୟଣ୍ଡ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ଏହି ପୁସ୍ତକ ସମ୍ପର୍କରେ ସମୀକ୍ଷା କରିଥିଲେ ସୁଧାଂଶୁ ଶେଖର ମିଶ୍ର। ଶ୍ରୀ ମିଶ୍ର ତାଙ୍କ ବକ୍ତବ୍ୟରେ ଡାକ୍ତର ନାୟକଙ୍କ କାବ୍ୟଗ୍ରନ୍ଥର ଇଂରାଜୀ ଅନୁବାଦ ଦ୍ୱାରା ଏହା ଅଧିକ ଅଣଓଡ଼ିଆ ପାଠକଙ୍କ ନିକଟରେ ପହଞ୍ଚିବା ସହଜ ହେବ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ସହରର ବିଭିନ୍ନ ବର୍ଗର ବ୍ୟକ୍ତିମାନେ ଉପସ୍ଥିତ ଥିଲେ।