ଜନଜାତିର ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ଆମର ଦାୟିତ୍ଵ : ଆନ୍ତର୍ଜାତିକ ଜନଜାତି ଦିବସ ପାଳିତ
1 min read
ଢେଙ୍କାନାଳସ୍ଥିତ ପୁରାତନ ଜିଲ୍ଲା ପରିଷଦ ଭବନର ସଭା ଗୃହରେ ଆନ୍ତର୍ଜାତିକ ଜନଜାତି ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ଜିଲ୍ଲା ପ୍ରଶାସନ ଜନଜାତି ମାନଙ୍କର ବିକାଶ ପାଇଁ ମୁଖ୍ୟତଃ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଗମନାଗମନ ଏବଂ ଜୀବିକା ଏହି ୫ଟି ଦିଗ ଉପରେ ଗୁରୁତ୍ବାରୋପ କରୁଛି । ଜିଲ୍ଲାରେ ୧.୫ଲକ୍ଷରୁ ଅଧିକ ଜନଜାତି ସଂପ୍ରଦାୟର ଲୋକମାନେ ବସବାସ କରୁଛନ୍ତି । ସେମାନଙ୍କୁ ମଧ୍ୟରୁ ୧୩ଟି ଜୁଅଙ୍ଗ ଜନଜାତିର । ସେମାନଙ୍କର ସାମଗ୍ରିକ ବିକାଶ ପାଇଁ ରାଜ୍ୟ ସରକାର ଜିଲ୍ଲା ସ୍ତଗରେ ସ୍ଵତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି । ଢେଙ୍କାନାଳ ପରିଷଦର ସଭାପତି ଦେଉଛନ୍ତି ଶ୍ରୀ ସୁରେନ୍ଦ୍ର କୁମାର ହେମ୍ବ୍ରମ । ଏହାସହ ସେ କହିଛନ୍ତି ଯେ, ଜନଜାତି ମାନେ ନିଜର ସଂସ୍କୃତି ଓ ପରମ୍ପରା ପାଇଁ ଅନ୍ୟ ମାନଙ୍କ ଠାରୁ ଭିନ୍ନ । ସେଥିପାଇଁ ସେମାନଙ୍କ ସଂସ୍କୃତି ଓ ପରମ୍ପରାର ସଂରକ୍ଷଣ ଦିଗରେ ଜିଲ୍ଲା ପ୍ରଶାସନ କାର୍ଯ୍ୟ କରିବ । ଜନଜାତିର ଲୋକମାନଙ୍କର ସାମାଜିକ ସୁରକ୍ଷା ପାଇଁ ସେମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯାଉଛି । ଏହାସହ ଦେଶ ତଥା ରାଜ୍ୟରେ ପ୍ରଥମଥର ପାଇଁ ଡେଙ୍କାନାଳ ଜିଲ୍ଲାର ସହରାଂଦଳରେ ୩୪ଜଣ ବନଜାତିର ଲୋକମାନଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ କରାଯିବ । ଯାହାକି ତାଙ୍କୁ ମୁଖ୍ୟ ସ୍ରୋତରେ ଫେରାଇଆଣିବାକୁ ସହାୟକ ହେବ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ଅଧ୍ୟକ୍ଷା ଶ୍ରୀମତି ଅର୍ଚ୍ଚନା ପୂହଣ ଯୋଗଦେଇ ଜନଜାତି ସଂପ୍ରଦାୟର ସାମାଜିକ ମୂଲ୍ୟବୋଧ ସଂପର୍କରେ କହିଥିଲେ ଯେ, ଜନଜାତିର ଲୋକମାନେ ପ୍ରକୃତିକୁ ନିଜର ମା ପରି ସ୍ନେହ କରନ୍ତି । ତାର ସୁରକ୍ଷା ପାଇଁ କାର୍ଯ୍ୟ କରନ୍ତି । ଏହାସହ ସେମାନେ ନିଜର ଜୀବନଚର୍ଯ୍ୟାକୁ ପ୍ରକୃତି ସହିତ ସଂଶ୍ଳିଷ୍ଠ କରି ରଖିଥାନ୍ତି । ସେଥିପାଇଁ ସେମାନେ ଶାରୀରିକ ଭାବେ ସୁସ୍ଥ ରହିଥାନ୍ତି । ଏହାସହ ସେ କହିଥିଲେ ଯେ, ଢେଙ୍କାନାଳ ଜିଲ୍ଲାର ଜନଜାତି ସଂପ୍ରଦାୟ ସହ ପୁରାତନ ସର୍ମକ ରହିଛି । ଢେଙ୍କାନାଳ ନାମଟି ଢେଙ୍କା ଶବରର ନାମରୁ ଆସିଛି । କାର୍ଯକ୍ରମର ପରିଚାଳନା ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ରୁଦ୍ର ପ୍ରସନ୍ନ ପରିଜା କରିଥିଲେ । ଏହାସହ ସେ ସଭା ଶେଷରେ ସମସ୍ତ ଅତିଥିବୃନ୍ଦଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ଏଥିରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ ରମେଶ ଚନ୍ଦ୍ର ସେଠୀ, ଜିଲ୍ଲା ପରିଷଦର ଅତିରିକ୍ତ ନିର୍ବାହୀ ଅଧିକାରୀ ଶ୍ରୀ ସରୋଜ କୁମାର ଦତ୍ତ, ଢେଙ୍କାନାଳ ସଦର, ଗଁଦିଆ, କାମାକ୍ଷନଗର, ହିନ୍ଦୋଳ ବ୍ଲକର ବ୍ଲକ ଉନ୍ନୟନ ଅଧିକାରୀଗଣ, ସାମ୍ବାଦିକ ବନ୍ଧୁଗଣ ଏବଂ ଢେଙ୍କାନାଳ ଜିଲ୍ଲାର ଶତାଧିକ ସଂଖ୍ୟକ ଜନଜାତି ସଂପ୍ରଦାୟର ଲୋକମାନେ ଯୋଗଦେଇଥିଲେ ।