ଆଦିବାସୀଙ୍କ ବିଶାଳ ଶୋଭାଯାତ୍ରା ମାଧ୍ୟମରେ ରାଉରକେଲାରେ ପାଳିତ ହେଲା ବିଶ୍ବ ଆଦିବାସୀ ଦିବସ
1 min read
ଅଗଷ୍ଟ ୯ ତାରିଖ ଦିନ ସାରା ବିଶ୍ବରେ ପାଳିତ ହୋଇଥାଏ ବିଶ୍ବ ଜନଜାତି ଦିବସ ବା ବିଶ୍ବ ଆଦିବାସୀ ଦିବସ। ସାରା ବିଶ୍ବର ବିଭିନ୍ନ ଦେଶ ଓ ଅଞ୍ଚଳରେ ରହୁଥିବା ଆଦିମ ଜନଜାତି ବା ଆଦିବାସୀମାନଙ୍କ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଦିବସ ପାଳନର ଉଦ୍ଦେଶ୍ୟ।

ଏହି କ୍ରମରେ ରାଉରକେଲା ସହରର ବିଭିନ୍ନ ଆଦିବାସୀ ସଙ୍ଗଠନମାନଙ୍କର ମିଳିତ ଉଦ୍ୟମରେ ପାଳିତ ହୋଇଛି ବିଶ୍ବ ଆଦିବାସୀ ଦିବସ। ଏଥିପାଇଁ ପ୍ରଥମେ ଶହ ଶହ ଆଦିବାସୀମାନେ ଏକ ବିଶାଳ ଶୋଭାଯାତ୍ରାରେ ପାରମ୍ପରିକ ପୋଷାକ ସହିତ ନୃତ୍ୟ ଓ ଗୀତ ମାଧ୍ୟମରେ ବିଶ୍ରା ଛକରୁ ରିଙ୍ଗ୍ରୋଡ୍ ଦେଇ ଉଦିତ ନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ।

ସେଠାରେ ଆଦିବାସୀମାନଙ୍କ ଅଧିକାର ଓ ସାମ୍ବିଧାନିକ ବ୍ୟବସ୍ଥାକୁ କାର୍ଯ୍ୟକରିବା ସମ୍ପର୍କୀତ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା।

ଏହାପରେ ଉଦିତ ନଗର ପରେଡ୍ ପଡ଼ିଆରେ ଏକ ସଭାର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମ ଆୟୋଜନ ସମିତିର ସଭାପତି ଲେଥା ତିର୍କୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ସିଏସ୍ ରାଜେନ ଏକ୍କାଙ୍କ ସମେତ କିଛି କଂଗ୍ରେସ ନେତା ମଧ୍ୟ ଯୋଗଦେଇଥିଲେ।

ଏହି ସଭାରେ ଆଦିବାସୀମାନଙ୍କ ଅଧିକାର ଓ ସମ୍ବିଧାନରେ ଆଦିବାସୀମାନଙ୍କ ପାଇଁ ରହିଥିବା ନିୟମ ଓ ଆଇନ ସମ୍ପର୍କୀତ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା ହୋଇଥିଲା। ଏହା ସହିତ ଏହି ଅବସରରେ ଆଦିବାସୀମାନଙ୍କ ପାରମ୍ପରିକ ନୃତ୍ୟ ଓ ଗୀତ ଆଦି ପ୍ରଦର୍ଶିତ ହୋଇଥିଲା।