ଜିଲ୍ଲାର ୪୨୭ ଟି ମଠ ଓ ମନ୍ଦିରର ଉନ୍ନତି ବିଧାନ ନିମନ୍ତେ ଅର୍ଥ ମଞ୍ଜୁର

1 min read
Spread the love

ଢେଙ୍କାନାଳ ଜିଲ୍ଲାର ୪୨୭ ଟି ମଠ ଓ ମନ୍ଦିରର ଉନ୍ନତି ବିଧାନ ନିମନ୍ତେ ୧୭ କୋଟି ୫୧ ଲକ୍ଷ ଟଙ୍କା ଏବଂ ୫୬ ଟି କଲେଜର ବିକାଶ ନିମନ୍ତେ ୩୨ କୋଟି ୫୦ ଲକ୍ଷ ଟଙ୍କା ରାଜ୍ୟ ସରକାର ମଞ୍ଜୁର କରିଛନ୍ତି। ବିଭିନ୍ନ ବ୍ଲକରେ ଥିବା ଏହି ମଠ ଓ ମନ୍ଦିରର ଉନ୍ନତି ବିଧାନ କାର୍ଯ୍ୟ ସମ୍ପୃକ୍ତ ଅଞ୍ଚଳର ବିଡିଓମାନଙ୍କ ଦ୍ବାରା କରାଯିବ। ସେହିପରି ଜିଲ୍ଲାର ୫୬ ଟି କଲେଜର ବିକାଶ କାର୍ଯ୍ୟ ମଧ୍ୟରୁ ଡିଗ୍ରୀ କଲେଜ ଗୁଡିକର ବିକାଶ କାର୍ଯ୍ୟ ପୂର୍ଣ ବିଭାଗ ଦ୍ବାରା କରାଯିବ ଏବଂ +2 କଲେଜ ଗୁଡିକର ବିକାଶ କାର୍ଯ୍ୟ ଗ୍ରାମ୍ୟ ନିର୍ମାଣ ବିଭାଜନ ବିଭାଗ ଦ୍ବାରା କରାଯିବ। ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଲେଖାଏଁ ମଞ୍ଜୁର ହୋଇଛି। ପ୍ରାଥମିକ ବିଦ୍ୟାଳୟ, ଗୋଷ୍ଠୀ କେନ୍ଦ୍ର, ସାଂସ୍କୃତିକ ଅନୁଷ୍ଠାନ, ଐତିହ୍ୟ ସମ୍ପର୍ଣ୍ଣ ପୀଠ ସ୍ଥଳୀ, କ୍ରୀଡା ଭିତ୍ତିଭୂମି, ମହିଳା ଓ ଶିଶୁ ବିକାଶ ଏବଂ ଦକ୍ଷତା ବିକାଶ ଯୋଜନା କାର୍ଯ୍ୟକୁ ବିଡିଓ ମାନେ ତଦାରଖ କରିବେ ।

ସୂଚନା ମୁତାବକ ଗତ ମାସ ୧୧ ଏବଂ ୧୨ ତାରିଖ ଦିନ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭି. କେ. ପଣ୍ଡିଆନଙ୍କ ଜିଲ୍ଲା ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୨୬୨୦ ଟି ଆବେଦନ ବା ଅଭିଯୋଗ ପତ୍ର ମିଳିଥିଲା। ଅଭିଯୋଗ ମଧ୍ୟରୁ ଅଦ୍ୟାବଧି ଅଫ୍ ଲାଇନ ଏବଂ ଅନ୍ ଲାଇନ ମାଧ୍ୟମରେ ୮୩୮ ଟି ଆବେଦନବା ଅଭିଯୋଗର ସମାଧାନ ହୋଇଛି। ସହାୟତା ନିମନ୍ତେ ଆବେଦନ କରିଥିବା ଜିଲ୍ଲାର ୩୧ ଜଣଙ୍କୁ ରେଡ୍ କ୍ରସ ପାଣ୍ଠି ଏବଂ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡରୁ ୩୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ରାଶି ପ୍ରଦାନ କରାଯାଇଛି । ଜନସାଧାରଣଙ୍କ ଠାରୁ ପ୍ରାପ୍ତ ଆବେଦନ ବା ଅଭିଯୋଗଗୁଡିକର ସମାଧାନ ନିମନ୍ତେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀ ପ୍ରଶାସନିକ ଅଧିକାରୀମାନଙ୍କୁ ନେଇ ଏକ ପାଞ୍ଚ ଜଣିଆ ଟିମ୍ ଗଠନ କରିଛନ୍ତି। ଏହି ଟିମ ଫୋନ୍ ମାଧ୍ୟମରେ ଆବେଦନ ବା ଅଭିଯୋଗକାରୀମାନଙ୍କ ସହିତ ସିଧାସଳଖ ଯୋଗାଯୋଗକରି ମତାମତ ସଂଗ୍ରହ କରିବେ ଏବଂ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ଏହାର ତଦାରଖ କରିବେ ।

ସୂଚନା ମୁତାବକ କରମୂଳ ଗ୍ରାମ ପଞ୍ଚାୟତର ବ୍ରାହ୍ମଣୀନଦୀ କୂଳରେ ଥିବା ପୁରାତନ ପ୍ରସିଦ୍ଧ ଶ୍ରୀ ଦୌଡେଶ୍ଵର ମନ୍ଦିରର ପାଚେରୀ ନ ଥିବାରୁ ବର୍ଷା ଦିନରେ ମନ୍ଦିର ପରିସରରେ ନଦୀ ପାଣି ପଶିଯାଉଥିବାରୁ ନୀତିକାନ୍ତି ଓ ପୂଜା କାର୍ଯ୍ୟ ବିଶେଷ ଭାବରେ ବାଧା ପ୍ରାପ୍ତ ହେଉଛି ଏବଂ ଶ୍ରଦ୍ଧାଳୁ ମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରତିବର୍ଷ ଏହି ପରି ନଦୀ ଜଳ ମନ୍ଦିର ପରିସରରେ ପ୍ରବେଶ କରୁଥିବାରୁ ମନ୍ଦିରର ସ୍ଥାୟୀତ୍ଵ ପ୍ରତି ବିପଦ ରହିଛି । ଏହି ସମସ୍ୟାଗୁଡ଼ିକୁ ଦୃଷ୍ଟିରେ ରଖ୍ ଏହାର ତୁରନ୍ତ ସମାଧାନ ନିମନ୍ତେ ଆବଶ୍ୟକ ପାଚେରୀ ନିର୍ମାଣ ଏବଂ ମନ୍ଦିର ମରାମତି କାର୍ଯ୍ୟ ନିମନ୍ତେ ଜିଲ୍ଲାପାଳ, ଭାରତୀୟ ପ୍ରସୂତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥାର ପ୍ରଚାତ୍ତ୍ଵିକ ଅଧ୍ୟକ୍ଷକଙ୍କୁ ପତ୍ର ମାଧ୍ୟମରେ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *

error: Content is protected !!