କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପାଇଁ ‘କଳା ସମୀକ୍ଷା’ କାର୍ଯ୍ୟକ୍ରମ ଆୟୋଜିତ

1 min read
Spread the love

ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ରାଉରକେଲାରେ ଚାଲିଛି ତିନିଦିନିଆ ସଙ୍ଗୀତ ଓ ନୃତ୍ୟ ଭିତ୍ତିକ ଅମୃତ ଯୁବ କଳୋତ୍ସବ କାର୍ଯ୍ୟକ୍ରମ। ଏହି କ୍ରମରେ କାର୍ଯ୍ୟକ୍ରମର ଦ୍ୱିତୀୟ ଦିବସରେ ଆୟୋଜିତ ହୋଇଛି ‘କଳ ସମୀକ୍ଷା’ କାର୍ଯ୍ୟକ୍ରମ। ସେକ୍ଟର-୨୦ ସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ଓଡି଼ଶାର ସ୍ୱନାମଧନ୍ୟ ଲୋକକଳା ବିଶେଷଜ୍ଞ ତଥା ଓଡି଼ଶା ସଂଗୀତ ଏକାଡେମୀର ଉପ-ସଭାପତି ଏବଂ କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ମନ୍ମଥ କୁମାର ଶତପଥୀ, ବିଶିଷ୍ଟ ଓ ବରିଷ୍ଠ ଓଡି଼ଶୀ ନୃତ୍ୟାଙ୍ଗନା କୁମ୍‌କୁମ୍‌ ମହାନ୍ତି, ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ନାଟ୍ୟ ନିଦ୍ଦେର୍ଶକ ତଥା ନାଟ୍ୟଚେତନାର ସ୍ରଷ୍ଟା ସୁବୋଧ ପଟ୍ଟନାୟକ, ଦିଲ୍ଲୀର ପ୍ରସିଦ୍ଧ ନାଟ୍ୟାବିତ୍‌ ଯୋଗେଶ ପାଣ୍ଡେ ଯୋଗଦେଇଥିଲେ। ଶ୍ରୀମତୀ ମହାନ୍ତି ତାଙ୍କ ନିଜର ଜୀବନାଭୂତି ବର୍ଣ୍ଣନା କରି ଜଣେ କିପରି ଶ୍ରେଷ୍ଠ ଛାତ୍ର ବା ଛାତ୍ରୀ ହୋଇ ମଧ୍ୟ ନୃତ୍ୟ ବା ସଙ୍ଗୀତ ବା ଅନ୍ୟ କଳାରେ ପାରଙ୍ଗମ ହୋଇପାରିବା ସମ୍ପର୍କରେ ଆଲୋଚନା କରିଥିଲେ। ନିଜର ପିତାଙ୍କ ଦ୍ୱାରା ଅନୁପ୍ରେରିତ ହୋଇ ସେ କିପରି ଜଣେ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ହେବା ସହ ଓଡ଼ିଶୀ ନୃତ୍ୟ ନିପୂଣା ହୋଇ ଆନ୍ତର୍ଜାତୀୟ ସ୍ତରରେ ପରିଚିତ ହେବା ସମ୍ପର୍କରେ ସୂଚନା ଦେଇଥିଲେ।

ଏହା ସହିତ ଜଣେ କଳକାର ପ୍ରତିଷ୍ଠିତ ହେବା ପାଇଁ କଳର ସମୀକ୍ଷା ଓ ସମୀକ୍ଷକଙ୍କ ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି ଶ୍ରୀମତୀ ମହାନ୍ତି କହିଥିଲେ। ଶ୍ରୀ ଶତପଥୀ ତାଙ୍କ ବକ୍ତବ୍ୟରେ ନିଜର ଜୀବନାଭୂତି ବର୍ଣ୍ଣ କରି ଉଭୟ ମଞ୍ଚ ନାଟକ ଓ ଲୋକ ନାଟକ ସମ୍ପର୍କରେ ବିଶେଷ ଆଲୋଚନା କରିଥିଲେ। ଏହା ସହିତ ଆଜି ସୁଦ୍ଧା ବିଭିନ୍ନ ବ୍ୟକ୍ତିଙ୍କ ସହଯୋଗରେ ରାଜ୍ୟରେ ୯୨ଟି ଲୋକକଳାର ପୁନରୁଦ୍ଧାର ଓ ତଥ୍ୟ ଓ ସୁଚନା ଆଦି ସଙ୍କଳନ ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହିତ ନାଟକ ଓ ଲୋକ ନାଟକର ବିଭିନ୍ନ ପ୍ରକାର ଓ ପ୍ରସଙ୍ଗ ସମ୍ପର୍କରେ ଆଲୋଚନା କରି ନାଟକର ସମୀକ୍ଷା ଦିଗ ସମ୍ପର୍କରେ ସୂଚନା ଦେଇଥିଲେ। ଓଡ଼ିଶାରେ ଲୋକ ନାଟକର ୨୫୦୦ ବର୍ଷର ଇତିହାସ ସମ୍ପର୍କରେ ଆଲୋଚନା କରି ଭୁବନେଶ୍ୱର ହାତୀ ଗୁମ୍ଫା ଓ ରାଣୀ ଗୁମ୍ଫାର ଉଦାହରଣ ଦେଇଥିଲେ। ଓଡ଼ିଶାର ଦକ୍ଷିଣ ଭାଗରେ କଳିଙ୍ଗ , ପଶ୍ଚିମାଞ୍ଚଳରେ କୋଶଳୀୟ ଓ ପୂର୍ବାଞ୍ଚଳରେ ଉତ୍କଳୀୟ ଲୋକ ନାଟକ ଶୈଳୀ ସମ୍ପର୍କରେ ସେ ଆଲୋଚନା କରିଥିଲେ। ଓଡ଼ିଶାରେ ରହିଛି ଅନେକ ପ୍ରାଚୀନ କଳା ଓ ସଂସ୍କୃତି। ଏହିସବୁ ହେଉଛି ଆମର ସମ୍ପତ୍ତି, ତେଣୁ ଆମେ ସମସ୍ତେ ଏହାକୁ ଚିହ୍ନିବା ଆବଶ୍ୟକ ବୋଲି ସେ କହିଥିଲେ।

ନାଟ୍ୟ ନିର୍ଦ୍ଦେଶକ ଶ୍ରୀ ପଟ୍ଟନାୟକ ନିଜର ଚମତ୍କାର ଓ ଚଟୁଳତାପୂର୍ଣ୍ଣ ଶବ୍ଦ ଓ ବାକ୍ୟ ମାଧ୍ୟମରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ନାଟକର ବିଭିନ୍ନ ଦିଗ ସମ୍ପର୍କରେ କହିଥିଲେ। ବିଶେଷ କରି କଳା ସମୀକ୍ଷାର ଆବଶ୍ୟକତା ଓ ଯୁବ ଏବଂ ଛାତ୍ରମାନଙ୍କ ପାଇଁ ଏହାର ଗୁରୁତ୍ୱ ସମ୍ପର୍କରେ ଶ୍ରୀ ପଟ୍ଟନାୟକ ବିଭିନ୍ନ ଉଦାହରଣ ମାଧ୍ୟମରେ ଦର୍ଶାଇଥିଲେ। ନିଜଜୁ ନିଜେ ଚିହ୍ଚିବା ହେଉଛି ସମୀକ୍ଷା, ତେଣୁ ଆମେ ସମସ୍ତେ ଆମର ମହାନ କଳାକୁ ଚିହ୍ଚିବା ଆବଶ୍ୟକ ବୋଲି ସେ କହିଥିଲେ। ଦିନକୁ ଦିନ ଆମେ ଅନୁକରଣପ୍ରିୟ ନହୋଇ ଅନୁସରଣକୁ ଗୁରୁତ୍ୱ ଦେଇ କାର୍ଯ୍ୟ କରିବା ପାଇଁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଥିଲେ। ଆର୍‌ଜେ କେପିଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମର ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଦେଇଥିଲେ ଏକାଡେମୀର ସାଧାରଣ ପରିଷଦର ସଦସ୍ୟ ଡ ସଞ୍ଜୟ ଚୌଧୁରୀ। କଳା ସମୀକ୍ଷା ବୈଠକର ସଂଯୋଜନା କରିଥିଲେ ନାଟ୍ୟାବିତ୍‌ ଶ୍ରୀ ପାଣ୍ଡେ। ଶ୍ରୀ ପାଣ୍ଡେଙ୍କ ନାଟକୀୟ ଛଟା ଏବଂ ନାଟକୀୟ ସଂଳାପ ଢାଞ୍ଚାରେ ଉଦ୍‌ବୋଧନ ବେଶ୍‌ ଆମୋଦ ଦାୟକ ହୋଇଥିଲା। କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ଉପସ୍ଥିତ ଛାତ୍ରଛାତ୍ରୀମାନେ କାର୍ଯ୍ୟକ୍ରମ ସମ୍ପର୍କରେ ଅତିଥିମାନଙ୍କ ସହିତ ବିଭିନ୍ନ ପ୍ରଶ୍ନ ପଚାରି ଏହାର ଉତ୍ତର ପାଇଥିଲେ। ଏହି କାର୍ଯ୍ୟକ୍ରମରେ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।  

Leave a Reply

Your email address will not be published. Required fields are marked *

error: Content is protected !!