କେନ୍ଦ୍ର ସଂଗୀତ ନାଟକ ଏକାଡେ଼ମୀ ଆୟୋଜିତ ଦ୍ୱିତୀୟ ସନ୍ଧ୍ୟାରେ ମନମୋହିଲା ଶାସ୍ତ୍ରୀୟ ନୃତ୍ୟ ଓ ସଙ୍ଗୀତ
1 min read
ରାଉରକେଲା ଇସ୍ପାତ କାରଖାନା ଆନୁକୂଲ୍ୟରେ କେନ୍ଦ୍ର ସଂଗୀତ ନାଟକ ଏକାଡେମୀ ନୂଆଦିଲ୍ଲୀ ଦ୍ୱାରା ଆୟୋଜିତ ଅମୃତ ଯୁବ କଳୋତ୍ସବର ଦ୍ୱତୀୟ ସନ୍ଧ୍ୟାରେ ଶାତ୍ରୀୟ ସଙ୍ଗୀତ ଓ ନୃତ୍ୟରେ ବିଭୋର ହୋଇଥିଲେ ଦର୍ଶକ। ଏହି ଅବସରରେ ଅତିଥିଭାବରେ ଯୋଗ ଦେଇଥିଲେ ଓଡି଼ଶା ସଂଗୀତ ନାଟକ ଏକାଡେମୀର ଉପ-ସଭାପତି ତଥା କେନ୍ଦ୍ର ସଂଗୀତ ନାଟକ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ନାଟ୍ୟକାର ମନ୍ମଥ କୁମାର ଶପତଥୀ। ଆର୍ଜେ କେପି ବା କୈଳାଶ ପାତ୍ରଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ଦେଇଥିଲେ ଏକାଡେମୀର ସାଧାରଣ ପରିଷଦ ସଦସ୍ୟ ତଥା ମହୋତ୍ସବର ସଂଯୋଜକ ଡ ସଞ୍ଜୟ ଚୌଧୁରୀ।

କାର୍ଯ୍ୟକ୍ରମ ଆରମ୍ଭରେ ଉତ୍ତର ପ୍ରଦେଶ ପ୍ରୟାଗରାଜରୁ ଆସିଥିବା ପ୍ରିୟଙ୍କା ମଲ୍ଲିକ ପାଣ୍ଡେ ଏବଂ ସାଥୀ କଳାକାରମାନେ ସୁମଧୂର କଣ୍ଠସ୍ୱରରେ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ଉପସ୍ଥାପନ କରିଥିଲେ। ଦ୍ୱିତୀୟରେ କେରଲର କୋଚିରୁ ଆସିଥିବା ‘କଳାମଣ୍ଡଳମ୍’ ର କଳାକାରମାନେ ‘କଥାକଳି’ ନୃତ୍ୟ ପରିବେଷଣ କରିଥିଲେ। ପାରମ୍ପରିକ ବେଶ ପୋଷାକ ସହିତ କେରଳର ବେଶ ପୋଷାକ ପରିଧାନ କରିଥିବା କଳାକାରମାନଙ୍କ ଦ୍ୱାରା ପ୍ରଦର୍ଶିତ ଏହି ନୃତ୍ୟ ଉପସ୍ଥିତ ଦର୍ଶକଙ୍କୁ ବେଶ୍ ଆମୋଦିତ କରିଥିଲା। ଦ୍ୱିତୀୟ ସନ୍ଧ୍ୟାର ଅନ୍ୟତମ କାର୍ଯ୍ୟକ୍ରମ ଥିଲା ଝାଡ଼ଖଣ୍ଡ ରାଜ୍ୟର ସରାଇକେଲା ଖରସୁଆଁର ସନାତନ ଏବଂ ଗୋଷ୍ଠୀର କଳାକାରମାନେ ଝାରଖଣ୍ଡର ପ୍ରସିଦ୍ଧ ଲୋକନୃତ୍ୟ ‘ବନ୍ସାଇ ନୃତ୍ୟ’ ପ୍ରଦର୍ଶନ କରିଥିଲେ। ଏହି ଲୋକନୃତ୍ୟରେ ଉପସ୍ଥିତ କଳାପ୍ରେମୀ ଦର୍ଶକ ମୋହିତ ହୋଇଥିଲେ।

ଶେଷରେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର କଳାକାରମାନେ ଦକ୍ଷିଣ ଓଡି଼ଶାର ପ୍ରସିଦ୍ଧ ଲୋକନୃତ୍ୟ ମାଧ୍ୟମରେ ‘ପ୍ରହ୍ଲାଦ’ ନାଟକ ପ୍ରଦର୍ଶନ ଦ୍ୱିତୀୟ ସନ୍ଧ୍ୟାର ମନୋରଞ୍ଜନର ଅନ୍ୟତମ ଆକର୍ଷଣ ଥିଲା। ବିଶିଷ୍ଟ ନାଟ୍ୟ ବ୍ୟକ୍ତିତ୍ୱ ମନ୍ମଥ ଶତପଥିଙ୍କ ନିର୍ଦ୍ଦେଶନାରେ ପୌରାଣିକ କଥାବସ୍ତୁକୁ ନେଇ ପରିବେଷିତ ଏହି ନାଟକରେ ଦୃଷ୍ଟ ଓ ଖଳମାନଙ୍କର ଅତ୍ୟାଚାରକୁ ଯୁଗେ ଯୁଗେ ଭଗବାନ ବିଷ୍ଣୁ ନିଜର ଅବତାର ମାଧ୍ୟମରେ ଦମନ କରିଥିବା ପ୍ରଦର୍ଶିତ ହୋଇଥିଲା।