ଅମ୍ରିତ ଧାରାରେ ଅମ୍ରିତ ନାହିଁ କି ପାଣି ନାହିଁ : କେବଳ ନାମଫଳକରେ ସିମୀତ ପାନୀୟ ଜଳ ପ୍ରକଳ୍ପ
1 min read
ରାଉରକେଲା ସହର ଓ ଆଖପାଖ ଅଞ୍ଚଳରେ ତାପମାତ୍ରା ସହିତ ଖରାର ପ୍ରକୋପ ବୃଦ୍ଧି ପାଇଥିଲାବେଳେ ବିଭିନ୍ନ ସ୍ଥାନରେ ସାମାଜିକ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନଗୁଡ଼ିକ ପକ୍ଷରୁ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଏହି କ୍ରମରେ ସେକ୍ଟର-୧୯ ଥାନା ସମ୍ମୁଖରେ ରୋଟାରୀ କ୍ଲବ୍ ଅଫ୍ ରାଉରକେଲା, ସେଣ୍ଟ୍ରାଲ୍ ପକ୍ଷରୁ ସ୍ଥାପିତ ହୋଇଥିଲା ଅମ୍ରୀତଧାରା- ସର୍ବସାଧାରଣ ଥଣ୍ଡା ପାନୀୟ ଜଳ ଯୋଗାଣ ପ୍ରକଳ୍ପ।

ଏକ ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମ ମାଧ୍ୟମରେ ଚଳିତ ବର୍ଷ ଅପ୍ରେଲ ୨୫ ତାରିଖ ଦିନ ଲୋକାର୍ପିତ ହୋଇଥିଲା ଏହି ପ୍ରକଳ୍ପ। ଉଦ୍ଦେଶ୍ୟ ଥିଲା ବ୍ୟସ୍ତବହୁଳ ଏହି ରାସ୍ତାରେ ଯାଉଥିବା ଶହ ଶହ ଯାତାୟତକାରୀ ସବୁଦିନ ପାନୀୟ ଜଳ ପାଇପାରିବେ। କିନ୍ତୁ ମାତ୍ର କିଛିଦିନର ବ୍ୟବଧାନ ପରେ ଏହି ପାନୀୟ ଜଳ ପ୍ରକଳ୍ପରେ ପାନୀୟ ଜଳ ବ୍ୟବସ୍ଥା ବ୍ୟତୀତ ଆଉ ସବୁ ରହିଛି। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଘଟଣା ହେଉଛି ଏହି ପାନୀୟ ଜଳ ପ୍ରକଳ୍ପ ଉଦ୍ଘାଟନ ସମୟରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହିତ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ।

ଏହା ସହିତ ଏହି ପ୍ରକଳ୍ପ ମଙ୍ଗଳମ୍ କମ୍ପାନୀର ସହଯୋଗରେ ହୋଇଥିଲା ଏବଂ ମଙ୍ଗଳମ୍ କମ୍ପାନୀର ପାଣି ଟାଙ୍କି ଏହି ପ୍ରକଳ୍ପରେ ବ୍ୟବହାର ହୋଇଥିଲା। ଏସବୁ ସତ୍ତ୍ବେ କେବଳ ସୁଦୃଶ୍ୟ ନାମ ଫଳକ ରହିଥିବା ଏହି ପାନୀୟ ଜଳ ପ୍ରକଳ୍ପ ‘ବହୁ ଆଡ଼ମ୍ବରରେ ଲଘୁ କ୍ରିୟା ଭଳି’ ହୋଇଥିବା ଆଲୋଚନା ଆରମ୍ଭ ହୋଇଛି।