ଦରବୃଦ୍ଧି ବିରୁଦ୍ଧରେ ‘ଓଡ଼ିଶା ବଞ୍ଚାଅ ଅଭିଯାନ’ ତରଫରୁ ବିକ୍ଷୋଭ
1 min read
ସମ୍ପ୍ରତି ଦେଶରେ ଉତ୍କଟ ଦରବୃଦ୍ଧି ଜନ ଜୀବନକୁ ବିପର୍ଯ୍ୟସ୍ତ କରିଛି। ଏହା ସହିତ ଗତ ତିନିମାସ ଧରି ମଣିପୁରରେ ଲାଗି ରହିଥିବା ହିଂସାତ୍ମକ କାର୍ଯ୍ୟକଳାପ ମଧ୍ୟ ଦେଇ ମହିଳାମାନଙ୍କ ବର୍ବରତା ବୃଦ୍ଧି ପାଇଛି। ଏହି ପ୍ରମୁଖ ଘଟଣାର ତୁରନ୍ତ ସମାଧାନ ଦାବିରେ ‘‘ଓଡିଶା ବଞ୍ଚାଅ ଅଭିଯାନ’ ସହବନ୍ଧିତ ଦଳମାନେ ଯଥା – ସମତା କ୍ରାନ୍ତି, ସି.ପି.ଆଇ (ଏମ୍), ସି.ପି.ଆଇ, ସି.ପି.ଆଇ (ଏମ୍.ଏଲ୍.) ଏବଂ ଓଡିଶା ପ୍ରଜାଦଳ ତରଫରୁ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଦ୍ରୋହ ପ୍ରଦର୍ଶନ କରିଛନ୍ତି। କଳାବଜାରୀ ଓ ମୁନାଫାଖୋରୀମାନଙ୍କ ବ୍ୟବସାୟ, ଆଗୁଆ ବାଣିଜ୍ୟ ଜରିଆ ରେ ଖାଦ୍ୟ ସାମଗ୍ରୀ ସମେତ ପନିପରିବା ଗୁଡ଼ିକର ଘରୋଇ ଶୀତଳଭଣ୍ଡାର ମାନଙ୍କରେ ବେଆଇନ୍ ଭାବେ ଗଚ୍ଛିତ ରଖି ଉଭୟ ଚାଷୀ ଓ ଖାଉଟିକୁ ଜବରଦସ୍ତ ଷୋଷଣ କରାଯାଉଛି ବୋଲି ଏହି ବିକ୍ଷୋଭରେ ଅଭିଯୋଗ କରାଯାଇଛି। ଏହିସବୁ ସମସ୍ୟା ସମାଧାନ ପାଇଁ ଚାଉଳ, ଗହମ ସମେତ ଅତ୍ୟାବଶ୍ୟକୀୟ ଦ୍ରବ୍ୟଗୁଡିକ ସରକାରୀ କଂଟ୍ରୋଲ୍ ଦୋକାନ ମାଧ୍ୟମରେ ସବୁ ବର୍ଗର ଜନସାଧାରଣଙ୍କୁ ଯୋଗଇଦେବାକୁ ଦାବି କରାଯାଇଛି ଏହା ସହିତ ମଣିପୁରରେ ତୁରନ୍ତ ଶାନ୍ତି ଫେରାଇ ଆଣିବା ଇତ୍ୟାଦି ଦାବି ସଂଲଗ୍ନ ଅନ୍ୟାନ୍ୟ ଦାବୀ ସମ୍ବଳିତ ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଢେଙ୍କାନାଳ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ରଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ସମତା କ୍ରାନ୍ତି ଓଡିଶା ଶାଖାର ଯୁବନେତା ସରୋଜ ଶତପଥୀ ସଭାପତିତ୍ବ କରିଲେ। ଏଥିରେବରିଷ୍ଠ ଆଇନ୍ଜୀଵି ମନୋରଞ୍ଜନ ପଟ୍ଟନାୟକ, ସି.ପି.ଆଇ.ଏମ୍. ରାଜ୍ୟ କମିଟି ସଦସ୍ୟ ବଦ୍ରିନାରାୟଣ ଦାସ, ସି.ପି.ଆଇ.(ଏମ୍) ଜିଲ୍ଲା ଆବାହକ ସର୍ବଜ୍ଞ ସାହୁ, ଯୁବନେତା ଅଶୋକ ପୃଷ୍ଟି, ସି.ପି.ଆଇ, ଜିଲ୍ଲା ସଂପାଦକ ଶିବରାମ ସାହୁ, ବରିଷ୍ଠ ଶ୍ରମିକ ନେତା ରବି ରଥ, ସିପିଆଇ ଜେନେରାଲ ସଂପାଦକ ପ୍ରଫୁଲ୍ଲ ନାଏକ, ସି.ପି.ଆଇ (ଏମ୍.ଏଲ୍)ର ଶ୍ରୀନିବାସ ସାହୁ, ଓଡ଼ିଶା ପ୍ରଜାଦଳ ତରଫରୁ ନୁଗୁର ଇସ୍ଲାମ ପ୍ରମୁଖ ବକ୍ତବ୍ୟ ରଖିଥିଲେ ।