ଆଇଇଏମଏସର ବରିଷ୍ଠ ବର୍ଗ, ସେକ୍ଟର ୨୦ ସହିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ସେକ୍ଟର ୧୮ର ପୁନଃମିଶ୍ରଣ
1 min read
ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବା ଯୋଗୁଁ ହୋଇଛି ମିଶ୍ରଣ : ଶିକ୍ଷାଦାନର ମାନ କମୁଥିବାରୁ ଛାତ୍ରଛାତ୍ରୀ ସଂଖ୍ୟା କମୁଥିବା ଚର୍ଚ୍ଚା
ରାଉରକେଲା ସହରର ଅନ୍ୟତମ ସୁନାମଧନ୍ୟ ବିଦ୍ୟାଳୟ ଭାବେ ପରିଚିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ବରିଷ୍ଠ ବର୍ଗ ସେକ୍ଟର-୨୦ ସହିତ ସେକ୍ଟର-୧୮ କନିଷ୍ଠ ବର୍ଗ ବିଦ୍ୟାଳୟକୁ ମିଶାଇ ଦିଆଯାଇଛି। ଏହା ସହିତ କନିଷ୍ଠ ବର୍ଗ ବିଦ୍ୟାଳୟରେ ପଢ଼ୁଥିବା ପ୍ରଥମରୁ ପଞ୍ଚମ ଶ୍ରେଣୀର ପ୍ରାୟ ୫୦୦ ଛାତ୍ରଛାତ୍ରୀ ଆଇଇଏମଏସ ସେକ୍ଟର ୨୦ ଶ୍ରେଣୀଗୃହରେ ଅଧ୍ୟୟନ କରିବେ ବୋଲି ସୂଚନା ଦିଆଯାଇଛି। ପୁନଃମିଶ୍ରଣର ଉତ୍ସବ ପାଳନ ଓ କନିଷ୍ଠ ପିଲାମାନଙ୍କୁ ସ୍ୱାଗତ ଜଣାଇବା ନିମନ୍ତେ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ସେକ୍ଟର ୨୦ ରେ ଜୁଲାଇ ୩୧ ତାରିଖରେ ଏକ ଉତ୍ସବର ଆୟୋଜନ କରାଯାଇଥିଲା।

ଆର୍ଏସପି ସହର ପ୍ରଶାସନ ଓ ସିଏସଆର ବିଭାଗର ମୁଖ୍ୟ ମହାପ୍ରବନ୍ଧକ ପ୍ରତାପ କୁମାର ସ୍ଵାଇଁ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ। ସେକ୍ଟର ୨୦ର ମୂଳ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରି ସେ ଚକୋଲେଟ ବଣ୍ଟନ କରିଥିଲେ। ଏହି ଅବସରରେ ସହର ସେବା ବିଭାଗର ଭାରପ୍ରାପ୍ତ ମହାପ୍ରବନ୍ଧକ ପି କେ ଦାସ, ସହର ସେବା ବିଭାଗର ମହାପ୍ରବନ୍ଧକ ମନୋଜ ଅଗ୍ରୱାଲ, ଇସ୍ପାତ ବିଦ୍ୟା ମନ୍ଦିରର ଅଧ୍ୟକ୍ଷ ତଥା ଏଜିଏମ କଙ୍ଗର ନାୟକ, ଆଇଇଏମଏସ ସେକ୍ଟର ୨୦ର ଅଧ୍ୟକ୍ଷ ସୁଶ୍ରୀତା ଦାସ, ବିଦ୍ୟାଳୟର ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ।

ପ୍ରଥମ ଦିନ ଉପଲକ୍ଷେ ପରିବେଶକୁ ଶିଶୁ ଅନୁକୂଳ କରିବା ପାଇଁ ବେଲୁନ୍ ଏବଂ ସୁନ୍ଦର ଚିତ୍ର ଓ ସ୍କେଚ୍ ଜରିଆରେ ବିଦ୍ୟାଳୟର ସଜ୍ଜିତ ରୂପକୁ ଜୁନିଅର ସେକ୍ସନର ପିଲାମାନେ ଉପଭୋଗ କରିଥିଲେ। କନିଷ୍ଠ ବିଭାଗର ଛାତ୍ରଛାତ୍ରୀମାନଙ୍କ ପାଇଁ ନୂତନ ଶ୍ରେଣୀ କୋଠରୀ ନିର୍ମାଣ କରାଯାଇଛି ଏବଂ ଏକ ସୁଗମ ପରିବର୍ତ୍ତନ ପାଇଁ ଆଇଇଏମଏସ ସେକ୍ଟର ୨୦ ରେ ଆବଶ୍ୟକୀୟ ସୁବିଧା ଏବଂ ଭିତ୍ତିଭୂମି ସ୍ଥାପନ କରାଯାଇଥିବା ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ ଯେ, ଗୋଟିଏ ସମୟରେ ସହରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଓ ଲୋକପ୍ରିୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟଭାବେ ପରିଚିତ ଆଇଇଏମଏସ୍ ୧୯୬୧ ମସିହାରେ ରାଉରକେଲା ଇସ୍ପାତ କାରଖାନାର କର୍ମଚାରୀମାନଙ୍କ ପିଲାମାନଙ୍କ ଅଧ୍ୟୟନ ନିମନ୍ତେ ସ୍ଥାପିତ ହୋଇଥିଲା। ଗତ ୬୨ ବର୍ଷ ମଧ୍ୟରେ ଏହି ବିଦ୍ୟାଳୟରେ ଅଧ୍ୟୟନ କରିଥିବା ଛାତ୍ରଛାତ୍ରୀମାନେ ବିଭିନ୍ନ ସ୍ଥାନରେ କାର୍ଯ୍ୟକରି ସୁନାମ ଅର୍ଜନ କରିବା ସହ ବିଦ୍ୟାଳୟକୁ ଗର୍ବିତ କରିଯାଇଛନ୍ତି। ତା’ ମଧ୍ୟରେ ଅଛନ୍ତି ପ୍ରତିଷ୍ଠିତ ମାଗାସେସେ ପୁରସ୍କାର ପାଇଥିବା ଛାତ୍ର ହରିଶ ହାଣ୍ଡେ। ବିଦ୍ୟାଳୟର ସୂବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ହରିଶ୍ଙ୍କୁ ସ୍ୱତନ୍ତ୍ରଭାବେ ସମ୍ବର୍ଦ୍ଧିତ କରାଯାଇଥିଲା।
ଏହା ସତ୍ତ୍ୱେ ସୁଦ୍ଧା କାରଖାନା କର୍ତ୍ତୃପକ୍ଷଙ୍କ ଭୁଲ୍ ନୀତି ଯୋଗୁଁ ଏହି ବିଦ୍ୟାଳୟରେ ପ୍ରତି ବର୍ଷ ଛାତ୍ର ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ଏହା ଯୋଗୁଁ ଗୋଟିଏ ସମୟରେ ଅଧିକ ଛାତ୍ରଛାତ୍ରୀଙ୍କ ପାଇଁ କନିଷ୍ଠ ଓ ବରିଷ୍ଠ ବର୍ଗର ଦୁଇଟି ବିଦ୍ୟାଳୟ ଥିବା ଆଇଇଏମ୍ଏସ୍ ଏବେ କିଛିବର୍ଷର ବ୍ୟବଧାନ ପରେ ପୁଣି ଗୋଟିଏ ଛାତ ତଳେ କାର୍ଯ୍ୟକ୍ଷମ ହୋଇଛି। ଅନ୍ୟପକ୍ଷରେ ଏହି ବିଦ୍ୟାଳୟରେ ଅଧ୍ୟୟନ କରିବା ପାଇଁ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡ଼େନାହିଁ। ତେଣୁ ଏଠାରେ ହେଉଥିବା ବିଭିନ୍ନ ପ୍ରକାରର ଖର୍ଚ୍ଚ ଆର୍ଏସପି କର୍ତ୍ତୃପକ୍ଷ କରିଥାନ୍ତି। ଏହି କ୍ରମରେ ଖର୍ଚ୍ଚ କାଟ ଆଳରେ ଗତ କିଛିବର୍ଷ ଧରି ଏହି ବିଦ୍ୟାଳୟରେ ନିୟମିତ ଶିକ୍ଷକ ଶିକ୍ଷୟିତ୍ରୀ ନିଯୁକ୍ତି କରା ନଯାଇ କେତେବେଳେ ୧୧ ମାସିଆ ଓ କେତେବେଳେ ୧୦ ମାସିଆ ଶିକ୍ଷକ ନିଯୁକ୍ତି ହେଉଛି। ଏହି ନିଯୁକ୍ତି ମଧ୍ୟ ସମ୍ପୂର୍ଣ୍ଣ ଅସ୍ଥାୟୀ। ଅର୍ଥାତ୍ ଜଣେ ଶିଷକ ନିର୍ଦ୍ଦିଷ୍ଟ ଶିକ୍ଷାବର୍ଷରେ ନିଯୁକ୍ତି ହୋଇଥିଲେ, ପର ଶିକ୍ଷାବର୍ଷ ବେଳକୁ ତାଙ୍କର ନିଯୁକ୍ତି ଆଉଥରେ ହେବାର କୌଣସି ସ୍ଥାୟିତ୍ୱ ନାହିଁ। ଏହାଫଳରେ ଏଠାରେ ନିଯୁକ୍ତି ପାଉଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ କେବଳ ‘ଗୁଳମୁଣ୍ଡ ଛୁଇଁବା ନ୍ୟାୟରେ’ ପାଠ ପଢ଼ାଉଛନ୍ତି।
ସେହିଭଳି ମିଳିଥିବା ସୂଚନା ମୁତାବକ ଏହି ବିଦ୍ୟାଳୟ ସିଆଇଏସ୍ସିଇ ସହବନ୍ଧିତ ହୋଇଥିଲାବେଳେ ଏଠାରେ ପାଠ୍ୟକ୍ରମର ମାଧ୍ୟମ ହେଉଛି ଇଂରାଜୀ। କିନ୍ତୁ ୨୦୨୩-୨୪ ଶିକ୍ଷାବର୍ଷ ପାଇଁ ନିଯୁକ୍ତି ପାଇଥିବା ସଂଖ୍ୟାଧିକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ ନକରି ଓଡ଼ିଆ ବା ହିନ୍ଦି ମାଧ୍ୟମରେ ଶିକ୍ଷାଦାନ କରୁଥିବା କିଛି ଅଭିଭାବକ କହିଛନ୍ତି। ଏହା ଯୋଗୁଁ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗିଥିବା ଅଭିଯୋଗ ହେଉଛି।
ରାଉରକେଲା ଇସ୍ପାତ କାରଖାନା ଦ୍ୱାରା ପରିଚାଳିତ ଇସ୍ପାତ ଶିଳ୍ପ ସହରାଞ୍ଚଳ ଅର୍ଥାତ୍ ସେକ୍ଟର-୧ ରୁ ୨୧ ମଧ୍ୟରେ ଥିବା ଆଇଇଏମ୍ଏସ୍ ସେକ୍ଟର-୨୦ ହେଉଛି ଏକମାତ୍ର ବିଦ୍ୟାଳୟ। ତେଣୁ ଏହି ବିଦ୍ୟାଳୟ ପ୍ରତି କାରଖାନା କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ବିଦ୍ୟାଳୟର ମାନ ବୃଦ୍ଧି ନିମନ୍ତେ ବ୍ୟବସ୍ଥା କରିବା ପାଇଁ ଦାବି ହେଉଛି।