Skip to content
ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ତିଆ ଥାନା ଅନ୍ତର୍ଗତ ବନେଇକଳା ପଞ୍ଚାୟତର ବାଦଲଗିରି ଜଳପ୍ରପାତରେ ବୁଡ଼ି ରାଉରକେଲା ଏନ୍ଆଇଟିରେ କାର୍ଯ୍ୟରତ ଜଣେ ଠିକା କର୍ମଚାରୀ ନିଖୋଜ ହୋଇଯାଇଛନ୍ତି। ସେ ହେଉଛନ୍ତି ଦେବଗଡ଼ ଜିଲ୍ଲା ବାରକୋଟ୍ ଥାନା ବଳିତା ଅଞ୍ଚଳର ଅକ୍ଷୟ ସାହୁଙ୍କ ପୁଅ ୨୩ ବର୍ଷୀୟ ଜୟକୃଷ୍ଣ ସାହୁ। ମାତ୍ର କିଛିମାସ ପୂର୍ବେ ଆଉଟସୋର୍ସିଙ୍ଗ ବା ବାହ୍ୟ ସଂସ୍ଥା ମାର୍ସ ପ୍ଲାନେଟ ଦ୍ବାରା ଠିକାରେ ଏନ୍ଆଇଟି ହାର୍ଡୱେର ମେଣ୍ଟେନାନ୍ସ ବିଭାଗରେ ସେ କାମ କରିବା ଆରମ୍ଭ କରିଥିଲେ। ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଗୁରୁଣ୍ତିଆ ପୁଲିସ ଓ ଅଗ୍ନିଶମ ବିଭାଗ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ଖୋଜଖବର ମିଳିନାହିଁ। ଆସନ୍ତାକାଲି ଓଡ୍ରାଫ୍ ଟିମ୍ ସହାୟତାରେ ପୁଣି ଖୋଜାଯିବ ବୋଲି ଜଣାପଡ଼ିଛି। ସୂଚନା ମୁତାଅକ ବଣାଇ ବନଖଣ୍ତ ଅଧୀନରେ ଥିବା ଏହି ଜଳପ୍ରପାତକୁ ରବିବାର ରାଉରକେଲାର ଛେଣ୍ତ ଅଞ୍ଚଳରୁ ୪ ଜଣ ବୁଲିବାକୁ ଆସିଥିଲେ। ସେମାନେ ହେଉଛନ୍ତି ଜୟକୃଷ୍ଣ ସାହୁ, ଅଜୟ କୁମାର ସାହୁ, ଆଶିଷ କୁମାର ଠାକୁର, ପ୍ରତ୍ୟୁଷ ରଞ୍ଜନ ମହାନ୍ତି। ଜଳପ୍ରପାତରେ ଗାଧୋଉଥିବାବେଳେ ଜୟକୃଷ୍ଣ ଜଳପ୍ରପାତ ସ୍ରୋତରେ ଭାସିଯାଇ ନିଖୋଜ ହୋଇଯାଇଥିଲେ। ତାଙ୍କ ସହିତ ଯାଇଥିବା ସାଙ୍ଗମାନେ ବହୁ ଖୋଜାଖୋଜି ପରେ ମଧ୍ୟ ସେ ନ ମିଳିବାରୁ ଗୁରୁଣ୍ତିଆ ଥାନା ପୁଲିସ ଏବଂ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଖୋଜାଖୋଜି କରି ବିଫଳ ହୋଇଥିଲେ।
ବାଦଲଗିରି ଜଳପ୍ରପାତ ବିପଦସଂକୁଳ ହୋଇଥିବାବେଳେ ଏଠାରେ ପର୍ଯ୍ୟଟକମାନଙ୍କୁ ଗାଧୋଇବା ପାଇଁ ଅନେକ ଦିନ ପୂର୍ବରୁ ବାରଣ କରାଯାଇଛି। ଏହା ସତ୍ତ୍ବେ ସୁଦ୍ଧା ଅନେକ ପର୍ଯ୍ୟଟକ ପ୍ରତିଦିନ ଯାଇ ଜଳପ୍ରପାତରେ ଗାଧେଇବା ଏବଂ ଅଘଟଣ ଘଟି ଅନେକ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି। କିଛିମାସ ପୂର୍ବେ ପ୍ରଶାସନ ପକ୍ଷରୁ ଏହି ଜଳପ୍ରପାତକୁ ବନ୍ଦକରି ଦିଆଯାଇଥିଲା। କିଛିଦିନ ପୂର୍ବେ ଏହାକୁ ଖୋଲାଯାଇଥିବାରୁ ବହୁ ପର୍ଯ୍ୟଟକ ଜଳପ୍ରପାତରେ ଗାଧୋଉଥିବା ସୂଚନା ମିଳିଛି।
ସ୍ଥାନୀୟ ପ୍ରଶାସନ ପକ୍ଷରୁ ଏଥିପାଇଁ ସତର୍କ ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି। ଦୁଇବର୍ଷ ପୂର୍ବେ ଜଳପ୍ରପାତରେ ଭାସିଯାଇ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସେଠାରେ ଗାଧୋଇବା ପାଇଁ ପ୍ରତିବନ୍ଧକ ଲଗାଯାଇଥିଲା। ଅନ୍ୟପକ୍ଷରେ ଏହାର ଉନ୍ନତୀକରଣ ପାଇଁ ପର୍ଯ୍ୟଟନ ବିଭାଗ ପକ୍ଷରୁ ୬ କୋଟି ଟଙ୍କା ଅନୁଦାନ ଦିଆଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ କୌଣସି ଅଜଣା କାରଣରୁ ଏହି ଅନୁଦାନରୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ ହୋଇପାରିନାହିଁ।
Post Views: 397
error: Content is protected !!