ରାଜଗାଙ୍ଗପୁରରେ କାରଖାନା ରେ କାର୍ଯ୍ୟରତ ସମୟରେ ଖସି ପଡି ଶ୍ରମିକଙ୍କ ମୃତ୍ୟୁ
1 min read
ରାଜଗାଙ୍ଗପୁର ସ୍ଥିତ ଏମଆର ଫେରୋରେ ହୋଇଛି ଦୁର୍ଘଟଣା। କାରଖାନାରେ କାର୍ଯ୍ୟରତ ଥିବା ସମୟରେ ଉଚ୍ଚରୁ ଖସି ପଡି ଜଣେ ଶ୍ରମିକର ମୃତ୍ୟୁ ହୋଇଛି। ମୃତକ ହେଉଛନ୍ତି ନିକଟସ୍ଥ ଲମଲୋଇ ଗ୍ରାମର ୩୪ ବର୍ଷୀୟ ପ୍ରକାଶ ମାଝୀ। ସୂଚନା ମୁତାବକ ରାଜଗାଙ୍ଗପୁର ଲମଲୋଇ ଗ୍ରାମରେ ଥିବା ଏମ ଆର ଫେରୋରେ ଗୁରୁବାର ପ୍ରାୟ ୧୧ଟା ସମୟରେ କାରଖାନାର ଶେଡ଼ରେ ଆଜବେଷ୍ଟ କାର୍ଯ୍ୟ କରୁଥିବା ସମୟରେ ପ୍ରକାଶ ଉପରୁ ଖସି ପଡି ତଳେ ପଡ଼ିଯାଇଥିଲେ।

ଏହା ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ଏକ ଘରେଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ସ୍ଥାନୀୟ ସିଏଚସି କୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଜଣେ ଠିକାଦାର ଅଧୀନରେ କାର୍ଯ୍ୟରତ ପ୍ରକାଶ କାରଖାନାରେ ପ୍ରଥମ ଦିନ କାର୍ଯ୍ୟରତ ସମୟରେ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ଏହି ଘଟଣା ପରେ କାରଖାନାରେ କାର୍ଯ୍ୟରତ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।