ଏନ୍‌ଆଇଟି ରାଉରକେଲାରେ ଚଳିତ ଶିକ୍ଷା ବର୍ଷରୁ ନୂତନ ଶିକ୍ଷାନୀତି ଅନୁସାରେ ପାଠ୍ୟକ୍ରମ ଆରମ୍ଭ

1 min read
Spread the love

୨୦୨୦ ଜାତୀୟ ଶିକ୍ଷାନୀତି ଅନୁଯାୟୀ ଚଳିତ ଶିକ୍ଷାବର୍ଷ ଅର୍ଥାତ୍‌ ୨୦୨୩-୨୦୨୪ରୁ ରାଉରକେଲା ସ୍ଥିତ ଜାତିୟ ପ୍ରଯୁକ୍ତି ପ୍ରତିଷ୍ଠାନରେ ପାଠ୍ୟକ୍ରମ ଆରମ୍ଭ କରାଯିବ। ଏ ନେଇ ଅନୁଷ୍ଠାନ ପରିସରରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦିଆଯାଇଛି। ପ୍ରତିଷ୍ଠାନର ନିର୍ଦ୍ଦେଶକ ପ୍ରଫେସର କେ ଉମାମହେଶ୍ୱର ରାଓଙ୍କ ସୂଚନା ମୁତାବକ ଆସନ୍ତା ମାସ ଦ୍ୱିତୀୟ ସପ୍ତାହରୁ ନୂତନ ଶିଷାବର୍ଷ ଆରମ୍ଭ ହେବ। ଏଥିରେ ଅଧ୍ୟୟନ କରିବା ପାଇଁ ନାମ ଲେଖାଇଥିବା ସମସ୍ତ ପାଠ୍ୟକ୍ରମର ଛାତ୍ରଛାତ୍ରୀମାନଙ୍କ ପାଇଁ ନୂତନ ଶିକ୍ଷାନୀତି ଅନୁଯାୟୀ ପାଠ୍ୟଖସଡ଼ା ପ୍ରସ୍ତୁତ ହୋଇଛି। ଏହି ନୂତନ ପାଠ୍ୟଖସଡ଼ା ଓ ପାଠ୍ୟକ୍ରମରେ ସମସ୍ତ ଛାତ୍ରଛାତ୍ରୀ ଏକାସାଙ୍ଗରେ  ନିଜ ନିଜର ବିଭାଗୀୟ ପାଠ୍ୟକ୍ରମ ସହିତ ଅନ୍ୟାନ୍ୟ ବିଭାଗର ପାଠ୍ୟକ୍ରମ ଏବଂ ନିଜ ପସନ୍ଦ ଅନୁଯାୟୀ ଅନ୍ୟାନ୍ୟ ପାଠ୍ୟକ୍ରମ ଚୟନ କରିପାରିବେ। ଏହାଫଳରେ ଛାତ୍ରଛାତ୍ରିମାନଙ୍କର ଶୈକ୍ଷିକ ଜ୍ଞାନ ସହିତ ବୌଦ୍ଧିକ ଜ୍ଞାନର ସମ୍ପୂର୍ଣ୍ଣ ବିକାଶ ହୋଇପାରିବା ସହ ମାନସିକ ଦକ୍ଷତାର ବିକାଶ ହେବ। ସେହିଭଳି ପ୍ରତିଷ୍ଠାନର ଲୋକ ସମ୍ପର୍କ ବିଭାଗର ମୁଖ୍ୟ ତଥା ପୂରାତନ ଛାତ୍ର ବିଭାଗର ଡିନ୍‌ ପ୍ରଫେସର ହିମାଂଶୁ ଭୂଷଣ ସାହୁଙ୍କ ସୂଚନା ମୁତାବକ ଜାତୀୟ ଶିକ୍ଷାନୀତି-୨୦୨୦ରୁ ସମ୍ପୂର୍ଣ୍ଣଭାବେ ପ୍ରଣୟନ ନିମନ୍ତେ ପ୍ରତିଷ୍ଠାନର ସମସ୍ତ ବିଭାଗ ପ୍ରସ୍ତୁତ ରହିଛି। ଏଥିପାଇଁ ଆବଶ୍ୟକ ପ୍ରଶିକ୍ଷଣ ଓ ଜ୍ଞାନକୌଶଳ ବିକଶିତ କରାଯାଇଛି। ତେଣୁ ଏନ୍‌ଆଇଟି ରାଉରକେଲାରେ ଚଳିତ ଶିକ୍ଷାବର୍ଷରୁ ନାମ ଲେଖାଇଥିବା ଛାତ୍ରଛାତ୍ରୀମାନେ ସେମାନଙ୍କର ପାଠ୍ୟକ୍ରମ ଶେଷ ପରେ ଏକ ନବୀକୃତ ଓ ଉନ୍ନତ ବ୍ୟବସ୍ଥାର ଭାଗିଦାରୀ ହୋଇପାରିବେ ବୋଲି ପ୍ରଫେସର ସାହୁ କହିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଏନ୍‌ଆଇଟି, ରାଉରକେଲାର କୁଳସଚିବ ପ୍ରଫେସର ରୋହନ ଧିମାନଙ୍କ ସମେତ ପାଠ୍ୟକ୍ରମ ବିଭାଗର ଡିନ୍‌ ପ୍ରଫେସର ସ୍ନେହାସିଶ ଚକ୍ରବର୍ତ୍ତୀ ପ୍ରମୁଖ ଉପସ୍ଥିତ ଥିଲେ।      

Leave a Reply

Your email address will not be published. Required fields are marked *

error: Content is protected !!