ସହର ସେବା ସମିତି ଓ କାର୍ସିନୋଭା କ୍ୟାନସର ହସପିଟାଲ୍ ମିଳିତ ସହଯୋଗରେ କର୍କଟ ସଚେତନତା ଶିବିର
1 min read
ସାମାଜିକ ଅନୁଷ୍ଠାନ ସହର ସେବା ସମିତି ଓ କାର୍ସିନୋଭା କ୍ୟାନସର ହସପିଟାଲ୍, କଟକର ମିଳିତ ଆନୁକୂଲ୍ୟରେ କର୍କଟ ରୋଗ ସଚେତନତା ଶିବିର ରାଉରକେଲାର ହୋଟେଲ ସୋଲାସ ଠାରେ ଅନୁଷ୍ଠିତ ହୋଇଯାଇଛି। ସମିତିର ଉପସଭାପତି ପୁଷ୍ପା ଲେଙ୍କା ଙ୍କ ସଭାପତିତ୍ବ ଏବଂ ଆବାହକ ଶୈଳେନ୍ଦ୍ର ମହାନ୍ତିଙ୍କ ଆବାହକତ୍ବରେ ଏହି କାର୍ଯ୍ୟକ୍ରମ ହୋଇଥିଲା। କବି କୁଞ୍ଜବିହାରୀ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କାର୍ସିନୋଭା କ୍ୟାନସର ହସପିଟାଲରର ମୁଖ୍ୟ ତଥା ପରିଚାଳନା ନିର୍ଦ୍ଦେଶକ ଡାକ୍ତର କ୍ଷିତିଶ ଚନ୍ଦ୍ର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ କର୍କଟ ରୋଗର କାରଣ ଓ ନିରାକରଣ ଉପରେ ଆଲୋଚନା କରିବା ସହ ପ୍ରୋଜେକ୍ଟର ମାଧ୍ୟମରେ ଏହାର ସରଳୀକରଣ କରିଥିଲେ। ଏହି ଅବସରରେ ଡାକ୍ତର ମିଶ୍ର କର୍କଟ ସଚେତନତା ସମ୍ପର୍କରେ ଆଲୋଚନା କରି କହିଲେ ଯେ କ୍ୟାନସର ଆଦୌ ଡିଆଁରୋଗ ନୁହେଁ ତମାଖୁ ଯେତେ ବ୍ୟବହାର ନକରିବ ସେତେ ସ୍ବାସ୍ଥ୍ୟ ପାଇଁ ନିରାପଦ। କର୍କଟ ରୋଗ କାରଣର ୭ଟି ମୁଖ୍ୟ ଲକ୍ଷଣ ନେଇ କହିଲେ ଯେ ଝାଡା ଓ ପରିଶ୍ରା ଅଭ୍ୟାସରେ ବ୍ୟାପକ ପରିବର୍ତ୍ତନ, ଉପଶମ ହେଉ ନଥିବା ଘା, ଅସ୍ବାଭାବିକ ରକ୍ତସ୍ରାବ,ସ୍ତନ କିମ୍ବା ଅନ୍ୟ କେଉଁଠି ମାଂସ ପିଣ୍ଡୁଳା( ଉଭୟ ନାରୀ ଓ ପୁରୁଷ)ଙ୍କ ପାଇଁ , ବଦହଜମି କିମ୍ବା ଗିଳିବାରେ କଷ୍ଟ, ଭାତୁଡି ବା କଳାଯାଇର ପରିବର୍ତ୍ତନ, ବାରମ୍ବାର କାଶ ବା ସ୍ବର ଗମ୍ଭୀରତା ଆଦି ଏହାର ଲକ୍ଷଣ ହୋଇଥିବା ବେଳେ ମୁଖ କର୍କଟ ପାଇଁ ପାନ, ଗୁଆ, ଜର୍ଦ୍ଦା,ଗୁଡାଖୁ ପ୍ରମୁଖ ଛାଡିବା ଉଚିତ। କ୍ୟାନସର କେହି କହିଦେଲେ ହୁଏ ନାହିଁ, ଏଥିପାଇଁ ମାଁସ ପରୀକ୍ଷା ଅନିର୍ବାର୍ଯ୍ୟ। କୌଣସି ଯାଗାରେ ଆବୁ ବା ମାଁସ ପିଣ୍ଡୁଳା ବଢିଲା ତେବେ ଏହା କ୍ୟାନସର ଲକ୍ଷଣ ହୋଇପାରେ।

ଏନେଇ ଡଃ ମିଶ୍ର କାର୍ସିନୋଭା କର୍କଟ ହସପିଟାଲ୍ରେ ମୂଳଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଅର୍ଥନୈତିକ ଦୁର୍ବଳତା ଓ ସରକାରଙ୍କ ଦ୍ବାରା ଅବହେଳିତ ହୋଇଥିବା ରୋଗୀଙ୍କୁ ସେବା ଯୋଗାଇଦେବା କାସ୍ରିନୋଭା ହସ୍ପିଟାଲ୍ର ମୁଳଲକ୍ଷ୍ୟ ବୋଲି ସେ କହିଥିଲେ । କାର୍ଯ୍ୟକ୍ରମରେ ସହରର ପ୍ରମୁଖ ଅନୁଷ୍ଠାନର ବାସନ୍ତୀ ପାଠାଗାର, ଗୋପବନ୍ଧୁ ପାଠାଗାର,ଭଜକୃଷ୍ଣ ସାରସ୍ବତ ସ୍ମୃତି ସଂସଦ, ସହର ସେବା ସମିତି, ସରଳା ଦେବୀ ସ୍ମୃତି ସଂସଦ, ପ୍ରୟାସ, ସଚେତନ ନାଗରିକ ମଞ୍ଚ,ଉଦିତନଗର ହାଇସ୍କୁଲ ଆଲୁମନି ଆସୋସିଏସନ୍ ର କର୍ମକର୍ତ୍ତା ମାନେ ଶତାଧିକ ସଂଖ୍ୟାରେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ହସପିଟାଲର ସୂଚନା ଓ ଲୋକସଂପର୍କ ଅଧିକାରୀ କିଶୋର ଚନ୍ଦ୍ର ରଥ ଓ ସହରସେବା ସମିତିର ବରିଷ୍ଠ ସଦସ୍ୟ ରାଜୀବ ସିଂ, ଚନ୍ଦ୍ରଶେଖର ପାଢୀ ଓ ଅନ୍ୟମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଡାକ୍ତର ମିଶ୍ର ଆଇଏମଏ, ରାଉରକେଲା ଶାଖା ତରଫରୁ ଆରଜିଏଚ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ କର୍କଟ ରୋଗ ସଂପର୍କରେ ବକ୍ତବ୍ଯ ରଖିଥିଲେ । ଏହି ଅବସରରେ ଅନୁଷ୍ଠାନ ତରଫରୁ ଡାକ୍ତର ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ଶେଷରେ ସଭାପତିତ୍ବ କରୁଥିବା ଶ୍ରୀମତୀ ଲେଙ୍କା ସଭାପତିତ୍ବ ଅଭିଭାଷଣ ସହ କାର୍ଯ୍ୟକ୍ରମର ସଫଳ ଋପାୟନ ପାଇଁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।