ରାଜସ୍ଥାନ କାମ କରି ଯାଇଥିବା ବନ୍ଧମୁଣ୍ଡାର ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ: ମର ଶରୀର ରାଉରକେଲାରେ ପହଞ୍ଚିବା ପରେ ହେଲା ସତ୍କାର
1 min read
ରୋଜଗାର ପାଇଁ ରାଉରକେଲାରୁ ରାଜସ୍ଥାନ ଯାଇଥିବା ରୋଜଗାରିଆ ପୁଅକୁ ମାରିଦେଲେ। କିଏ ଓ କାହିଁକି ପୁଅକୁ ହତ୍ୟା କଲା, କିଛି ଜାଣିପାରିଲେନି ପରିବାର। ରାଜସ୍ଥାନ ଅଜମେର ହସ୍ପିଟାଲରେ ମର୍ଗ ହାଉସରେ ପୁଅର ଶବ ରହିଲା। ନ୍ୟାୟ ପାଇବାକୁ ଅଜମେର ଏସ୍ପିଙ୍କ କାର୍ଯ୍ୟାଳୟରୁ ରେଳବାଇ ଥାନାକୁ ବାରମ୍ବାର ଦୌଡ଼ିବା ପରେ ମଧ୍ୟ ନ୍ୟାୟ ମିଳିଲା ନାହିଁ। ନ୍ୟାୟ ପାଇବାକୁ ଦୁଇ ଦିନ ଏସ୍ପିଙ୍କ କାର୍ଯ୍ୟାଳୟ ଓ ରେଳବାଇ ଥାନାରେ ଘଣ୍ଟା ଘଣ୍ଟା ଧରି ଠିଆ ହୋଇ ରହିଲେ ମୃତକଙ୍କ ପିତା ଓ ସମ୍ପର୍କୀୟ। ଭାବିଥିଲେ ମୋତେ ନ୍ୟାୟ ମିଳିବ। ପୁଅ ହତ୍ୟାକାରୀକୁ କଠୋର ଦଣ୍ଡ ମିଳିବ। କିନ୍ତୁ କେହି ଦୁଃଖ ଶୁଣିଲେନି। ନିରୂପାୟ ହୋଇ ଶେଷରେ ମର୍ଗରେ ଥିବା ପୁଅର ଶବକୁ ନେଇ ରାଉରକେଲା ଫେରିଲେ ତାବ୍ଲୁ ତନ୍ତୀ ଓ ସମ୍ପର୍କୀୟ। ରାଉରକେଲା ବନ୍ଧମୁଣ୍ଡାରେ ପୁଅର ଶବକୁ ନେଇ ପହଞ୍ଚିବା ପରିବାର ଓ ସମ୍ପର୍କୀୟଙ୍କ ଆଗରେ ଏମିତି ଦୁଃଖଭରା କାହାଣୀ କହିଛନ୍ତି ମୃତ ହରିଶର ବାପା ତାବଲୁ ତନ୍ତୀ। ଶବ ପହଞ୍ଚିବା ପରେ ବନ୍ଧମୁଣ୍ଡାରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରିବାର ଓ ବନ୍ଧୁ ପରିଜନଙ୍କ ଉପସ୍ଥିତିରେ ବେଦବ୍ୟାସ ଶ୍ମଶାନ ଘାଟରେ ହରିଶର ଶବ ସଂସ୍କାର ହୋଇଛି।
ରାଉରକେଲା ସହରର ବନ୍ଧମୁଣ୍ଡା ଅଞ୍ଚଳର ଜଣେ ଯୁବକଙ୍କୁ ଗୁରୁବାର ରାଜସ୍ଥାନର ଅଜମେରରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲେ। ମୃତକ ହେଉଛନ୍ତି ବନ୍ଧମୁଣ୍ଡା ‘ବି’ ସେକ୍ଟରର ୨୦ ବର୍ଷିୟ ହରିଶ ତନ୍ତୀ। ମୁଣ୍ଡ, ନାକ ଓ ମୁହଁରେ ଗଭୀର କ୍ଷତ ଚିହ୍ନ ଥିବାରୁ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଶବ ଆଣିବାକୁ ମୃତଙ୍କ ପିତା ତାବୁଲ ତନ୍ତୀ ନିଜ ସଂପର୍କୀୟଙ୍କ ସହ ଶୁକ୍ରବାର ରାଉରକେଲାରୁ ରାଜସ୍ଥାନ ଯାଇଥିଲେ। ଏକ ସ୍ବତନ୍ତ୍ର ଗାଡ଼ିରେ ମୃତକଙ୍କ ମୃତଦେହ ନେଇ ବୁଧବାର ସେମାନେ ରାଉରକେଲା ପହଞ୍ଚିଥିଲେ।

ସୂଚନା ମୁତାବକ ବନ୍ଧମୁଣ୍ଡା ‘ବି’ ସେକ୍ଟର, ୨୩୯ ନମ୍ବର ରେଳବାଇ କ୍ବାର୍ଟର୍ସରେ ତାବ୍ଲୁ ତନ୍ତୀ ପରିବାର ସହ ରହନ୍ତି। ସେ ବନ୍ଧମୁଣ୍ଡା ରେଳବାଇରେ ଚାକିରି କରନ୍ତି। ତାଙ୍କ ବଡ଼ ପୁଅ ହରିଶ ଗତ ଦୁଇ ବର୍ଷ ଧରି ଗୁଜୁରାଟର ଏକ ଘରୋଇ କମ୍ପାନିରେ ଟାୱାର ବସାଇବା କାମରେ ନିୟୋଜିତ ଥିଲେ। ଗୁରୁବାର ରାଜସ୍ଥାନ ଅଜମେରକୁ ଏକ ଟାୱାର ବସାଇବାକୁ ଟ୍ରେନ୍ରେ ବାହାରିଥିଲେ। ସେହିଦିନ ଅପରାହ୍ଣରେରେ ଅଜମେରରେ ପହଞ୍ଚିଥିଲେ। ତାବଲୁଙ୍କ ସୂଚନା ମୁତାବକ ଟ୍ରେନ୍ରେ ଯାତ୍ରା କରୁଥିବାବେଳେ ଅଜମେର ପହଞ୍ଚିବା ପୂର୍ବରୁ ଚୋରି ଅଭିଯୋଗରେ ତାଙ୍କ ପୁଅକୁ ରେଳବାଇ ପୁଲିସ ଓ ଅନ୍ୟ କିଛି ଯୁବକ ମାଡ଼ ମାରିଥିଲେ। ପରେ ରେଳବାଇ ପୁଲିସ ହରିଶକୁ ଗିରଫ କରିଥିଲା। କୋର୍ଟରୁ ମୁକୁଳାଇବା ପାଇଁ ଜଣେ ଆଇନଜୀବୀ ତାଙ୍କୁ କଲ୍ କରି ୫ ହଜାର ଟଙ୍କା ପଠାଇବାକୁ କହିଥିଲେ। ସେ ୫ ହଜାର ଟଙ୍କା ମଧ୍ୟ ପଠାଇଥିଲେ। ସେହିଦିନ ସଂଧ୍ୟା ପ୍ରାୟ ୫ଟାରେ ହରିଶକୁ କୋର୍ଟରୁ ଜାମିନ ମିଳିଯାଇଥିଲା। କୋର୍ଟରୁ ଜାମିନରେ ମୁକୁଳିବା ପରେ ଆଇନଜୀବୀ ଜଣକ ହରିଶକୁ ଘରକୁ ପଠାଇବାର ବ୍ୟବସ୍ଥା କରୁଛନ୍ତି ବୋଲି କହିଥିଲେ। ଏହି ସମୟରେ ହରିଶ ସହିତ ତାଙ୍କ ପିତା କଥା ମଧ୍ୟ ହୋଇଥିଲେ।

କିନ୍ତୁ କିଛି ସମୟ ପରେ ଅଜମେର ହସ୍ପିଟାଲରୁ ହରିଶର ମୃତ ଖବର ପରିବାର ଲୋକ ଜାଣିବାକୁ ପାଇଥିଲେ। ପୁଅର ମୃତ୍ୟୁ କାରଣ ଜାଣିବାକୁ ସେ ହସ୍ପିଟାଲର କର୍ମଚାରୀ ଓ କୋର୍ଟରୁ ମୁକୁଳାଇବାରେ ସହାୟତା କରିଥିବା ଆଇନଜୀବୀଙ୍କୁ ଫୋନ୍ରେ ପଚାରିଥିଲେ। କେହି ସନ୍ତୋଷଜନକ ଉତ୍ତର ଦେଇ ନଥିଲେ। ରାତି ପ୍ରାୟ ୯ଟା ଅଜମେର ପୁଲିସ ଶବ ନେବାକୁ କହିବା ପରେ ପୁଅର ମୃତ୍ୟୁ ସମ୍ପର୍କରେ ସ୍ପଷ୍ଟ ହୋଇଥିଲା। ଏହାପରେ ତାଙ୍କ ପିତା ପୁଅର ମୃତ ଦେହ ଆଣିବାକୁ ଯାଇଥିଲେ। ସେଠାରେ ମଧ୍ୟ ତାଙ୍କୁ କିଛି ସୂଚନା ଦିଆଯା ନଥିବା ସେ କହିଛନ୍ତି। ଏହି ଘଟଣାକୁ ନେଇ ବନ୍ଧମୁଣ୍ଡା ଅଞ୍ଚଳର ବିଭିନ୍ନ ବର୍ଗର ନେତା ଓ ସମାଜସେବୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେମାନଙ୍କ ମଧ୍ୟରେ ବିଜେଡି ନେତା ଚନ୍ଦନ ତରାଇ, ଆଇନଜୀବୀ ଦେବାନନ୍ଦ ତନ୍ତୀ ଓ ସମାଜସେବୀ ଯଶୋବନ୍ତୀ ବାଘ, ପରମଜିତ ସିଂହ ସାନ୍ଧୁ ଓ ଝିଲି ଦାସ ପ୍ରମୁଖ ଅନ୍ୟତମ। ଏହା ସହିତ ମୃତକଙ୍କ ପରିବାର ବର୍ଗ ମଧ୍ୟ ସମସ୍ତ ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ତଦନ୍ତ ନିମନ୍ତେ ଦାବି କରିଛନ୍ତି।