ଓଡ଼ିଶା ସାହିତ୍ୟ ଏକାଡେମୀର ଦିବଂଗତ ସଚିବ ପ୍ରବୋଧ ରାଉତଙ୍କ ଉଦ୍ଦେଶ୍ୟରେ ଶୋକସଭା ଆୟୋଜିତ
1 min read
ଓଡ଼ିଶା ସାହିତ୍ୟ ଏକାଡେମି ସଚିବ ତଥା ବିଶିଷ୍ଟ ସାରସ୍ବତ ସାଧକ ପ୍ରବୋଧ କୁମାର ରାଉତଙ୍କର ମଙ୍ଗଳବାର ସଂଧ୍ୟାରେ କଟକର ଏକ ଘରୋଇ ଚିକିତ୍ସାଳୟରେ ପରଲୋକ ହୋଇଥିଲା। ୧୬ ତାରିଖ ସକାଳେ କନିକାଛକରେ ଏକ ଦୁର୍ଘଟଣାରେ ଶ୍ରୀ ରାଉତ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଥିଲେ। ତାଙ୍କୁ ମାତ୍ର ୫୨ ବର୍ଷ ହୋଇଥିଲା। ୧୯୭୧ ମସିହାରେ ଜଗତସିଂହପୁର ଜିଲ୍ଲା କଟରା ପଞ୍ଚାୟତ ଗୋପାଳପୁର ଗ୍ରାମରେ ପ୍ରବୋଧ ଜନ୍ମଗ୍ରହଣ କରିଥିଲେ। ସେ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରି ସହ ଆଇନରେ ସ୍ନାତକ, ସମବାୟ ପରିଚାଳନା ଓ ରତ୍ପାନୀ ପରିଚାଳନାରେ ଡିପ୍ଲୋମା ଡିଗ୍ରି ହାସଲ କରିଥିଲେ। ବାଲିଆ କଲେଜରେ ସ୍ବଳ୍ପ ସମୟ ପାଇଁ ଅଧ୍ୟାପନା କରିବା ପରେ ସେ ଓଡ଼ିଶା ପ୍ରଶାସନିକ ସେବାରେ ଯୋଗ ଦେଇଥିଲେ। ଓଏଏସ୍ ଅଧିକାରୀ ଭାବେ ସେ କୋରାପୁଟ, ଆସ୍କା, ଅନୁଗୁଳ, ଛେଣ୍ଡିପଦା, ଜଟଣୀ, କଟକ, ଭୁବନେଶ୍ବରରେ ଦକ୍ଷତାର ସହ କାର୍ଯ୍ୟ କରି ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ବୃତ୍ତିରେ ସେ ପ୍ରଶାସନିକ ଅଧିକାରୀ ହୋଇଥିଲେ ବି ନିଶା ଥିଲା ତାଙ୍କର ସାରସ୍ବତ ସାଧନା। ତାଙ୍କର କବିତା ଗ୍ରନ୍ଥ ‘ଏକାବନ କବିତା, ମିନି କବିତା ‘ଭୁଲିପାରୁନି ବୋଲି, ଗୀତ ବହି ‘ହୃଦୟ ସଂଗୀତ, ଗଳ୍ପ ବହି ‘ଗପସପ, ‘ଅଜନ୍ତା ଏଲୋରା ପରୀ, ହୃଦୟ ମାଗୁଥିବା ଝିଅ, ନାଟକ ବହି ‘ନାଟ୍ୟଶାଳା, ଇଂରାଜୀ ନାଟକ ‘ମିଷ୍ଟ୍ରି ଅଫ ବ୍ରୋଙ୍କ ଟ୍ରଙ୍କ ଆଦି ପାଠକୀୟ ସ୍ବୀକୃତି ହାସଲ କରିଥିଲା। ଏହା ବ୍ୟତୀତ ଅନେକ ପତ୍ରପତ୍ରିକା ଓ ସମ୍ବାଦପତ୍ରରେ ତାଙ୍କର ନିୟମିତ ଲେଖା ପ୍ରକାଶ ପାଉଥିଲା। ତାଙ୍କ ଦୁଃଖଦ ବିୟୋଗରେ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଏକ ଶୋକସଭା ରାଉରକେଲା ସହରର ମଧୁଦୂଦନ ପାଠାଗାରଠାରେ ଆୟୋଜିତ ହୋଇଯାଇଛି।

ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ସମିତି ସଦସ୍ୟ ତଥା ବରିଷ୍ଠ କବି ରାଜୀବ ପାଣିଙ୍କ ଆବାହକତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବରିଷ୍ଠ ସାହିତ୍ୟିକ ଭୁପେନ ମହାପାତ୍ର ଯୋଗଦେଇଥିଲେ। ଏହି ଅବସରରେ ରାଉରକେଲା ସହରର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ଓ ପ୍ରତିନିଧି ଉପସ୍ଥିତ ରହି ସ୍ୱର୍ଗତ ପ୍ରବୋଧ ରାଉତଙ୍କ ସ୍ମୃତିଚାରଣ ସହିତ ତାଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ କାମନା କରିଥିଲେ। ଏଥିରେ ଶର୍ମିଷ୍ଠା କବିଶତପଥି, କିଶୋରୀ ମୋହନ କର, ସୁନୀଲ ମହାନ୍ତି, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ନୃସିଂହ ଚରଣ ବିଶ୍ୱାଳ, ଅଶୋକ କୁମାର ପଟ୍ଟନାୟକ, କାଶୀନାଥ ନନ୍ଦୀ, ଅଙ୍ଗୁରବାଳା ପରିଡ଼ା ପ୍ରମୁଖ ଲେଖକ ଓ ଲେଖିକା ଏବଂ ବିଭିନ୍ନ ସଙ୍ଗଠନର ପ୍ରତିନିଧି ଯୋଗଦେଇଥିଲେ। ସ୍ୱସ୍ତି ସାହିତ୍ୟ ସଂସଦ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଶେଷରେ ସଂସଦର ଉପସଭାପତି ରାଜକୁମାର ମହାନ୍ତି ସ୍ୱଳ୍ପ ସମୟ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।