ବିଶ୍ୱ ଲୋକସମ୍ପର୍କ ଦିବସ ପାଳନ ଉପଲକ୍ଷେ ଆଲୋଚନା ଚକ୍ର ଆୟୋଜିତ
1 min read
ବିଶ୍ୱ ଲୋକସମ୍ପର୍କ ଦିବସ ପାଳନ ଉପଲକ୍ଷେ ସେଲ୍, ରାଉରକେଲା ଇସ୍ପାତ କାରଖାନା (ଆରଏସପି)ର ଲୋକସମ୍ପର୍କ ବିଭାଗ ଦ୍ୱାରା ‘ଲୋକସମ୍ପର୍କର ସାମର୍ଥ୍ୟର ଶ୍ରେଷ୍ଠ ଉପଯୋଗ’ ଉପରେ ରାଉରକେଲା କ୍ଲବଠାରେ ଏକ ଆଲୋଚନା ଚକ୍ର ଆୟୋଜିତ ହୋଇଥିଲା। ଆରଏସପି ସି ଆଣ୍ଡ ଆଇଟି ବିଭାଗର ସିଜିଏମ୍ କେ କେ ସେନଗୁପ୍ତା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ବେଳେ ଏନଆଇଟି, ରାଉରକେଲାର ରେଜିଷ୍ଟ୍ରାର ପ୍ରଫେସର ରୋହନ ଧିମନ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଆରଏସପି କାର୍ମିକ ବିଭାଗର ଜିଏମ ଡକ୍ଟର ପି କେ ସାହୁ ଉକ୍ତ ଆଲୋଚନା ଚକ୍ରର ମୁଖ୍ୟ ବକ୍ତା ଥିଲେ। ଆରଏସପି କାର୍ମିକ କାର୍ଯ୍ୟ ବିଭାଗର ଜିଏମ ଇନ-ଚାର୍ଜ ଶ୍ରୀ ଧିରେନ୍ଦ୍ର ମିଶ୍ର ଏବଂ ଲୋକ ସମ୍ପର୍କ ବିଭାଗର ଜିଏମ ଇନ ଚାର୍ଜ ତଥା ସଂଚାରମୁଖ୍ୟ ଏବଂ ପିଆରସିଆଇ ରାଉରକେଲା ଅଧ୍ୟାୟର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ଶତପଥୀ ମିଶ୍ର କାର୍ଯ୍ୟକ୍ରମରେ ମଞ୍ଚାସୀନ ଥିଲେ। ଏହି ଉତ୍ସବରେ ବହୁ ସଂଖ୍ୟାରେ ଲୋକସମ୍ପର୍କ ବୃତ୍ତିଧାରୀ, ପିଆରସିଆଇ ରାଉରକେଲା ଅଧ୍ୟାୟର ସଦସ୍ୟ ଉପସ୍ଥିତ ଥିଲେ।
ସମାବେଶକୁ ସମ୍ବୋଧିତ କରି ଶ୍ରୀ ସେନଗୁପ୍ତା ଏକ ସଂସ୍ଥାର ଭାବମୂର୍ତ୍ତି ଗଠନ ପାଇଁ ଉଦ୍ଦେଶ୍ୟମୂଳକ, ବିଶ୍ୱସନୀୟ ଏବଂ ଶକ୍ତିଶାଳୀ ଯୋଗାଯୋଗର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ସେ ଥ୍ରୀ ଟି ଯଥା ଟ୍ରୁଥ ବା ସତ୍ୟ, ଟ୍ରଷ୍ଟ ବା ବିଶ୍ଵାସ ଏବଂ ଟ୍ରାନ୍ସପରେନ୍ସି ବା ପାରଦର୍ଶିତାର ବ୍ୟାଖ୍ୟା କରିଥିଲେ ଯାହା ଶକ୍ତିଶାଳୀ ଲୋକସମ୍ପର୍କର ଲାଭ ନେବା ପାଇଁ ସହାୟତା କରିଥାଏ। ଯେକୌଣସି ସଂସ୍ଥାର ସଫଳତା ପାଇଁ ଜନସମ୍ପର୍କର ଭୂମିକା ଉପରେ ଶ୍ରୀ ସେନଗୁପ୍ତା ଗୁରୁତ୍ୱାରୋପ କରିଥିଲେ।

ପ୍ରଫେସର ଧିମାନ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଉତ୍ତମ ଲୋକସମ୍ପର୍କ ସ୍ଥାପନ କରିବାକୁ ହେଲେ ଆମକୁ ପ୍ରଥମେ ଆପଣା ପଣ, ଆଗ୍ରହ ଏବଂ ନିଷ୍ପତ୍ତି ବା ସଂକ୍ଷିପ୍ତରେ ବିଆଇଡ଼ିଏସ ଭଳି ଭାବନା ସହିତ ପ୍ରଥମେ ସାଧାରଣ ଲୋକ ହେବା ଆବଶ୍ୟକ। ସେ ଆହୁରି ମଧ୍ୟ କହିଥିଲେ ଯେ ଜଟିଳ ମୂଲ୍ୟବୋଧକୁ ସନ୍ତୁଳନ କରିବା ପାଇଁ ସ୍ୱଚ୍ଛତା, ଅନୁସନ୍ଧାନ, ଧାରଣା, ସମୟାନୁବର୍ତ୍ତୀତା ଏବଂ ଆନ୍ତରିକତା ବଜାୟ ରଖିବା ଏକ ପ୍ରମୁଖ ବିଷୟ।
ଶ୍ରୀମତୀ ଅର୍ଚ୍ଚନା ଶତପଥୀ ଅନେକ କେସ୍ ଷ୍ଟଡି ମାଧ୍ୟମରେ ‘ଲୋକସମ୍ପର୍କର ଶ୍ରେଷ୍ଠ ଉପଯୋଗ’ ବିଷୟ ଉପସ୍ଥାପନ କରିଥିଲେ ଏବଂ ଏହି ଦିବସର ମହତ୍ତ୍ଵ ଏବଂ ପିଆରସିଆଇର କାର୍ଯ୍ୟଧାରା ବିଷୟରେ ସୂଚନା ଦେଇଥିଲେ।ଏହି ଆଲୋଚନାରେ, ଅଂଶଗ୍ରହଣକାରୀମାନେ ଉତ୍ସାହର ସହିତ ବିଭିନ୍ନ ପ୍ରସଙ୍ଗ ଉଠାଇଥିଲେ ଏବଂ ସନ୍ଦେହ ଦୂର କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ଧିରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ତଥା ମୁଖ୍ୟ ବକ୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଅତିଥିମାନଙ୍କ ଦ୍ଵାରା ଜ୍ଞାନ ପ୍ରଦୀପ ପ୍ରଜ୍ଵଳନ ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ରାଜ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟ ଶ୍ରୀ ସନାତନ ବିଶ୍ଵାଳ ସମାବେଶକୁ ସ୍ୱାଗତ କରିଥିଲେ। ପିଆରସିଆଇ ରାଉରକେଲା ଶାଖାର ସଦସ୍ୟା ଶ୍ରୀମତୀ ସାହିନ୍ ଶେଖ କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଲୋକସମ୍ପର୍କ ବିଭାଗର ମ୍ୟାନେଜର ଶ୍ରୀ ସୌମ୍ୟ ରଞ୍ଜନ ବିଶ୍ଵାଳ ଧନ୍ୟବାଦ ଅର୍ପଣ କରିଥିଲେ ।