ରାଉରକେଲା ଇସ୍ପାତ କାରଖାନାର ଗଣ ବୃକ୍ଷ ରୋପଣ ଉତ୍ସବ ଆରମ୍ଭ
1 min read
ରାଉରକେଲା ଇସ୍ପାତ କାରଖାନା ଦ୍ଵାରା ସେକ୍ଟର ୧ ଇସ୍ପାତ ବୃକ୍ଷ ବିହାରଠାରେ ଗଣ ପରିବେଶ ସଚେତନତା ଓ ବୃକ୍ଷରୋପଣ ଉତ୍ସବ ଆୟୋଜିତ ହୋଇଯାଇଛି। ଇସ୍ପାତ ସହରର ବିଭିନ୍ନ ବିଦ୍ୟାଳୟର ୨୫୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ, ଆରଏସପିର ବହୁ ବରିଷ୍ଠ ଅଧିକାରୀ ଓ ସିଆଇଏସଏଫ କାର୍ମିକ ଏଥିରେ ଭାଗ ନେଇଥିଲେ। ଏହି ଉତ୍ସବରେ ରାଉରକେଲା ଇସ୍ପାତ କାରଖାନା ଓ ବୋକାରୋ ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ, ଅତନୁ ଭୌମିକ ମୁଖ୍ୟ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଉଦଘାଟନ କରିଥିଲେ। ଏହି ଅବସରରେ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ, ଡକ୍ଟର ଏ କେ ମିଶ୍ର, ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ଡକ୍ଟର ଅନୁପ ମଲ୍ଲିକଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହା ସହିତ କାରଖାନାର କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ଏସ ଆର ସୂର୍ଯ୍ୟବଂଶୀ, କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପି କେ ଶତପଥୀ, ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପି କେ ସାହୁ, ଚିକିତ୍ସା ଓ ସ୍ୱାସ୍ଥ୍ୟସେବା ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ବି କେ ହୋତା, ଖଣି ବିଭାଗର ସିଜିଏମ ଇନ ଚାର୍ଜ ପି କେ ରଥ, ବିତ୍ତ ଓ ଲେଖା ବିଭାଗର ସିଜିଏମ ଇନ ଚାର୍ଜ ଶ୍ରୀଏ କେ ବେହୁରିଆ,ସିଆଇଏସଏଫର କମାଣ୍ଡାଣ୍ଟ ଅଶୋକ ଜଲ୍ୱାନିଆ ଏବଂ ବହୁ ମୁଖ୍ୟ ମହାପ୍ରବନ୍ଧକ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ଶ୍ରୀ ଭୌମିକ ପ୍ରଥମ ଚାରା ରୋପଣ କରିବା ସହିତ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଏହି ଉତ୍ସବରେ ପ୍ରାୟ ଦୁଇ ଏକର ପରିମିତ ଅଞ୍ଚଳରେ ଅଶୋକ, ନିମ୍ବ, ଛତିଆନା, କରଞ୍ଜ, ଅର୍ଜୁନ, ପତୁଲି, ଜାମୁନ, ମହୋଗାନି, ପଣସ, କଇଁଠ, ଶିଶୁ, ବକୁଳ, ଫଣାଫଣ, ମୁଚୁକୁନ୍ଦ, ଅଶ୍ଵସ୍ତ, ବରଗଛ, ମାଙ୍କଡା କେନ୍ଦୁ ଓ ଲାଲ ଚନ୍ଦନ ଇତ୍ୟାଦି କିସମର ୧୧୫୦ଟି ବୃକ୍ଷ ରୋପଣ ସମ୍ପନ୍ନ ହୋଇଥିଲା। ସୂଚନାଯୋଗ୍ୟ ଯେ, ଏହି ଚାରାଗୁଡିକ ଓଡିଶା ବନ ଉନ୍ନୟନ ନିଗମ ଦ୍ଵାରା ଉପଲବ୍ଧ କରାଯାଇଥିଲା। ଏଥିସମେତ ଓଏଫଡ଼ିସି ବୃକ୍ଷଚାରାଗୁଡିକର ସୁରକ୍ଷା ନିମନ୍ତେ ତାରବାଡ ଭଳି ଅନ୍ୟାନ୍ୟ ସହଯୋଗ ମଧ୍ୟ ଯୋଗାଇଦେଇଛି ।

ସହର ଇଞ୍ଜିନିୟରିଂ ଉଦ୍ୟାନ କୃଷି ବିଭାଗର ଡ଼ିଜିଏମ ଡାକ୍ତର ଅଭିଜିତ ବିଶ୍ଵାସ ଏକ ଉପସ୍ଥାପନା ପ୍ରସ୍ତୁତ କରି ଅତିଥିମାନଙ୍କୁ ଉଦ୍ୟାନକୃଷି ବିଭାଗ ଦ୍ଵାରା ସମ୍ପାଦିତ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟଧାରା ସମ୍ପର୍କରେ ଅବଗତ କରାଇଥିଲେ। ପ୍ରାରମ୍ଭରେ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସେକ୍ଟର ୨୦ର ଛାତ୍ରଛାତ୍ରୀମାନେ ପରିବେଶ ଉପରେ ଆଧାରିତ ଆବାହନୀ ସଙ୍ଗୀତ ପରିବେଷଣ କରିଥିଲେ।

ଏଥିପୂର୍ବରୁ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ, ସେକ୍ଟର-୨୦, ଇସ୍ପାତ ବିଦ୍ୟା ମନ୍ଦିର, ସେକ୍ଟର ୧୯, ଦିଲ୍ଲୀ ପବ୍ଲିକ ସ୍କୁଲ, ସେକ୍ଟର-୧୪, ଡିସୌଜା ସ୍କୁଲ,ସେକ୍ଟର-୧ ଏବଂ ନୀଳମାଧବ ସ୍କୁଲ, ସେକ୍ଟର-୧ର ଛାତ୍ରଛାତ୍ରୀମାନେ ହାତରେ ପରିବେଶ ସୁରକ୍ଷା ବାର୍ତ୍ତା ବହନ କରୁଥିବା ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ଏକ ଆକର୍ଷଣୀୟ ପଦଯାତ୍ରାରେ ବୃକ୍ଷରୋପଣ ସ୍ଥଳୀରେ ପହଞ୍ଚିଥିଲେ। ଉଦ୍ୟାନକୃଷି ବିଭାଗର ସିନିୟର ମ୍ୟାନେଜର, ଡକ୍ଟର ସତ୍ୟ ନାରାୟଣ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।

ସୂଚନାଯୋଗ୍ୟ ଯେ, ଆରଏସପି ଇସ୍ପାତ ସହର ଓ ଏହାର ଆଖପାଖ ଅଞ୍ଚଳରେ ଅଦ୍ୟାବଧି ୫୨ ଲକ୍ଷରୁ ଉର୍ଦ୍ଧ୍ଵ ବୃକ୍ଷରୋପଣ ସମ୍ପନ୍ନ କରିଛି ଯାହା ଏହି ସମଗ୍ର ଅଞ୍ଚଳରେ ସବୁଜିମାର ବଳୟ ସୃଷ୍ଟିରେ ବିଶେଷ ସହାୟକ ହୋଇଛି। ଚଳିତ ବର୍ଷ ଇସ୍ପାତ କାରଖାନା ଉଭୟ କାରଖାନା ଓ ସହରାଞ୍ଚଳରେ ୧ ଲକ୍ଷରୁ ଅଧିକ ଚାରା ଲଗାଇବା ନିମନ୍ତେ ଯୋଜନା ପ୍ରସ୍ତୁତ କରିଛି ।