ଛେଣ୍ଡ୍ କଲୋନୀରେ ସାଇନ୍ସ ପାର୍କ ଓ ପ୍ଲାନେଟୋରିୟମର ନିର୍ମାଣ ଶେଷ ପର୍ଯ୍ୟାୟରେ
1 min read
ରାଜ୍ୟ ସରକାରଙ୍କ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ୧୬କୋଟିରୁ ଅଧିକ ଟଙ୍କାର ଅର୍ଥ ବ୍ୟୟରେ ରାଉରକେଲା ସହରର ଛେଣ୍ଡ୍ କଲୋନୀ ସ୍ଥିତ ବିଏସ୍ଏନ୍ଏଲ୍ ଛକ ନିକଟରେ ନିର୍ମାଣ ହେଉଛି ଜିଲ୍ଲା ବିଜ୍ଞାନ କେନ୍ଦ୍ର ଓ ପ୍ଲାନେଟୋରିଅମ।

ଏହାର ନିର୍ମାଣ କାର୍ଯ୍ୟ ସରିଲେ ଏହା ରାଉରକେଲା ସମେତ ଆଖପାଖ ଅଞ୍ଚଳର ବିଭିନ୍ନ ବର୍ଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବ। କାରଣ ଏଠାରେ ବିଜ୍ଞାନର ବିଭିନ୍ନ ବିଭାଗ ସମ୍ପର୍କରେ ପ୍ରଦର୍ଶନ ସହିତ ଗ୍ରହ ଓ ନକ୍ଷତ୍ର ଆଦି ସମ୍ପର୍କରେ ବିଭିନ୍ନ ସୂଚନା ଆଦି ପ୍ରଦାନ କରାଯିବ। ଏହା ସହିତ ଏହି କେନ୍ଦ୍ର ମାଧ୍ୟମରେ ବିଜ୍ଞାନର ବିଭିନ୍ନ ବିଭାଗ ସମ୍ପର୍କରେ ଜ୍ଞାନର ଆଦନ ପ୍ରଦାନର ଏକ ସୁବିଧା ବ୍ୟବସ୍ଥା କରାଯାଇପାରିବ। ବିଶେଷ କରି ଏହା ବିଦ୍ୟାଳୟ ଛାତ୍ର ସହିତ ବିଜ୍ଞାନ ବିଷୟ ଉପରେ ଆଗ୍ରହୀ ସମସ୍ତ ବର୍ଗର ବ୍ୟକ୍ତିଙ୍କ ପାଇଁ ଏକ ଦର୍ଶନୀୟ ସ୍ଥାନ ହେବ। ଏନ୍ବିସିସି ନାମକ ଏକ କେନ୍ଦ୍ରୀୟ ନିର୍ମାଣ ସଂସ୍ଥା ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଗତ ବର୍ଷ ଜୁଲାଇ ମାସରୁ ସାରିବା ନିମନ୍ତେ ନିର୍ମାଣାଧିନ ସ୍ଥାନରେ ଏକ ସୂଚନା ଫଳକ ରହିଛି। କିନ୍ତୁ ବିଭିନ୍ନ କାରଣ ବଶତଃ ଏହି ନିର୍ମାଣ କାର୍ଯ୍ୟ ପ୍ରାୟ ଏକବର୍ଷ ବିଳମ୍ବ ହୋଇସାରିଛି।

ଆସନ୍ତା କିଛିମାସ ମଧ୍ୟରେ ଏହି କେନ୍ଦ୍ରର ନିର୍ମାଣ କାର୍ଯ୍ୟ ଶେଷ ହୋଇଯିବ ବୋଲି ଆଶା କରାଯାଉଛି। ନିର୍ମାଣ କାର୍ଯ୍ୟ ସମ୍ପର୍କରେ ନିର୍ମାଣାଧିନ ସ୍ଥାନରେ କାର୍ଯ୍ୟରତ ସଂସ୍ଥାର କୌଣସି ଅଧିକାରୀ କିଛି ସୂଚନା ଦେବାକୁ ମନାକରିଦେଇଥିଲେ। ସୂଚନା ମୁତାବକ ଏହି ନିର୍ମାଣ କାର୍ଯ୍ୟ ରାଉରକେଲା ମହାନଗର ନିଗମ ଓ ସ୍ମାର୍ଟ ସିଟି କର୍ତ୍ତୃପକ୍ଷଙ୍କ ସହଯୋଗରେ ହେଉଛି। ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ଏହା ଭିତରଜୁ ପ୍ରବେଶ ନିଷେଧ ରହିଛି।
ରାଉରକେଲାରୁ ସମୀର ସିଂହ ଙ୍କ ରିପୋର୍ଟ