ପିଡିଏଏସ୍ ଚାଉଳ ଓଜନରେ ଠକେଇ ଏବଂ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ କଲା ବିଜେପି
1 min read
ସରକାରୀ ପିଡିଏସ୍ ଚାଉଳ ଯୋଗାଣ ଓଜନରେ ହେରାଫେରି ହେଉଥିବାର ଏକ ନମୁନା ସମ୍ପର୍କରେ ବିଜେପି ନେତାମାନେ ଅଭିଯୋଗ କରିଛନ୍ତି। ଏହାଦ୍ୱାରା କୋଟି କୋଟି ଟଙ୍କାର ରାଜସ୍ୱ ଲୁଟି ହେଉଥିବା ସ୍ପଷ୍ଟ ହୋଇଛି। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାର ଗରିବ ଲୋକଙ୍କ ପାଇଁ ମାଗଣାରେ ଚାଉଳ ଯୋଗାଇ ଦେଉଥିବା ବେଳେ ଏହାକୁ ରାଜ୍ୟ ସରକାର, ଯୋଗାଣ ଅଧିକାରୀ, ଚାଉଳ ଯୋଗାଣ ଠିକାଦାର, ପରିବହନ ଠିକାଦାର ସମସ୍ତେ ମିଳିମିଶି ଜିଲ୍ଲାରେ କୋଟି କୋଟି ଟଙ୍କାର ଘୋଟାଲା ହେଉଛି ଜିଲ୍ଲା ଭାଜପା ପକ୍ଷରୁ ଅଭିଯୋଗ କରାଯାଇଛି। ଏଥିସହ ଏହି ଦୁର୍ନୀତିରେ ରାଜ୍ୟ ସରକାରଙ୍କ ପ୍ରତ୍ୟକ୍ଷ ସମ୍ପୃକ୍ତି ଥିବା ନିମ୍ନୋକ୍ତ ଘଟଣାରୁ ଜଣାପଡୁଛି ବୋଲି ଭାଜପା ରାଜ୍ୟ ମୁଖପାତ୍ର ଧିରେନ ସେନାପତି ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ବିଜେପି ଦଳ ପକ୍ଷରୁ ରାଉରକେଲାରେ ଏ ନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ସୂଚନା ମୁତାବକ ଗତକାଲି ମିଲର୍ସମାନଙ୍କ ଠାରୁ ପିଡିଏଏସ୍ ଚାଉଳ ବୋଝେଇ କରି ୨/୩ଟି ଟ୍ରକ ମଧ୍ୟରୁ ୨ଟିର ନମ୍ୱର ଓଆର୍ ୧୪ଏମ୍ ୪୨୪୪ ଓ ଓଆର୍ ୧୪ପି ୭୩୧୫ ରାଉରକେଲାକୁ ଆସିଥିଲା। ମାତ୍ର ଏହି ଟ୍ରକ୍ ଗୁଡିକ ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେରେ ଥିବା ଇଣ୍ଡଷ୍ଟ୍ରିଆଲ ୱେ ବ୍ରିଜ ନାମକ ଏକ ଘରୋଇ ଓଜନ ସଂସ୍ଥାକୁ ଓଜନ ପାଇଁ ଯାଉଥିଲା। ଏହି ସମୟରେ ବିଜେପି ନେତା ଧିରେନ ସେନାପତି କୌଣସି ଏକ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ସେହି ରାସ୍ତାଦେଇ ଯାଉଥିଲେ। ତାଙ୍କର ପିଡିଏଏସ୍ ଚାଉଳ ବୋଝେଇ ଗାଡିଗୁଡିକ ଉପରେ ନଜର ପଡିଥିଲା। ସେମାନଙ୍କ ଗତିବିଧିରେ ସନ୍ଦେହ ହେବାରୁ ସେ ଗାଡିଗୁଡିକର ପିଛା କରିଥିଲେ। ଶ୍ରୀ ସେନାପତି ସେଠାରେ ପହଞ୍ଚିବା ପୂର୍ବରୁ କେତେକ ରିଟେଲର ଦୋକାନୀ ସେଠାରେ ଅପେକ୍ଷା କରି ରହିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ନିଜ ଗାଡିରେ ଚାଉଳ ଓଜନ କରି ଲୋଡିଂ କରୁଥିବା ବେଳେ ଅନ୍ୟ କେତେକ ରିଟେଲର ସେଠାରେ ଅପେକ୍ଷାରତ ଥିଲେ। ଚାଉଳ ବୋଝେଇ ଗାଡିଗୁଡିକ ନିକଟରେ ପହଞ୍ଚି ଶ୍ରୀ ସେନାପତି ପଚାରିଲେ ଯେ, ଏହି ଗାଡିଗୁଡିକ କେଉଁଠାରୁ ଆସିଛି ଓ କେଉଁଠାକୁ ଯିବ? ମାତ୍ର ଶ୍ରୀ ସେନାପତିଙ୍କ ଉତ୍ତର ଦେବାକୁ ସେଠାରେ କୌଣସି ସରକାରୀ କର୍ମଚାରୀ ନଥିଲେ। ଗାଡି ଚାଳକଙ୍କ ଠାରୁ କେବଳ ଏତିକି ଜାଣିପାରିଲେ ଯେ, ଏହି ଗାଡିଗୁଡିକ ମିଲର୍ସମାନଙ୍କ ଠାରୁ ପିଡିଏସ୍ ଚାଉଳ ବୋଝେଇ କରି ଏଫ୍ସିଆଇ ଗୋଦାମ ଅଭିମୁଖେ ବାହାରିଛି। ଶ୍ରୀ ସେନାପତି କୌତୁହଳ ବଶତଃ କହିଲେ ଯେ ଗାଡିଗୁଡିକ ଗୋଦାମକୁ ନ ଯାଇ ଏଠାକୁ କାହିଁକି ଆସିଛି? ଗାଡି ଚାଳକ କହିଲେ ଏଠାରେ ଓଜନ ହେବା ପରେ ଗୋଦାମକୁ ଯିବ। ଏଠାରେ ପ୍ରଶ୍ନଉଠୁଛି ଯେ, ଏକ ସାଧାରଣ କଣ୍ଟାରେ କାହିଁକି ସରକାରୀ ଚାଉଳ ଓଜନ କରାଯିବ? ଗାଡି ଚାଳକ କହିଲେ ଏହି କଣ୍ଟା ସରକାରଙ୍କ ସ୍ୱୀକୃତି ଲାଭ କରିଛି, ତେଣୁ ଏଠାରେ ଓଜନ କରାଯିବ। ଆହୁରି କୌତୁଳର ବିଷୟ ଯେ, ଏହି ଘରୋଇ କଣ୍ଟାରେ ଇଲେଟ୍ଟୋନିକ୍ସ ଓଜନ ମେସିନ ଲାଗିଛି ଅଥଚ ଓଜନର କୌଣସି ବିଲ୍ ପ୍ରିଣ୍ଟ ବାହାରୁ ନାହିଁ। ଏହି ଓଜନର ବିଲ୍ ବା ଚାଲାଣ ମାନୁଆଲ ଭାବେ ହାତରେ କଟାଯାଉଛି। ଆଉ ଏହି ଚାଲାଣ କଣ୍ଟାର ଜଣେ ଠିକା ଶ୍ରମିକ ହାତରେ ଲେଖି ଦେଇଥିଲେ, ଯାହାକି ଶ୍ରୀ ସେନାପତିଙ୍କ ସନ୍ଦେହକୁ ଦ୍ୱିଗୁଣିତ କରିଥିଲା। କାହିଁକି ନା ଏହି କଣ୍ଟାରେ ଓଜନ ସମୟରେ ଯୋଗାଣ ବିଭାଗର କୌଣସି ଅଧିକାରୀ ବା କର୍ମଚାରୀ ଓଜନର ସଠିକ ପରିମାଣ ତଦାରଖ ନିମନ୍ତେ ଉପସ୍ଥିତ ନଥିଲେ। ଏହାଦ୍ୱାରା ଓଜନରେ କମ୍ ବେଶୀ ପରିମାଣ ଦର୍ଶାଯାଇ ଦୁର୍ନୀତି କରାଯାଇପାରିବ। ତେବେ ଏ ସମ୍ପର୍କରେ ଶ୍ରୀ ସେନାପତି ଯୋଗାଣ ବିଭାଗର ଜଣେ ଇନିସ୍ପେକ୍ଟରଙ୍କୁ ପଚାରିବାରୁ ସେ ନୀରବ ରହିଥିଲେ। ପରେ ରାଉରକେଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁଙ୍କୁ ନିଜର ପରିଚୟ ଦେଇ ଏ ସମ୍ପର୍କରେ ପଚାରିବାରୁ ଅଧିକାରୀ ଜଣକ ଶ୍ରୀ ସେନାପତିଙ୍କୁ ଅତ୍ୟନ୍ତ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହ ତୁମେ ଏ ସମ୍ପର୍କରେ ପଚାରିବାକୁ କିଏ ବୋଲି ପ୍ରଶ୍ନ କରିଥିଲେ, ଯାହା ଏହି ହରିଲୁଟ୍ ସ୍ପଷ୍ଟ ପ୍ରମାଣ ଦିଏ। ଆହୁରି ମଧ୍ୟ ଶ୍ରୀ ସାହୁ ଅତୀତରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ନିଲମ୍ୱିତ ହୋଇଥିବାର ନଜିର୍ ରହିଥିବା ବେଳେ ତାଙ୍କୁ କିଭଳି ରାଉରକେଲା ଭଳି ଏକ ସମ୍ୱେଦନଶୀଳ ଅଞ୍ଚଳର ଯୋଗାଣ ଅଧିକାରୀ ଭାବରେ ଅବସ୍ଥାପିତ କରାଯାଇଛି। ଆହୁରି ମଧ୍ୟ ଶୁଣାଯାଉଛି ଯେ ଶ୍ରୀ ସାହୁଙ୍କୁ ଖୁବ୍ ଶୀଘ୍ର ପଦୋନ୍ନତି ଦିଆଯାଇ ଅଧିକ କ୍ଷମତାଶୀଳା କରାଯିବ। ଯଦି ଏଭଳି ହୁଏ ତେବେ ଶ୍ରୀ ସାହୁ ନିକଟରେ ଭିଜିଲାନ୍ସ ଦ୍ୱାରା ଧରାପଡିଥିବା ନୂଆପଡାର ଆଡିସିନାଲ ସବ୍କଲେକ୍ଟର ପ୍ରଶାନ୍ତ ରାଉତଙ୍କ ଭଳି ହେବେ ନାହିଁ ତ ବୋଲି ଶ୍ରୀ ସେନାପତି ଆଶଙ୍କା ବ୍ୟକ୍ତ କରିଛନ୍ତି। ତେବେ ଶ୍ରୀ ସେନାପତି ଏ ସମ୍ପର୍କରେ ସୁନ୍ଦରଗଡ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପଚାରିବାରୁ ସେ ମଧ୍ୟ ନୀରବ ରହିଥିଲେ। ଏହି ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ୫ଟି ସଚିବ ଏବଂ ଜିଲ୍ଲାପାଳ ଏ ସମ୍ପର୍କରେ ସ୍ପଷ୍ଟ କରିନ୍ତୁ ବୋଲି ଶ୍ରୀ ସେନାପତି ଦାବି କରିଛନ୍ତି। ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣିମା କେର୍କେଟା, ପ୍ରମିଲା ଦାସ ଓ ନିହାର ରାୟ, ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ ପ୍ରମୁଖ ଉପସ୍ଥିତ ଥିଲେ।