ସରକାରୀ ଖୁଚୁରା ଦୋକାନୀ ସଂଘ ପକ୍ଷରୁ ବିଭିନ୍ନ ଦାବିକୁ ନେଇ ଧାରଣା
1 min read
ଗତ ପ୍ରାୟ ଦୁଇବର୍ଷ ଧରି ରାଉରକେଲା ସରକାରୀ ଖୁଚୁରା ଦୋକାନୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଗତ କିଛିଦିନ ଧରି ଏକାଧିକ ବୈଠକ ହୋଇଯାଇଛି। ଏହି କ୍ରମରେ ମୋଟ ୧୨ଟି ପ୍ରସଙ୍ଗ ସମ୍ପର୍କରେ ଖୁଚୁରା ଦୋକାନୀ ସଂଘ ପକ୍ଷରୁ ସ୍ଥାନୀୟ ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର ଧାରଣା ଦିଆଯାଇଥିଲା। ବିଶେଷ କରି ଜାତୀୟ ଖାଦ୍ୟ ସୂରକ୍ଷା ଯୋଜନା ଅନ୍ତର୍ଗତ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ୨୨ମାସର ବକେୟା ପାରିଶ୍ରାମିକ ନମିଳିବା, ଖୁଚୁରା ଦୋକାନୀମାନଙ୍କର ଲାଇସେନ୍ସ ନବୀକରଣ ଜନିତ ସମସ୍ୟାର ସମାଧାନ, ୨୦୧୯ ମସିହା ନିରାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରଦତ୍ତ ବିଦ୍ୟୁତ ବଲ୍ବ ବଣ୍ଟନ ଜନିତ ପାରିଶ୍ରାମିକ ନମିଳିବା, ଖାଉଟି ସାମଗ୍ରୀ ଖୁଚୁରା ଦୋକାନୀମାନଙ୍କୁ ଦେବା ସମୟରେ ପ୍ରତି ବସ୍ତାରେ ଏକରୁ ଦୁଇ କୋଲୋ କମ୍ ରହିବା ଆଦି ଦାବିକୁ ନେଇ ଧାରଣା ଦିଆଯାଇଥିଲା।

ଏହିସବୁ ସମସ୍ୟାର ସମାଧାନ ନିମନ୍ତେ ସରକାର ପଦକ୍ଷେପ ନେବାକୁ ଖୁଚୁରା ଦୋକାନୀ ସଂଘ ଦାବି କରିଛି। ସଂଘର ରାଜ୍ୟ କାର୍ଯ୍ୟକାରିଣୀ ସଂଘର ସଦସ୍ୟ ରଞ୍ଜିତ ନାୟକଙ୍କ ନେତୃତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସଂଘର ଜିଲ୍ଲା ସମ୍ପାଦକ ତଥା ରାଜ୍ୟ ସଂଘ ଉପସଭାପତି ହରିହର ସାମଲଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।