ସୁନାଫୁଲ ସାହିତ୍ୟ ସଂସଦ ପକ୍ଷରୁ ବନ ମହୋତ୍ସବ କାର୍ଯ୍ୟକ୍ରମ
1 min read
ସୁନ୍ଦରଗଡ ଜିଲ୍ଲାର ଅଗ୍ରଣୀ ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ସୁନାଫୁଲ ସାହିତ୍ୟ ସଂସଦ ପକ୍ଷରୁ ବନ ମହୋତ୍ସବ ଓ ବୃକ୍ଷରୋପଣ କାଯ୍ର୍ୟକ୍ରମ ରାଉରକେଲା ସ୍ଥିତ ଛେଣ୍ଡକଲୋନୀ ଅବସରପ୍ରାପ୍ତ କର୍ମଚାରୀ ଗୃହ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ସଂସଦର ସଭାପତି ମହେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଶ୍ରୀ ମହାନ୍ତି ସ୍ୱାଗତ ଭାଷଣ ଦେଇ ମଣିଷ ପରି ଗଛର ଜନ୍ମ , ମୃତ୍ୟୁ ଓ ପୁନର୍ଜନ୍ମ ରହିଛି। ଜୀବର ଆଦ୍ୟ ବିନ୍ଦୁ ହିଁ ବୃକ୍ଷ । ଶ୍ରୀମଦ ଭଗବତ ଗୀତାରେ ଅଶ୍ୱସ୍ଥ ଗଛକୁ ବୃକ୍ଷ ଦେବତା ଭାବେ ବର୍ଣ୍ଣନା କରାଯାଇଛି ବୋଲି କହିଥିଲେ। ଏହି ବସରରେ ‘ଭାରତୀୟ ସଂସ୍କୃତିରେ ବୃକ୍ଷ ମାହାତ୍ମ୍ୟ’ ଶୀର୍ଷକ ଆଲୋଚନାରେ ମୁଖ୍ୟ ଅତିଥିଭାବେ ହାଇଟେକ ମେଡିକାଲ କଲେଜର ବରିଷ୍ଠ ପ୍ରଶାସନିକ ଅଧିକାରୀ ସଲିଲ ପଟ୍ଟନାୟକ ଯୋଗଦେଇ ବୃକ୍ଷ ବିନା ସକଳ ପ୍ରାଣୀ ବଞ୍ଚିବା ଅସମ୍ଭବ ବୋଲି କହିଥିଲେ। ସମ୍ମାନୀତ ଅତିଥିଭାବେ ସମାଜସେବୀ ଶୈଳବାଳା ଷଡଙ୍ଗୀ ବୃକ୍ଷଲତା ଓ ଜୀବଜନ୍ତୁମାନଙ୍କର ଯତ୍ନ ଓ ସୁରକ୍ଷା ପ୍ରଦାନ କରିବା ପ୍ରତିଟି ମାନବର ଧର୍ମ ବୋଲି ମତ ଦେଇଥିଲେ। ଶିକ୍ଷାବୀତ୍ ବ୍ରହ୍ମାନନ୍ଦ ପାଢୀ ଓ ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ ତ୍ରିପାଠୀ ଗଛର ଔଷଧୀୟ ଓ ଅନ୍ୟାନ୍ୟ ଗୁଣ ସମ୍ପର୍କରେ ଆଲୋଚନା କରିଥିଲେ। ସାଧାରଣ ସମ୍ପାଦକ ସୁନୀଲ ମହାନ୍ତି ସମ୍ପାଦକୀୟ ଅଭିଭାଷଣରେ ୨୦୧୦ ମସିହାରୁ ସଂସଦ ପକ୍ଷରୁ ବିଭିନ୍ନ ସ୍ଥାନରେ ଗଛ ଲଗାଇବା ସହ ପରିବେଶ ଓ ପ୍ରକୃତିର ସୁରକ୍ଷା ନିମିତ୍ତ ସଚେତନତା ବାର୍ତ୍ତା ପ୍ରଦାନ କରି ଆସୁଛି ବୋଲି କହିଥିଲେ। ସଂସଦର ଉପସଭାପତି ସନ୍ତୋଷ କୁମାର ଜେନା ଅଶୋକ ଗଛକୁ କାମଦେବତା , ବରଗଛକୁ ବ୍ରହ୍ମା – ବିଷ୍ଣୁ – ମହେଶ୍ୱରଙ୍କ ସ୍ଥାନ , ଲିମ୍ୱ ଗଛକୁ ଶୀତଳ ମାତା ବୋଲି ପୁରାଣ ଶାସ୍ତ୍ରରେ ବର୍ଣ୍ଣନା ଅଛି ବୋଲି କହିଥିଲେ। ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ବଉଳ , ଅଅଁଳା , ପିଜୁଳି , ଡାଳିମ୍ୱ , କୃଷ୍ଣଚୁଡା ଓ ଅନ୍ୟାନ୍ୟ ଗଛ ରୋପଣ କରାଯାଇଥିଲା। ଏହି ଅବସରରେ ବିଶିଷ୍ଟ ପରିବେଶବିଦ ଶୈଳବାଳା ଷଡଙ୍ଗୀଙ୍କୁ ସୁନାଫୁଲ ପ୍ରକୃୃତି ବନ୍ଧୁ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା। ପ୍ରାରମ୍ଭରେ ସମସ୍ତ ଚାରାକୁ ପୂଜା ଅର୍ଚ୍ଚନା କରାଯିବା ସହ ନଡିଆ ଭାଙ୍ଗି ବୃକ୍ଷରୋପଣ କରାଯାଇଥିଲା। ଏହି କାଯ୍ର୍ୟକ୍ରମରେ ଉଦୟ ନାଥ ଜେନା, ପରିତୋଷ ମହାନ୍ତି , ହିମାଦ୍ରି ବରୁଆ, ମଧୁସୂଦନ ବଳ , ନୃସିଂହ ମଲ୍ଲିକ , ହୃଶିକେଶ ନାୟକ , ସଂଜୟ କୁମାର ସୂତାର , ହୃଷିକେଶ ମୁଦୁଲି , ତ୍ରିଲୋଚନ ପାଢୀ , ମହେନ୍ଦ୍ର ମିଶ୍ର , ସରୋଜ କୁମାର ସାହାଣୀ ପ୍ରମୁଖ ବହୁ ବରିଷ୍ଠ ନାଗରିକ , ସମାଜସେବୀ ଓ ସାହିତ୍ୟିକ ଉପସ୍ଥିତ ଥିଲେ। ସଂସଦର ଯୁଗ୍ମ ସମ୍ପାଦକ ତଥା ସାମ୍ୱାଦିକ ମହେନ୍ଦ୍ର ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।