ଇସ୍ପାତ ଜେନେରାଲ୍ ହସ୍ପିଟାଲରେ ଡାକ୍ତର ଦିବସ ପାଳିତ
1 min read
ପ୍ରତିବର୍ଷ ଜୁଲାଇ ୧ ତାରିଖରେ ପାଳିତ ହୋଇଥାଏ ଜାତୀୟ ଡାକ୍ତର ଦିବସ ଡାକ୍ତରମାନଙ୍କୁ ସମ୍ମାନ ଜଣାଇଏହି ଦିବସ ପାଳନ କରାଯାଇଥାଏ। ଡାକ୍ତରଙ୍କୁ ଭଗବାନଙ୍କ ସ୍ଥାନ ଦିଆଯାଇଛି। ଡାକ୍ତରମାନଙ୍କର ସେବାକୁ ସମ୍ମାନ ଜଣାଇ ଏହି ଦିବସ ପାଳନ କରାଯାଉଛି। ୧୯୯୧ ମସିହାରେ ପ୍ରଥମେ ଜାତୀୟ ଦିବସ ପାଳନ କରାଯାଇଥିଲା। ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କୁ ସମ୍ମାନ ଜଣାଇ ପ୍ରଥମ ଥର ପାଇଁ ଡାକ୍ତର ଦିବସ ପାଳନ କରାଯାଇଥିଲା। ଡାକ୍ତର ବିସି ରାୟଙ୍କୁ ୧୯୬୧ ମସିହା ଫେବ୍ରୁଆରି ୪ ତାରିଖକୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା।

ରାଉରକେଲା ଇସ୍ପାତ କାରଖାନା ପରିଚାଳିତ ଇସ୍ପାତ ଜେନେରାଲ ହସ୍ପିଟାଲ ଠାରେ ଇଣ୍ଡିଆନ ମେଡିକାଲ ଆସୋସିଏସନ ରାଉରକେଲା ଶାଖା ସହଭାଗିତାରେ ଜୁଲାଇ ୧ ତାରିଖରେ ଡାକ୍ତର ଦିବସ ପାଳିତ ହୋଇଥିଲା। ଏହି ଉତ୍ସବରେ ଚିକିତ୍ସା ଓ ସ୍ୱାସ୍ଥ୍ୟ ସେବା ବିଭାଗର ନିର୍ବାହୀ ନିର୍ଦ୍ଦେଶକ, ଡାକ୍ତର ବି କେ ହୋତା ଅଧ୍ୟକ୍ଷତା କରିଥିଲେ । ଏଥିରେ ଆପୋଲୋ ହସ୍ପିଟାଲ ଭୁବନେଶ୍ବରର ଡାକ୍ତର ନିତୀଶ କୁମାର ମହାନ୍ତି ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ। ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ସେବା ବିଭାଗର ସିଏମଓ ତଥା ଇଣ୍ଡିଆନ ମେଡିକାଲ ଆସୋସିଏସନ ରାଉରକେଲା ଶାଖାର ସଭାପତି, ଡାକ୍ତର ପି କେ ମହାପାତ୍ର ମଧ୍ୟ ମଞ୍ଚାସୀନ ଥିଲେ। ଏହି ଅବସରରେ ସିଏମଓ ଡାକ୍ତର ଏନ.ପି.ସାହୁ, ଡାକ୍ତର ଏଲ କେ ବିଶ୍ଵାଳ ଓ ଡାକ୍ତର ଜୟନ୍ତ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ। ଏଥିରେ ବହୁ ସଂଖ୍ୟାରେ ଆଇଜିଏଚର ଡାକ୍ତର, ଅବସରପ୍ରାପ୍ତ ଡାକ୍ତର, ସୁପର ସ୍ପେସାଲିଟି ହସ୍ପିଟାଲର ଡାକ୍ତର, ଡ଼ିଏନବି ଡାକ୍ତର ଏବଂ ଆଇଏମଏ ସହିତ ଅନୁବନ୍ଧିତ ଇସ୍ପାତ ସହରର ବହୁ ସଂଖ୍ୟକ ଡାକ୍ତର ଯୋଗଦେଇଥିଲେ । ଶ୍ଳୋକ ଆବୃତ୍ତି ମଧ୍ୟରେ ପ୍ରଦୀପ ପ୍ରଜ୍ଵଳନ ଏବଂ ଡାକ୍ତର ବି ସି ରାୟଙ୍କ ପଟ୍ଟଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସହିତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସମାବେଶକୁ ସମ୍ବୋଧିତ କରି ଡାକ୍ତର ହୋତା ଡାକ୍ତରଙ୍କ ମହତ୍ତର ବୃତ୍ତିର ଉଚ୍ଚ ପ୍ରଶଂସା କରିଥିଲେ ଏବଂ ବହୁ ଆଶା ନେଇ ଆସୁଥିବା ରୋଗୀଙ୍କୁ ସମାନ ଉତ୍ସାହ ସହକାରେ ଆରୋଗ୍ୟର ସ୍ପର୍ଶ ପ୍ରଦାନ ପ୍ରଦାନ ପୂର୍ବକ ମାନବଜାତିର ସେବା ଜାରି ରଖିବାକୁ ଆହ୍ଵାନ ଦେଇଥିଲେ।

ଡାକ୍ତର ମହାନ୍ତି ଚଳିତ ବର୍ଷ ଦିବସ ପାଳନର ବିଷୟବସ୍ତୁ “ପ୍ରତିରୋଧ କ୍ଷମତା ଓ ଆରୋଗ୍ୟ ପ୍ରଦାନକାରୀ ହସ୍ତର ଉତ୍ସବ” ସନ୍ଦର୍ଭରେ ବର୍ଣ୍ଣନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ତଥା ଡାକ୍ତର ପୀତବାସ ମିଶ୍ର ଏବଂ ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ଡ଼ି ଆର ମିଶ୍ରଙ୍କୁ ସେମାନଙ୍କର ଉଲ୍ଲେଖନୀୟ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାରମ୍ଭରେ ଡାକ୍ତର ପି କେ ମହାପାତ୍ର ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ବରିଷ୍ଠ ପରାମର୍ଶଦାତା ତଥା ଆଇଏମ୍ଏ ରାଉରକେଲା ଶାଖାର ସଚିବ ଡାକ୍ତର ଜେ ଆର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଆଇଜିଏଚର ଉପ ସିଏମଓ ଡାକ୍ତର ଲିଜା ଦେଓ ଏବଂ ଉପ ସିଏମଓ ତଥା ଆଇଏମଏର ଯୁଗ୍ମ ସଚିବ ଡାକ୍ତର ପି ଜେ ରୟ ସଂଯୋଜନା କରିଥିଲେ।