ଆନ୍ତର୍ଜାତୀୟସ୍ତରର ଆନିମେସନ କାର୍ଯ୍ୟରେ ରାଉରକେଲାର ପୁଅ ମନ୍ଦୀପଙ୍କ କମାଲ
1 min read
ବୟଷ ମାତ୍ର ୩୫, କିନ୍ତୁ ଆନ୍ତର୍ଜାତୀୟ ସ୍ତରର ଓସ୍କାର ଭଳି ପୁରସ୍କାର ପ୍ରାପ୍ତ ଦଳର ସଦସ୍ୟ ହେବାର ଗୌରବ ଅର୍ଜନ କରିଛନ୍ତି ରାଉରକେଲାର ପୁଅ ମନ୍ଦୀପ ସିଂହ। ଏକାଗ୍ରତା, ଇଚ୍ଛାଶକ୍ତି ଓ ନିଜର ଲକ୍ଷ୍ୟ ସ୍ଥଳକୁ ହାସଲ କରିବାର ଅଦମ୍ୟ ଉତ୍ସାହ ନିଶ୍ଚିତ ସଫଳତା ଆଣିବ, ଏହା ପ୍ରମାଣିତ କରିଛନ୍ତି ମନ୍ଦୀପ। ରାଉରକେଲା ଭଳି ଏକ ଛୋଟ ସହରରୁ ପାଠ ପଢ଼ି, ବିନା କୌଣସି ପ୍ରତିଷ୍ଠିତ ବୈଷୟିକ ଶିକ୍ଷାନୁଷ୍ଠାର ଡିଗ୍ରୀ ନଥାଇ ସୁଦ୍ଧା ଜଣେ ଆନିମେସନ ଭଳି ବ୍ୟୟବହୁଳ ଓ କଷ୍ଟସାଧ୍ୟ ପାଠ୍ୟକ୍ରମରେ ସଫଳତା ପାଇବା ସମ୍ଭବ ବୋଲି କହିଛନ୍ତି ମନ୍ଦୀପ। ଅନେକ ଘାତ ପ୍ରତିଘାତ ମଧ୍ୟରେ ଯୁକ୍ତ ତିନି ପାଠ୍ୟକ୍ରମ ସମାପ୍ତ ପରେ ଆନିମେସନ ପାଠ୍ୟକ୍ରମ ପଢ଼ିବା ପରେ କିଛିଦିନ ପାଇଁ ମୁମ୍ବାଇ ଓ ପରେ ମାଲେସିଆରେ କାର୍ଯ୍ୟ କରିଛନ୍ତି ମନ୍ଦୀପ। ୨୦୧୭ ମସିହାରୁ ନିଉଜିଲାଣ୍ଡ୍ରେ କାର୍ଯ୍ୟରତ ଅଛନ୍ତି ସେ। ନିକଟରେ ବିଶ୍ୱର ପ୍ରତିଷ୍ଠିତ ଓସ୍ଲାର ପୁରସ୍କାର ପାଇଥିବା ଏକ ଇଂରାଜୀ ଚଳଚ୍ଚିତ୍ରର ଆନିମେସନ କାର୍ଯ୍ୟ କରିଥିବା ଦଳରେ ଜଣେ ସଦସ୍ୟ ଥିଲେ ମନ୍ଦୀପ। ଏହା ବ୍ୟତୀତ ହଲିଉଡ୍ର ପ୍ରଖ୍ୟାତ ଚଳଚ୍ଚିତ୍ର ଅବତାର ସିରିଜ୍ରେ କାର୍ଯ୍ୟ କରିବା ତାଙ୍କ ପାଇଁ ସ୍ମରଣୀୟ ବୋଲି କହିଛନ୍ତି ମନ୍ଦୀପ। ନିଜର ପୂରା ପରିବାର ଏବଂ ବିଶେଷ କରି ଗତ ବର୍ଷ ହରାଇଥିବା ମିଜ ମା’ଙ୍କୁ ନିଜର ସବୁଠାରୁ ବେଶୀ ପ୍ରେରଣାଦାୟୀ ବୋଲି କହିଛନ୍ତି ସେ।

ମୁମ୍ବାଇରେ ଥିବା ସମୟରେ ପିଲାମାନଙ୍କ ପାଇଁ ପ୍ରିୟ କାର୍ଟୁନ ସିରିଜ ‘ମୋଟୁ ପତଲୁ’ ଭଳି ସୋ’ ପାଇଁ କାର୍ଯ୍ୟ କରିଛନ୍ତି ମନ୍ଦୀପ। ଏହାପରେ ଗତ କିଛିବର୍ଷ ହେଲା ନିଉଜିଲ୍ୟାଣ୍ଡ୍ର ନାଗରିକତା ଗ୍ରହଣ କରିଥିବା ମନ୍ଦୀପ ନିୟମିତ ବ୍ୟବଧାନରେ ଭାରତ ଆସୁଥିବା କହିଛନ୍ତି। ସମ୍ପ୍ରତି ହଲିଉଡ୍ ଭଳି ଭାରତୀୟ ଚଳଚ୍ଚିତ୍ରଗୁଡ଼ିକରେ ଆନିମେସନ୍ର ବହୁଳ ବ୍ୟବହାର ଯୋଗୁଁ ଆନିମେସନ କୁ ନେଇ ଯୁବ ପିଢ଼ି କ୍ୟାରିୟର ଗଢ଼ିବାରେ ଅନେକ ସୁବିଧା ଥିବା କହିଛନ୍ତି ମନ୍ଦୀପ। କିନ୍ତୁ ଏଥିପାଇଁ ପ୍ରଥମେ ଭଲ ଶିକ୍ଷାନୁଷ୍ଠାନ ଓ ନିଜର ଲକ୍ଷ୍ୟକୁ ସ୍ଥିର କରି କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଛନ୍ତି ସେ। ରାଉରକେଲ ଭଳି ଏକ ଛୋଟ ସହରରୁ ଯାଇ ଦରିଆପାରି ନିଜୁଲ୍ୟାଣ୍ଡରେ ରହି ହଲିଉଡ଼ ଭଳି ଚଳଚ୍ଚିତ୍ର ଶିଳ୍ପ ପାଇଁ କାର୍ଯ୍ୟ କରିବା ସମସ୍ତ ରାଉରକେଲାବାସୀଙ୍କ ପାଇଁ ଗର୍ବ ଓ ଗୌରବ ହେଉଛନ୍ତି ମନ୍ଦୀପ। ଅସନ୍ତା ଦିନରେ ଅବତାର ହଲିଉଡ୍ ଚଳଚ୍ଚିତ୍ର ସିରିଜ୍ ପାଇଁ କାର୍ଯ୍ୟ କରୁଥିବା ମନ୍ଦୀପ ନିଶ୍ଚିତଭାବେ ରାଉରକେଲାର ଉଦୀୟମାନ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରେରଣା ଓ ଉତ୍ସାହପ୍ରଦ ହୋଇଛନ୍ତି ଏହା ନିସନ୍ଦେହରେ କୁହାଯାଇପାରେ।

ଏକ ଛୋଟ ଆନିମେସନ କାର୍ଯ୍ୟ ମାଧ୍ୟମରେ ମନ୍ଦୀପ ଗତ ୬ବର୍ଷ ଧରି ୱେଲିଙ୍ଗଟନ୍ର ପ୍ରତିଷ୍ଠିତ ହୁହୁ ଆନିମେସନ ଷ୍ଟୁଡିଓରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ସେହି ସମୟରେ ନିଜର ଜୀବନ ସଙ୍ଗିନୀ ହାନାଙ୍କ ସହିତ ମିଳିତ ହୋଇଥିଲେ। ଏହାପରେ ବିଭିନ୍ନ ପ୍ରତିଷ୍ଠିତ ଷ୍ଟୁଡିଓରେ କାମ କରିଥିବା ମନ୍ଦୀପ ଅଧୁନା ୱେଟା ୱାର୍କସପ୍ ବା ୱେଟା ଷ୍ଟୁଡିଓରେ କାର୍ଯ୍ୟରତ ଅଛନ୍ତି ମନ୍ଦୀପ। ଆସନ୍ତା ଦିନରେ ନିଜର ଏକ ଆନିମେସନ ଷ୍ଟୁଡିଓ ସ୍ଥାପନା କରିବାର ଲଷ୍ୟ ରଖିଛନ୍ତି ସେ। ସମ୍ପ୍ରତି ମନ୍ଦୀପଙ୍କ ପିତା ରାଉରକେଲା ସହରର ଜଗ୍ଦା ଅଞ୍ଚଳରେ ରହୁଥିଲାବେଳେ ତାଙ୍କର ଫେବ୍ରିକେସନ ସମ୍ପର୍କୀତ ବ୍ୟବସାୟ ରହିଛି।