ବିଶ୍ବସ୍ତରୀୟ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ରେ ସ୍ଥାନୀୟ ସ୍ତରୀୟ ସମସ୍ୟା
1 min read
ରାଉରକେଲାରେ ନିର୍ମାଣ ହୋଇଥିବା ବିଶ୍ବସ୍ତରୀୟ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍ରେ ସ୍ଥାନୀୟ ସ୍ତରୀୟ ସମସ୍ୟାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଗତ ୩ଦିନ ପୂର୍ବରୁ ହୋଇଥିବା ବର୍ଷାପରେ ଜଳମଗ୍ନ ହୋଇଛି ଏହି ବିଶ୍ୱ ସ୍ତରୀୟ ଷ୍ଟାଡିୟମ। ରାଉରକେଲା ସ୍ଥିତ ବିର୍ସା ମୁଣ୍ଡା ଷ୍ଟାଡିୟମ ର ଅସଲ ଚିତ୍ର ବର୍ତ୍ତମାନ ପଦାରେ ପଡ଼ିଛି। ଷ୍ଟାଡିୟମର ଛାତରୁ ଝରୁଛି ଅନବରତ ବର୍ଷା ଜଳ। ବିଶ୍ବର ସର୍ବାଧିକ ଆସନ ବିଶିଷ୍ଟ ବିର୍ସା ମୁଣ୍ଡା ଷ୍ଟାଡିୟମ ର ନିର୍ମାଣ କାର୍ଯ୍ୟ ନେଇ ଉଠୁଛି ଅନେକ ପ୍ରଶ୍ନ। ମାତ୍ର ୧୫ ମାସରେ ନିର୍ମିତ ହୋଇଥିଲା ଏହି ଷ୍ଟାଡିୟମ। ଏହି ହକି ଷ୍ଟାଡିୟମ ଗିନିଜ୍ ବୁକ୍ ଅଫ୍ ୱାର୍ଲଡ ରେର୍ଡସରେ ମଧ୍ୟ ସ୍ଥାନ ପାଇଛି। ପ୍ରାୟ ୨୬୧ କୋଟି ଟଙ୍କାର ଅର୍ଥ ବ୍ୟୟରେ ନିର୍ମିତ ଏହି ବିଶ୍ବସ୍ତରୀୟ ଷ୍ଟାଡିୟମରେ ଉପଲବ୍ଧ ଅତ୍ୟାଧୁନିକ ବ୍ୟବସ୍ଥା ବିଶ୍ବବ୍ୟାପୀ ପ୍ରଶଂସିତ ହୋଇଥିଲା। ଏବେ ଷ୍ଟାଡିୟମ ଉଦ୍ଘାଟନକୁ ୬ ମାସ ପୂରିନି, କିନ୍ତୁ ଷ୍ଟାଡିୟମରେ ପାଣି ଗଳିବା ଆରମ୍ଭ ହୋଇଗଲାଣି। ମାତ୍ର ଗୋଟିଏ ବର୍ଷା ରେ ଷ୍ଟାଡିୟମ ଛାତରୁ ପାଣି ଗଳିବା, ଗ୍ୟାଲେରିରେ ପାଣି ଜମି ରହୁଥିବା ଦେଖିବାକୁ ମିଳୁଛି। ଏସବୁ ଷ୍ଟାଡିୟମ୍ର ନିର୍ମାଣର ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମ୍ପ୍ରତି ଷ୍ଟାଡିୟମ୍ରେ ଚାଲିଥିବା ଜାତୀୟ କନିଷ୍ଠ ମହିଳା ହକି ପ୍ରତିଯୋଗିତା ଚାଲିଥିଲା ବେଳେ ଷ୍ଟାଡିୟମ୍ରେ ଦେଖିବାକୁ ମିଳିଛି ପାଣି। ଭିଭିଆଇପିମାନଙ୍କ ପାଇଁ ଷ୍ଟାଡିୟମକୁ ଯିବାକୁ ଏକ ସ୍ବତନ୍ତ୍ର ଗେଟ୍ ରହିଛି। ଏହି ଗେଟ୍ ପାଖରେ ହିଁ ସାମାନ୍ୟ ବର୍ଷାରେ ଅହରହ ପାଣି ଗଳୁଛି। ସେହିଭଳି ଗେଟ୍ଦେଇ ପଡ଼ିଆ ଭିତରକୁ ଯିବା ରାସ୍ତାର ଗୋଟିଏ ସ୍ଥାନରେ ପାଣି ଗଳୁଛି। ପଶ୍ଚିମ ଷ୍ଟାଣ୍ଡ୍ର ଗ୍ୟାଲେରିରେ ବିଭିନ୍ନ ସମୟରେ ପାଣି ଜମି ରହୁଥିବାର ଦେଖିବାକୁ ମିଳିଛି।