ରାଉରକେଲା ସହର ଓ ଆଖପାଖ ଅଞ୍ଚଳରେ ଶ୍ରୀଜଗନ୍ନାଥଙ୍କ ବାହୁଡ଼ା ଯାତ୍ରା ପାଳିତ

1 min read
Spread the love

ରାଉରକେଲା ସହର ଓ ଆଖପାଖ ଅଞ୍ଚଳରେ ଶ୍ରଦ୍ଧା ଓ ଭକ୍ତିର ସହିତ ପବିତ୍ର ଘୋଷଯାତ୍ରାର ଶେଷ ପର୍ଯ୍ୟାୟ ବାହୁଡ଼ା ଯାତ୍ରା ପାଳିତ ହୋଇଛି। ସହରର ପ୍ରମୁଖ ଘୋଷଯାତ୍ରା ଭାବେ ପରିଚିତ ସେକ୍ଟର-୩ ଅହିରାବନ୍ଧ ମନ୍ଦିରର ସେକ୍ଟର-୫ ସ୍ଥିତ ଗୁଣ୍ଡିଚା ମନ୍ଦିର ସମେତ, ରେଳ ଷ୍ଟେସନ ନିକଟସ୍ଥ ସଙ୍କଟ ମୋଚନ ମନ୍ଦିର, ଛେଣ୍ଡ୍‌ ଏବଂ ଅନ୍ୟ କେତେକ ସ୍ଥାନରେ ଏଥିପାଇଁ ଶ୍ରୀଜିଉମାନଙ୍କର ପୂଜାର୍ଚ୍ଚନା ଓ ପହଣ୍ଡି କରାଯାଇଥିଲା।

ଏଥିରେ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁମାନେ ଯୋଗଦେଇଥିଲେ। ଅପରାହ୍ଣ ସମୟରେ ପାଗ ଭଲ ହୋଇଯିବାରୁ ଶ୍ରଦ୍ଧାଳୁମାନେ ଠାକୁରମାନଙ୍କ ସହିତ ରଥ ଟାଣି ନେଇଥିଲେ। ସହରର ବିଭିନ୍ନ ସ୍ଥାନରେ ବାହୁଡ଼ା ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଓ ପୋଲିସ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା ସହିତ ସୁରକ୍ଷା କର୍ମୀମାନେ ମୂତୟନ ହୋଇଥିଲେ। କିଛି ସ୍ଥାନରେ ସନ୍ଧ୍ୟା ଏବଂ ଅନ୍ୟ କେତେକ ସ୍ଥାନରେ ବିଳମ୍ବିତ ସନ୍ଧ୍ୟା ସୁଦ୍ଧା ରଥ ସବୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି। ଏହି ଅବସରରେ ସେକ୍ଟର-୩ ସମେତ କୋଏଲ ନଗର ସହିତ ସହରର ମୁଖ୍ୟ ରାସ୍ତା ଆଦି ସ୍ଥାନରେ ବିଭିନ୍ନ ସଙ୍ଗଠନ ଓ ସଂସ୍ଥା ପକ୍ଷରୁ ଶ୍ରଦ୍ଧାଳୁମାନଙ୍କ ନିମନ୍ତେ କାନିକା, ଝେଚୁଡ଼ି ସହିତ ଅନ୍ୟାନ୍ୟ ପ୍ରସାଦ ଆଦି ବଣ୍ଟନ କରାଯାଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ ପିଲା ଏବଂ ମହିଳାମାନେ ମଧ୍ୟ ଆଗ୍ରହ ଏବଂ ଉତ୍ସାହର  ସହିତ ରଥ ଟଣାରେ ଭାଗ ନେଇଥିଲେ।

ବାହୁଡ଼ାଯାତ୍ରା ଉପଲକ୍ଷେ ସହରର ବାସନ୍ତୀ କଲୋନୀ ସମେତ ଅନ୍ୟ କେତେକ ସ୍ଥାନରେ ଛୋଟ ପିଲାମାନଙ୍କ ଦ୍ୱାରା ସ୍ୱତନ୍ତ୍ର ରଥ ଟଣା ଅନ୍ୟତମ ଆକର୍ଷଣ ଥିଲା। ଏଥିରେ ବିଭିନ୍ନ ବର୍ଗର ଛୋଟ ଛୋଟ ପିଲାମାନେ ଆକର୍ଷଣୀୟ ବେଷଭୂଷା ସହିତ ଭାଗ ନେଇଥିଲେ। ଏହା ସହିତ ଏହି ଅବସରରେ ବିଭିନ୍ନ ବର୍ଗର ଶ୍ରଦ୍ଧାଳୁମାନେ ଏହି ଛୋଟ ରଥ ନିକଟରେ ବହୁ ସଂଖ୍ୟାରେ ଏକତ୍ରିତ ହୋଇ ନଡ଼ିଆ ଭୋଗ ଲଗାଉଥିବା ଦେଖିବାକୁ ମିଳିଥିଲା। ଏହି ରଥକୁ ଦେଖିବା ପାଇଁ ବିଭିନ୍ନ ବର୍ଗର ଶ୍ରଦ୍ଧାଳୁମାନେ ଏକତ୍ରିତ ହୋଇଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!