ରିମ୍ସରେ ସାଇବର ସିକୁରିଟି ସମ୍ପର୍କୀତ ଇନ୍କୁବେସନ କେନ୍ଦ୍ରର ଶୁଭାରମ୍ଭ
1 min read
ରାଉରକେଲା ସହରର ଅନ୍ୟତମ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ରିମ୍ସ ପକ୍ଷରୁ ଅନୁଷ୍ଠାନ ପରିସରରେ ସାଇବର ସିକ୍ୟୁରିଟି ସମ୍ପର୍କୀତ ଏକ ନବ ଉନ୍ମେଷ କେନ୍ଦ୍ର ବା ଇନ୍କ୍ୟୁବେସନ ସେଣ୍ଟରର ଶୁଭାରମ୍ଭ ହୋଇଛି। ଭୁବନେଶରର ସ୍ଥିତ କ୍ରେଷ୍ଟାଲାର ଏରୋସ୍ପସ ଲିମିଟେଡ୍ ସହଯୋଗରେ ଆରମ୍ଭ ହୋଇଥିବା ଏହି କେନ୍ଦ୍ରକୁ ବିପିୟୁଟି କୁଳପତି ପ୍ରଫେସର ଅମିୟ କୁମାର ରଥ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦ୍ଘାଟନ କରିଛନ୍ତି। ଏହି ସବସରରେ ପ୍ରଫେସର ରଥ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେଇ ସର୍ବଦା ନିଜ ନିଜର ଲକ୍ଷ୍ୟ ହାସଲ କରିବା ନିମନ୍ତେ ଏକାଗ୍ରତା ଓ ଅଂଶଗ୍ରହଣ ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ।

ଛାତ୍ରଛାତ୍ରୀମାନେ ଶ୍ରେଣୀ ଗୃହରେ ପାଠପଢ଼ିବା ସମୟରେ ସର୍ବଦା କିଛି ଶିଖିବା ପାଇଁ ଆଗ୍ରହୀ ହେଲେ ଯାଇ ନୂତନ ଜ୍ଞାନ ଓ ନୂତନ ଚିନ୍ତାର ପରିପ୍ରକାଶ ହେବ ବୋଲି କହିଥିଲେ। ରିମ୍ସର ପୂରାତନ ଛାତ୍ର ତଥା କ୍ରେଷ୍ଟାଲାର ଏରୋସ୍ପସ ଲିମିଟେଡ୍ର ମୁଖ୍ୟ କାର୍ଯ୍ୟାନିର୍ବାହୀ ଉଦୟଭାନୁ ଦାସ ଏହି ଅବସରରେ ରିମ୍ସ ସହିତ ନବ ଉନ୍ମେଶ କେନ୍ଦ୍ର ସ୍ଥାପନା ସମ୍ପର୍କୀତ ବୁଝାମଣା ପତ୍ର ସ୍ୱାକ୍ଷର କରିଥିଲେ। ଏହା ଦ୍ୱାରା ସାଇବର ସିକୁରିଟି ସମ୍ପର୍କରେ ବ୍ୟପକ ସୂଚନା ଓ ଜ୍ଞାନର ଆଦାନ ପ୍ରଦାନର ସୁବିଧା ରିମ୍ସର ଛାତ୍ରଛାତ୍ରୀମାନେ ପାଇବେ ବୋଲି ଶ୍ରୀ ଦାସ ଆଶାବ୍ୟକ୍ତ କରିଥିଲେ। ଏଥିରେ ଅନ୍ୟତମ ଅତିଥିଭାବେ ଏନଆଇଟି ରାଉରକେଲାର କମ୍ପ୍ୟୁଟର ବିଜ୍ଞାନ ବିଭାଗର ପ୍ରଫେସର ଦୁର୍ଗାପ୍ରସାଦ ମହାପାତ୍ର ଯୋଗଦେଇ ନବ ଉନ୍ମେଶ ବା ଇନ୍କ୍ୟୁବେସନ କେନ୍ଦ୍ରର ର ଅର୍ଥ ଓ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ଏହା ସହିତ ସାମ୍ପ୍ରତିକ ସମୟରେ ସାଇବର ସିକୁରିଟିର ଆବଶ୍ୟକତା ଓ ଗୁରୁତ୍ୱ ସମ୍ପର୍କରେ ପ୍ରଫେସର ମହାପାତ୍ର ସୂଚନା ଦେଇଥିଲେ। ଏଥିରେ ଅନ୍ୟତମ ଅତିଥିଭାବେ ଏସ୍ଟିପିଆଇ ରାଉରକେଲାର ମୁଖ୍ୟ ଅଧିକାରୀ ତଥା ଉପ ନିର୍ଦ୍ଦେଶକ ଇଶୁ ଅଗ୍ରୱାଲ ରିମ୍ସର ଏହିଭଳି ନୂତନ ପଦକ୍ଷେପକୁ ସ୍ୱାଗତ କରିବା ସହ ଏଥିପାଇଁ ଆବଶ୍ୟକ ବୈଷୟିକ ଓ ପ୍ରଯୁକ୍ତିଗତ ସହଯୋଗ କରିବେ ବୋଲି କହିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ରିମ୍ସର ଅଧ୍ୟଷା ନଳିନୀ ପ୍ରଭା ପଟ୍ଟନାୟକ ଓ ସମ୍ପାଦକ ଡ ଆର୍ଯ୍ୟ ପଟ୍ଟନାୟକ ଏବଂ ଆଭାଷୀ ମାଧ୍ୟମରେ ସ୍ୱିଜର୍ଲ୍ୟାଣ୍ଡ୍ର ବୈଷୟିକ ବିଶେଷଜ୍ଞ ୱିଲି ଜେଜଲର ପ୍ରମୁଖ ଉପସ୍ଥିତ ଥିଲେ। ରିମ୍ସର ପ୍ରଫେସର ଝେଲମ ନାୟକ ସ୍ୱାଗତ ମନ୍ତ୍ର ଓ ଡ. ସ୍ୱାତିରେଖା ମହାନ୍ତି ଅତିଥିମାନଙ୍କୁ ସ୍ୱାଗତ କରିଥିଲେ। ଶେଷରେ ନବ ଉନ୍ମେଷ କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ପ୍ରଫେସର ବିଭୁଦେନ୍ଦୁ ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।